www.samajalive.in
Saturday, December 6, 2025
23.1 C
Bhubaneswar

ଶଙ୍ଖ ଛାମୁଆ ସଙ୍ଗଠନ ମୁଖିଆ ପଦ ଲାଗି ଦାବିଦାର ଅନେକ; ନବୀନଙ୍କ ଉପରେ ନଜର

ଭୁବନେଶ୍ବର: କରୋନା ପରିପ୍ରେକ୍ଷୀରେ ନିକଟରେ ଶିଥିଳ ପଡ଼ିଥିବା ସଙ୍ଗଠନକୁ ପୁଣି କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ନେଇ ବିଜୁ ଜନତା ଦଳ କାର୍ଯ୍ୟ ଆରମ୍ଭ କରିଛି। ସାଙ୍ଗଠନିକ ପ୍ରକ୍ରିୟାରେ ସ୍ଥାଣୁତା ଦୂର କରି ସଙ୍ଗଠନକୁ ତୃଣମୂଳ ସ୍ତରରେ ଅଧିକ ଚଳଚଞ୍ଚଳ କରାଇବା ସହ ଲୋକଙ୍କ ସହ ଯୋଡ଼ିହେବା ଆଭିମୂଖ୍ୟ ନେଇ ଦଳ ଦୁଇଟି ପର୍ଯ୍ୟାୟରେ ବରିଷ୍ଠତା ଭିତ୍ତିରେ କର୍ମକର୍ତ୍ତାଙ୍କୁ ଦାୟିତ୍ବ ପ୍ରଦାନ କରିଛି। ଏଭଳି ସ୍ଥିତିରେ ଯୁବ, ଛାତ୍ର ଓ ମହିଳା ଭଳି ଦଳର ଛାମୁଆ ସଙ୍ଗଠନର ନେତୃତ୍ବ ପରିବର୍ତ୍ତନ ନେଇ ଦଳରେ ମାନସ ମନ୍ଥନ ଜାରି ରହିଛି। ଏହି ତିନି ସଙ୍ଗଠନର ଗୁରୁତ୍ବ ଦୃଷ୍ଟିରୁ କାହାକୁ ଏହାର ନେତୃତ୍ବର ସୁଯୋଗ ଦିଆଯିବ ତାକୁ ନେଇ ଦଳୀୟ ମହଲରେ ଉତ୍କଣ୍ଠା ଲାଗି ରହିଛି।

ବିଜୁ ଯୁବ ଜନତା‌ ଦଳର ସଭାପତି ପାଇଁ ଭୁବନେଶ୍ବର-ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଚନ୍ଦ୍ର ସାରଥି ବେହେରା, ବିଧାୟକ ତଥା ଭଦ୍ରକ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ‌ବ୍ୟୋମକେଶ ରାୟଙ୍କ ନାମକୁ ନେଇ ଆଲୋଚନା ଚାଲିଛି। ବିଜୁ ଛାତ୍ର ଜନତା ଦଳ ସଭାପତି ରାଣା ପ୍ରତାପ ପାତ୍ର, ବିଜୁ ଯୁବ ଜନତା ଦଳର ରାଜ୍ୟ ମହାସଚିବ ଶିଶିର ପରିଜା, ରେଭେନ୍ସା ପ୍ରାକ୍ତନ ସଭାପତି ତଥା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଜଗନ୍ନାଥ ଦାସ, ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତିଙ୍କ ନାମ ଏହି ​‌ଦୌଡ଼ରେ ରହିଛି।

- Advertisement -

ବିଜୁ ଛାତ୍ର ଜନତା ଦଳର ସଭାପତି ପାଇଁ ମୁଖ୍ୟତଃ କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମହାସଚିବ ହରିଶଙ୍କର ରାଉତ ଓ ଉପ-ସଭାପତି ରାଜେଶ ରାଜ ସ୍ବାଇଁଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେହିପରି ଭୁବନେଶ୍ବର ଜୋନ୍‌ ସଭାପତି ତଥା ବିଜେବି ମହାବିଦ୍ୟାଳୟ ପ୍ରାକ୍ତନ ସଭାପତି ଅଜିତ୍‌ ବେହେରାଙ୍କ ନାମ ମଧ୍ୟ ଆଲୋଚନ ହେଉଛି। ମହିଳା ସଭାନେତ୍ରୀ ପାଇଁ ଲୋପାମୁଦ୍ରା ବକ୍ସିପାତ୍ର, ମୁଖପାତ୍ର ସୁଲତା ଦେଓ, ବିଧାୟିକା ଲତିକା ପ୍ରଧାନ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ନାମକୁ ନେଇ ଆଲୋଚନା ଚାଲିଛି।

ସବୁ ଜିଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତି ସମୟରେ ଯୁବ ନେତ୍ବତ୍ବଙ୍କୁ ଗୁରୁତ୍ବ ଦିଆଯିବା ସହ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ନେତାଙ୍କୁ ଅବ୍ୟାହତି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଯୁବବର୍ଗ ବିଜେପି ପ୍ରତି ଆକୃଷ୍ଟ ହେଉଥିବା ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା। ବିଶେଷ କରି ସହରାଞ୍ଚଳରେ ଗତ କିଛି ବର୍ଷ ଧରି ଏହାର ପ୍ରଭାବ ପରିଲକ୍ଷିତ ହୋଇ ଆସୁଛି। ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ଯୁବବର୍ଗଙ୍କ ଭୋଟ ଦଳ ପାଇଁ ଗୁରୁତ୍ବ ବହନ କରୁଛି। ଏହାକୁ ଦୃଷ୍ଟିରେ ରଖି ଯୁବ, ଛାତ୍ର ଓ ମହିଳା ସଙ୍ଗଠନକୁ ଅଧିକ ସଶକ୍ତ କରିବାକୁ ପ୍ରୟାସ କରୁଛି। ବିଜେପି ପକ୍ଷରୁ ନୂଆ ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ଯୁବ ମୋର୍ଚ୍ଚା ସଭାପତି ଦାୟିତ୍ବ ଦିଆଯାଇଛି। କଂଗ୍ରେସ ଦଳ ପକ୍ଷରୁ ନୂତନ ଯୁବ ସଭାପତି ନିଯୁକ୍ତ କରିଛି।
ଛାତ୍ର ଓ ଯୁବ ଜନତା ଦଳର ଜିଲା ସଭାପତି ମନୋନୟନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ରାଜ୍ୟ ଦାୟିତ୍ବ କାହାକୁ ଦିଆଯିବ ଓ ଦଳୀୟ ସୁପ୍ରିମୋଙ୍କର କିଏ ଆସ୍ଥାଭାଜନ ହୋଇପାରିବ ତାକୁ ନେଇ ଅଙ୍କକଷା ଜୋର ଧରିଛି। ଏକ ପକ୍ଷରେ ଦୀର୍ଘଦିନ ଧରି ଯୁବ, ଛାତ୍ର ଓ ମହିଳା ସଙ୍ଗଠନରେ ରହି କାର୍ଯ୍ୟ କରୁଥିବା​‌ କର୍ମୀ ଓ ନେତା ସଙ୍ଗଠନର ନେତୃତ୍ବ ନେବା ନେଇ ଆଶାବାଦୀ ଅଛନ୍ତି। ଏହି ତିନି ସଙ୍ଗଠନରେ ବର୍ତ୍ତମାନ ଅଣବିଧାୟକଙ୍କ ନେତୃତ୍ବରେ ପରିଚାଳିତ ହେଉଛି। କିନ୍ତୁ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ଏହି ଛାମୁଆ ସଙ୍ଗଠନର ନେତୃତ୍ବ ବିଧାୟକଙ୍କୁ ହାତରେ ରହିବ କି ଅଣବିଧାୟକଙ୍କ ହାତରେ ରହିବ ସେନେଇ ଦଳୀୟ ମହଲରେ ଆଲୋଚନା ଚାଲିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories