ପର୍ତ୍ତୁଗାଲ୍କୁ ହରାଇ ଉରୁଗୁଏ କ୍ୱାର୍ଟରରେ
ସୋଚି: ଚଳିତ ଫୁଟ୍ବଲ ବିଶ୍ୱକପ୍ରେ ୨ୟ ଦଳ ଭାବେ କ୍ୱାର୍ଟରଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଉରୁଗୁଏ। ଶନିବାର ଖେଳା ଯାଇଥିବା ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍ରେ ପର୍ତ୍ତୁଗାଲ୍କୁ ୨-୧ ଗୋଲ୍ରେ ଉରୁଗୁଏ ପରାସ୍ତ କରିଛି। ୨ ଥର ବିଶ୍ୱ ଚମ୍ପିଆନ୍ ଉରୁଗୁଏ ପାଇଁ ୨ଟିଯାକ ଗୋଲ୍ ସ୍କୋର୍କରି ଏହି ବିଜୟରେ ହିରୋ ସାଜିଛନ୍ତି ଏଡିନ୍ସନ କାଭାନି। ପ୍ରଥମାର୍ଦ୍ଧରେ କାଭାନିଙ୍କ ଗୋଲ୍ ବଳରେ ଉରୁଗୁଏ ଆଗୁଆ ହୋଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ପର୍ତ୍ତୁଗାଲ୍ର ପେପେ ଗୋଲ୍ ସୁଝାଇ ଦେଇଥିଲେ। ୭ ମିନିଟ ପରେ ଏଡିନ୍ସନ କାଭାନି ବ୍ୟକ୍ତିଗତ ୨ୟ ତଥା ବିଜୟସୂଚକ ଗୋଲ୍ ସ୍କୋର୍ କରିଥିଲେ। ଏହି ପରାଜୟ ସହ ୟୁରୋ କପ୍ ଚମ୍ପିଆନ୍ ପର୍ତ୍ତୁଗାଲ ବିଦାୟ ନେଇଥିବା ବେଳେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ୍ ଜିତିବା ସ୍ୱପ୍ନ ମଧ୍ୟ ଅଧୁରା ରହିଯାଇଛି।
ମ୍ୟାଚ୍ ଆରମ୍ଭରୁ ପର୍ତ୍ତୁଗାଲ୍ ଆକ୍ରମଣ କରିଥିଲା। ୨ୟ ମିନିଟରେ ବର୍ନାର୍ଡୋ ସିଲ୍ଭାଙ୍କ ହେଡର୍ ଗୋଲ୍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୪ର୍ଥ ମିନିଟରେ ଉରୁଗୁଏର କର୍ଣ୍ଣରକୁ ପର୍ତ୍ତୁଗାଲ ଡିଫେଣ୍ଡର ସହଜରେ ବାହାର କରି ଦେଇଥିଲେ। ୬ଷ୍ଠ ମିନିଟରେ ଗୋଲ୍ପୋଷ୍ଟ ଉପରକୁ ପ୍ରଥମ ସଟ୍ ମାରିଥିଲେ ପର୍ତ୍ତୁଗାଲ୍ର ତାରକା ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋ। ତେବେ ଦୂରରୁ ତାଙ୍କର ଏହି ସଟ୍ ସିଧା ଉରୁଗୁଏ ଗୋଲ୍ରକ୍ଷକ ଫର୍ଣ୍ଣାଣ୍ଡୋ ମୁସ୍ଲେରାଙ୍କ ହାତକୁ ଯାଇଥିଲା। ୭ମ ମିନିଟରେ ଉରୁଗୁଏ ଆଗୁଆ ହୋଇ ଯାଇଥିଲା। ପର୍ତ୍ତୁଗାଲ୍ ଗୋଲ୍ପୋଷ୍ଟର ବାମପଟୁ ଏକ ଚମତ୍କାର କ୍ରସ୍ ଦେଇଥିଲେ ଉରୁଗୁଏର ତାରକା ଖେଳାଳି ଲୁଇ ସ୍ୱାରେଜ୍। ଏହି କ୍ରସ୍ରୁ ଦର୍ଶନୀୟ ହେଡ୍ ମାରି ଉରୁଗୁଏ ଷ୍ଟ୍ରାଇକର ଏଡିନ୍ସନ କାଭାନି ଏହି ଗୋଲ୍ଟି ସ୍କୋର୍ କରିଥିଲେ। ୧୦ ମିନିଟରେ ପର୍ତ୍ତୁଗାଲ୍ର କର୍ଣ୍ଣରରୁ ଜୋସ୍ ଫଣ୍ଟେ କରିଥିବା ହେଡର୍ ଗୋଲ୍ପୋଷ୍ଟ ବାହାରେ ଚାଲି ଯାଇଥିଲା। ପରେ ପର୍ତ୍ତୁଗାଲ ଅଧିକ ସମୟ ନିଜ ପାଖରେ ବଲ୍ ରଖିଥିଲେ ହେଁ ଉରୁଗଏର ରକ୍ଷାପନ୍ଥୀକୁ ଭେଦ କରି ପାରିନଥିଲା। ୨୧ ମିନିଟରେ ଲୁଇ ସ୍ୱାରେଜ୍ଙ୍କୁ ଫାଉଲ ହେବାରୁ ଉରୁଗୁଏକୁ ଫ୍ରିକିକ୍ ମିଳିଥିଲା। ଏଥିରୁ ଲୁଇ ସ୍ୱାରେଜ୍ ସଟ୍ ମାରିଥିଲେ ହେଁ ପର୍ତ୍ତୁଗାଲ୍ ଗୋଲ୍ରକ୍ଷକ ରୁଇ ପାଟ୍ରିସିଓ ଏହାକୁ ରୋକି ଦେଇଥିଲେ। ୩୨ ମିନିଟରେ ପର୍ତ୍ତୁଗାଲକୁ ଫ୍ରିକିକ୍ ମିଳିଥିଲେ ହେଁ ତାଙ୍କ ସଟ୍ ଡିଫେଣ୍ଡରଙ୍କ ଶରୀରରେ ବାଜିଥିଲା। ୩୫ ମିନିଟରେ ଉରୁଗୁଏ ଏକ ସଂଘବଦ୍ଧ ଆକ୍ରମଣ କରିଥିଲେ ହେଁ ଏଡିନ୍ସନ କାଭାନିଙ୍କ ସଟ୍ ଗୋଲ୍ପୋଷ୍ଟ ଉପରେ ଚାଲି ଯାଇଥିଲା। ୪୨ ମିନିଟରେ ନାହିତାନ୍ ନାନ୍ଡେଜ୍ ଦୂରରୁ ସଟ୍ ମାରିଥିଲେ ହେଁ ଏହା ପର୍ତ୍ତୁଗାଲ୍ ଗୋଲ୍ପୋଷ୍ଟ ଉପରେ ଚାଲି ଯାଇଥିଲା। ଏହିପରି ପ୍ରଥମାର୍ଦ୍ଧରେ ପର୍ତ୍ତୁଗାଲ ପ୍ରଭାବଶାଳୀ ଫୁଟ୍ବଲ ଖେଳିଥିଲେ ହେଁ ଏଡିନ୍ସନ କାଭାନିଙ୍କ ଗୋଲ୍ ବଳରେ ଉରୁଗୁଏ ଆଗରେ ରହିଥିଲା। ପ୍ରଥମାର୍ଦ୍ଧରେ ପର୍ତ୍ତୁଗାଲ ପାଖରେ ୬୦ ପ୍ରତିଶତ ବଲ୍ ରହିଥିବା ବେଳେ ଉରୁଗୁଏ ପାଖରେ ୪୦ ପ୍ରତିଶତ ସମୟ ବଲ୍ ରହିଥିଲା।
ବିଶ୍ୱକପ୍ ଇତିହାସରେ ଥରେ ମାତ୍ର ପର୍ତ୍ତୁଗାଲ୍ ଏକ ନକ୍ଆଉଟ ମ୍ୟାଚ୍ରେ ପଛରେ ରହିବା ସତ୍ତେ୍ୱ ବିଜୟୀ ହୋଇଥିଲା। ୧୯୬୬ରେ ଉତ୍ତର କୋରିଆ ବିପକ୍ଷରେ ପର୍ତ୍ତୁଗାଲ ୩-୦ ଗୋଲ୍ରେ ପଛୁଆ ରହିବା ସତ୍ତେ୍ୱ ୫-୩ ଗୋଲ୍ରେ ଜିତିଥିଲା।
ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଧିମା ଗତିରେ ଖେଳିବା ଆରମ୍ଭ କରିଥିଲେ। ୫୫ ମିନିଟରେ ପର୍ତ୍ତୁଗାଲ୍ ଗୋଲ୍ ସୁଝାଇ ଦେଇଥିଲା। ବାମପଟୁ ରାଫେଲ ଗ୍ୱୁରିରୋଙ୍କ କ୍ରସ୍ରୁ ହେଡ୍କରି ପର୍ତ୍ତୁଗାଲ୍ ସେଣ୍ଟର ହାଫ୍ ପେପେ ଗୋଲ୍ ସୁଝାଇ ଦେଇଥିଲେ। ୬୨ ମିନିଟରେ ଗୋଲ୍ଦେଇ ଉରୁଗୁଏ ପୁଣି ଆଗୁଆ ହୋଇ ଯାଇଥିଲା। ଏହି ଗୋଲ୍ ମଧ୍ୟ ଏଡିନ୍ସନ କାଭାନି ସ୍କୋର୍ କରିଥିଲେ। ରଡ୍ରିଗୋ ବେଣ୍ଟାକୁରଙ୍କଠାରୁ ଏକ ଡିଫେନ୍ସଭେଦୀ ପାସ୍ ପାଇ ଚମତ୍କାର କିକ୍ମାରି ପର୍ତ୍ତୁଗାଲ୍ ଗୋଲ୍ରକ୍ଷକ ରୁଇ ପାଟ୍ରିସିଓଙ୍କୁ ପରାସ୍ତ କରିଥିଲେ କାଭାନି। ବିଶ୍ୱକପ୍ରେ ଏହା କାଭାନିଙ୍କର ୫ମ ଗୋଲ୍ ଥିଲା। ୬୭ ମିନିଟରେ ଉରୁଗୁଏ ଗୋଲ୍ରକ୍ଷକ ବଲ୍ ଧରିବା ପ୍ରୟାସରେ ଆଗକୁ ଚାଲିଆସି ବଲ୍ ଧରି ପରିନଥିଲେ। ତେବେ ପର୍ତ୍ତୁଗାଲ୍ର ବର୍ନାର୍ଡୋ ସିଲ୍ଭା ଗୋଲ୍ପୋଷ୍ଟର ବାହାରକୁ ବଲ୍ ମାରି ଦେଇଥିଲେ। ଏହାପରେ ମଧ୍ୟ ଉରୁଗଏ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ୭୭ ମିନିଟରେ ଏକ କର୍ଣ୍ଣର କିକ୍ ପାଖରେ ପହଞ୍ଚି ପାରିନଥିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ।