କରୋନା ଆରୋଗ୍ୟ ହାର ୬୦.୮୧%କୁ ବୃଦ୍ଧି; ସକ୍ରିୟ ରୋଗୀଙ୍କ ଠାରୁ ଅଧିକ ହେଲେଣି ସୁସ୍ଥ

ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କରୋନା ସଂକ୍ରମଣ ପରିଚାଳନା ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହିତ ସରକାରଙ୍କ ଦ୍ୱାରା ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଯୋଗୁଁ ସକ୍ରିୟ ମାମଲା ଅପେକ୍ଷା ଆରୋଗ୍ୟ ସଂଖ୍ୟା ପ୍ରାୟ ୧ ଲକ୍ଷ ୫୯ ହଜାର ଅଧିକ ରହିଛି।

ଦେଶରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୯୪ ହଜାର ୨୨୭ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ଘଣ୍ଟା ଭିତରେ ଆଉ ୧୪ ହଜାର ୩୩୫ ଜଣ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିବା ସହ କୋଭିଡ ଆରୋଗ୍ୟ ହାର ଶତକଡା ୬୦ ଦଶମିକ ୮୧ ଭାଗରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଗତ ୨୪ ଘଣ୍ଟା ଭିତରେ ଆଉ ୨୨ ହଜାର ୭୭୧ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ଦେଶରେ ମୋଟ୍‍ ସଂକ୍ରମିତମାନଙ୍କ ସଂଖ୍ୟା ୬ ଲକ୍ଷ ୪୮ ହଜାର ୩୧୫ ରହିଛି। ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ଏହା ହେଉଛି ଏପର୍ଯ୍ୟନ୍ତ ପ୍ରଥମ ଘଟଣା। ଗୋଟିଏ ଦିନରେ ଆଉ ୪୪୨ ଜଣ ମୃତ୍ୟୁବରଣ କରିବା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୮ ହଜାର ୬୫୫ରେ ପହଞ୍ଚିଛି। ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ୨ ଲକ୍ଷ ୩୫ ହଜାର ୪୩୩ ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି ଗତ ୨୪ ଘଣ୍ଟା ଭିତରେ ୪୨ ହଜାର ୩୮୩ଟି ନମୂନା ପରୀକ୍ଷା କରାଯାଇଛି। ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ନମୂନା ପରୀକ୍ଷା କରାଯିବା ମଧ୍ୟ ଏହା ହେଉଛି ପ୍ରଥମ ଘଟଣା। ଏପର୍ଯ୍ୟନ୍ତ ସର୍ବମୋଟ୍‍ ୯୫ ଲକ୍ଷ ୪୦ ହଜାର ୧୩୨ଟି ନମୂନା ପରୀକ୍ଷା କରାଯାଇ ସାରିଲାଣି। ଆଇସିଏମ୍‍ଆର୍‍ ଅଧିକରୁ ଅଧିକ ପରୀକ୍ଷାଗାରକୁ ନମୂନା ପରୀକ୍ଷାପାଇଁ ଅନୁମତି ପ୍ରଦାନ କରୁଛି। ବର୍ତ୍ତମାନ ଦେଶରେ ମୋଟ୍‍ ଏକ ହଜାର ୮୭ଟି ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୭୮୦ଟି ସରକାରୀ ପରୀକ୍ଷାଗାର ଓ ୩୦୭ଟି ବେସରକାରୀ ପରୀକ୍ଷାଗାର ରହିଛି।

Comments are closed.