ପାଳ ଛତୁର ଗାଁ କୁଲୁଣ୍ଡା

ରେଙ୍ଗାଲିକ୍ୟାମ୍ପ : ପଶ୍ଚିମ ଓଡିଶାରେ ବିଭିନ୍ନ ପ୍ରକାର ଛତୁ ମିଳୁଥିଲେ ମଧ୍ୟ ପୁଆଲ ଛତୁ (ପାଳ ଛତୁ)ର ଚାହିଦା ସ୍ବତନ୍ତ୍ର। ଅନୂପମ ସ୍ବାଦ ଯୋଗୁଁ ବର୍ଷ ସାରା ଏହି ଛତୁ ଉପଲବ୍ଧ କରିବା ପାଇଁ ଏହାକୁ ଚାଷ କରାଯାଛଛି। ବରଗଡ ଜିଲାର କୁଲୁଣ୍ଡା ଓ ଜାମଟିକିରା ଗ୍ରାମବାସୀ ଏହି ପାଳ ଛତୁ ଚାଷ କରି ବେଶ ଲାଭବାନ ହୋଇପାରିଛନ୍ତି। ଜଣେ କି ଦୁଇ ଜଣ ନୁହଁ, କୁଲୁଣ୍ଡାର ୨୫ରୁ ୩୦ ପରିବାର ଓ ଜାମ୍‌ଟିକ୍ରାର ପ୍ରାୟ ସମସ୍ତ ଚାଷୀ ଛତୁ ଚାଷ କରି ଭଲ ଦୁଇପଇସା ରୋଜଗାର କରୁଛନ୍ତି।
ବରଗଡ ଜିଲା ଅତାବିରା ବ୍ଲକ୍‌ ଅନ୍ତର୍ଗତ କୁଲୁଣ୍ଡା ଗାଁ ଓ ବୁଗବୁଗା ପଞ୍ଚାୟତର ଜାମ୍‌ଟିକ୍ରା ଅତାବିରାଠାରୁ 3କିମି ରାସ୍ତା ମଧ୍ୟରେ ରହିଛି। ଚାଷୀ ଶିବପ୍ରସାଦ ପ୍ରଧାନ ୨୦୧୦ରୁ ଏବଂ ଭରତ ପ୍ରଧାନ ୨୦୦୪ରୁ ତାମିଲ ନେବା ପରେ ଛତୁ ଚାଷ ଆରମ୍ଭ କରିଥିଲେ। ପରେ ଗାଁର ସମସ୍ତେ ଏହି ଚାଷକୁ ଆପଣେଇ ନେଇଛନ୍ତି। ଛତୁ ଓ
ଧାନ ଚାଷ ବ୍ୟତୀତ ଅନ୍ୟ କୌଣସି ଚାଷ ଗାଁର ଲୋକେ କରୁନାହାନ୍ତି। ଛତୁ ଚାଷ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହ ସେମାନଙ୍କ ମଧ୍ୟରେ ଏକ ନୂତନ ଆତ୍ମବିଶ୍ବାସ ସୃଷ୍ଟି କରିଛି। ୨୦୦୪ରୁ ଛତୁ ଚାଷ କରି ନିକଟସ୍ଥ ବଜାରରେ ବିକ୍ରି କରୁଥିଲେ। ବର୍ତ୍ତମାନ ଏହାର ଚାହିଦା ଏତେ ବଢିଯାଇଛି ଯେ ଚାଷୀଙ୍କୁ ଆଉ ବଜାର ଯିବାକୁ ପଡୁନାହିଁ। ବେପାରୀମାନେ ଗାଁକୁ ଆସି ଚାଷୀଙ୍କ ଠାରୁ ଛତୁ ସଂଗ୍ରହ କରି ନେଇଯାଉଛନ୍ତି। ଛତୁ ଚାଷୀମାନେ ରାତି ୨ଟାରୁ ନିଜ ପରିବାର ସହ ଉଠି ଛତୁ ତୋଳିଥାନ୍ତି। ବେପାରୀମାନେ ମଧ୍ୟ ସକାଳ ୪ରୁ ପହଞ୍ଚି ଯାଇଥାନ୍ତି। ଏହି ଛତୁ ବରଗଡ ଜିଲାର ସମସ୍ତ ଅଞ୍ଚଳ ସମେତ ରାୟଗଡା, ଚନ୍ଦରପୁର, ବରମକେଲା, ସରେଇପାଲି, ବୈସେନା, ସରିଆ ତଥା ବଲାଙ୍ଗିର, ସୁନ୍ଦରଗଡ, ରାଉରକେଲା, ବେଲପାହାଡ, ଝାରସୁଗୁଡା ଓ ସମ୍ବଲପୁର ଆଦି ଅଞ୍ଚଳକୁ ପଠାଯାଉଛି। ଗତ ବର୍ଷ ବଜାରରେ ଛତୁର ଦାମ କିଲୋ ପ୍ରତି ୨୨୦ରୁ ୩୩୦ ଟଙ୍କା ରହିଥିଲା ବେଳେ, ଚାଷୀମାନେ ବେପାରୀଙ୍କୁ ୧୪୦ରୁ ୨୩୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି କରିଥିଲେ। ଚଳିତ ବର୍ଷ ବଜାରରେ ଛତୁ କିଲୋ ୨୭୦ରୁ ୩୨୦ ଟଙ୍କା ରହିଥିବା ବେଲେ ଚାଷୀମାଶେ ବେପାରୀଙ୍କୁ ୧୨୦ରୁ ୧୭୦ଟଙ୍କା ଦରରେ ବିକ୍ରି କରୁଛନ୍ତି। ଲକ୍‌ଡାଉନ ଓ ସଟ୍‌ଡାଉନ ଯୋଗୁଁ ଛତୁର ଦର କମିଯାଉଛି ବୋଲି ଚାଷୀମାନେ ଦୁଃଖ ପ୍ରକାଶ କରୁଛନ୍ତି। କୁଲୁଣ୍ଡାର ଛତୁ ଚାଷୀ ଶିବପ୍ରସାଦ କହନ୍ତି ଗୋଟିଏ ବେଡ୍‌ ପ୍ରତି ୪୦ ଟଙ୍କା ଖର୍ଚ୍ଚ ହେଉଛି। ସେ ୧୧୦୦ଟି ବେଡ ପାଇଁ ୪୪ ହଜାର ଟଙ୍କା ପୁଞ୍ଜି ବିନିଯୋଗ କରିଛନ୍ତି। ଗୋଟିଏ ବେଡ ପ୍ରତି ହାରାହାରି ୬୦୦ ଗ୍ରାମ ହିସାବରେ ଦିନକୁ ୩୦/୪୦ କେଜି ଛତୁ ଉତ୍ପାଦନ ହେଉଛି। ମାସକୁ ଦୁଇ ଥର ବେଡ୍‌ ବଦଳାଯାଏ। ବର୍ଷା ଋତୁରେ ୫ ମାସ ଓ ଗ୍ରୀଷ୍ମ ଋତୁରେ ୪ ମାସ ଧରି ଛତୁ ଚାଷ କରାଯାଇଥାଏ। ଏହି ଅନୁସାରେ ବର୍ଷକୁ ପାଖାପାଖି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ହୋଇଥାଏ। ବିହନ ପକାଇବାର ୧୦ରୁ ୧୩ଦିନ ଭିତରେ ଛତୁ ୩ ଦିନ ଧରି ଫୁଟିଥାଏ ଏବଂ ୨/୩ ଦିନ ମଧ୍ୟରେ ଏହାକୁ ବିକ୍ରି କରାଯାଇଥାଏ। ଅଧ ଏକର ଜମିରେ ଏହି ଛତୁ ଚାଷ ପାଇଁ ୭/୮ ଜଣ ଶ୍ରମିକ ଆବଶ୍ୟକ ହୋଇଥାଏ। ମଜୁରୀଭୋଗି ଶ୍ରମିକଲଗାଇଲେ ଲାଭ କମିଯାଇଥାଏ। ତେଣୁ ଅଧିକାଂଶ ପରିବାରର ସଦସ୍ୟ ମିଳିମିଶି କାମ କରିଥାନ୍ତି। ଉକ୍ତ ଗ୍ରାମରେ କୌଣସି ଛତୁ ଚାଷୀ ସରକାରୀ ଋଣ ନ ନେଇ ନିଜ ପୁଞ୍ଜିରେ ଚାଷ କରି ନିଜର ପରିବାର ପୋଷଣ କରିବା ସହ ଅନ୍ୟ ଚାଷୀ ମାନଙ୍କୁ ନୂତନ ପଥ ଦେଖାଇବାର ପ୍ରେରଣା ସୃଷ୍ଟି କରିପାରିଛନ୍ତି।

kalyan agarbati

Comments are closed.