ଆଶଙ୍କାରେ ଅମରନାଥ ଯାତ୍ରା

0

ନୂଆଦିଲ୍ଲୀ: ଦେଶର ୧୦ଟି ରାଜ୍ୟରେ ମୌସୁମୀ ଦେଶବାସୀଙ୍କୁ ପ୍ରଚଣ୍ଡ ଗରମରୁ ଆସ୍ୱସ୍ତ କରିଥିବାବେଳେ ପ୍ରବଳ ବର୍ଷା ଅମରନାଥ ଯାତ୍ରାକୁ ବ୍ୟାପକ ମାତ୍ରାରେ ପ୍ରଭାବିତ କରିଛି। ଦିଲ୍ଲୀ ପରି ରାଜ୍ୟ ଅନ୍ୟାନ୍ୟ ବର୍ଷ ସ୍ୱଳ୍ପ ବର୍ଷା ହେଉଥିବାବେଳେ ଚଳିତ ବର୍ଷ ପ୍ରବଳ ବର୍ଷା ଦିଲ୍ଲୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବର୍ଷା ଜଳ ନିସ୍କାସନ ହୋଇ ନପାରି ଦୀର୍ଘ ସମୟ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଦିଲ୍ଲୀବାସୀ। ଉତ୍ତରାଖଣ୍ଡ ଓ ଜମ୍ମୁ କାଶ୍ମୀରରେ ମଧ୍ୟ ପ୍ରବଳ ବର୍ଷା ହେତୁ ଏକାଧିକ ସ୍ଥାନରେ ପାହାଡ଼ ଧସି ପଡ଼ିଥିବା ଦୃଶ୍ୟମାନ ହୋଇଛି। କାଶ୍ମୀରରେ ବନ୍ୟା ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଚେତାବନୀ ଜାରି ମଧ୍ୟ କରିଛନ୍ତି। ଦେଶର ଉତ୍ତର-ପୂର୍ବ କ୍ଷେତ୍ର ଓ ପଶ୍ଚିମାଞ୍ଚଳରେ ବର୍ଷାର ବ୍ୟାପକତା ଏବେଠାରୁ ଉପଲବ୍ଧି କରି ହେଉଛି। କାଶ୍ମୀରର ଝେଲମ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବାରେ ଲାଗିଛି। ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି କାଶ୍ମୀରର ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି। ସେହିପରି ରୋଜରୀର ଡେରହୋଲି ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀର ପାଶ୍ୱର୍ବର୍ତ୍ତୀ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଜାରି ହୋଇଯାଇଛି। ମହାରାଷ୍ଟ୍ରର ମୁମ୍ବଇ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ କିଛି ଦିନ ଧରି ବର୍ଷା ଲାଗି ରହିଛି। ବର୍ଷାରେ ସହରର ଟ୍ରାଫିକ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ହିମାଚଳପ୍ରଦେଶରେ ମଧ୍ୟ ବେଶ୍‍ କିଛି ଦିନ ଧରି ବର୍ଷା ଲାଗି ରହିଛି। ହିମାଚଳର ଚମ୍ବା ଅଞ୍ଚଳରେ ଏକାଧିକ ସ୍ଥାନରେ ପାହାଡ଼ ଧସି ଗମନାଗମନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ଥିଲେ ମଧ୍ୟ ବର୍ଷା ଲାଗି ରହିଥିବାରୁ ଏହି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଡ୍ୟାମ ପାଖାପାଖି ବସବାସ କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଅଞ୍ଚଳ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହିମାଚଳର ଲାହୋଲ ଓ ସ୍ପିତି ଜିଲାରେ ସିମୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ସିମଲା ଓ ଲେହ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦୃଶ୍ୟମାନ ହେଉଛି। ଅରୁଣାଚଳ ପ୍ରଦେଶରେ ପାହାଡ଼ ଧସି ଜଣେ ଆଇବିପି ଜବାନ ପ୍ରାଣ ହରାଇଛନ୍ତି।
ଅମରନାଥ ଯାତ୍ରୀଙ୍କୁ ମଧ୍ୟ ବର୍ଷା ବ୍ୟାପକ ମାତ୍ରାରେ ପ୍ରଭାବିତ କରିଛି। ଅମରନାଥ ଯାତ୍ରୀଙ୍କୁ ବାଲଟାଲଠାରେ ଅସ୍ଥାୟୀ ଶିବିରରେ ଅଟକାଇ ଦିଆଯାଇଛି। ଦୁଇ ଦିନ ଧରି ପବିତ୍ର ଗୁମ୍ଫାକୁ ଯାଇଥିବା ରାସ୍ତା ବନ୍ଦ ହୋଇଯାଇ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅମରନଥା ଯାତ୍ରାର ରାସ୍ତାର ଏକାଧିକ ସ୍ଥାନରେ ବର୍ଷା ପାଣି ହେତୁ ରାସ୍ତା ଧୋଇ ଦେଇଥିବାବେଳେ କେଉଁଠି ମଇଳା ଜମା ହୋଇଛି। ପ୍ରବଳ ବର୍ଷା ହେତୁ ରାସ୍ତା ମରାମତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବାଲଟାଲ ବେସ କ୍ୟାମ୍ପରେ ପ୍ରବଳ ବର୍ଷା ହେତୁ ଆବଶ୍ୟକଠାରୁ ଅଧିକ ଯାତ୍ରୀ ଅଟକି ରହିଛନ୍ତି। ଏହି ସ୍ଥାନରୁ ଅମରନାଥ ଗୁମ୍ଫା ୮ରୁ ୯କିମି। ରାସ୍ତା ଉପରେ ବଡ଼ବଡ଼ ପଥର, ମଇଳା ଓ କେଉଁଠି ଧସି ଯାଇଥିବା ରାସ୍ତା ଉପରୁ ଶ୍ରଦ୍ଧାଳୁ ଗୁମ୍ଫା ଅଭିମୁଖେ ଯାତ୍ରା କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଯାତ୍ରାକୁ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୨ଦିନ କାଶ୍ମୀର ଅଞ୍ଚଳରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଛି। ଏଭଳି ପରିସ୍ଥିତିରେ ଅମରନାଥ ଯାତ୍ରାକୁ ନେଇ ଆଶଙ୍କା ଦେଖାଦେଇଛି।

kalyan agarbati
Leave A Reply