ରେକର୍ଡ ନିମ୍ନ ସ୍ତରରେ ଟଙ୍କା

0

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ମୂଲ୍ୟ ଆଜି ଐତିହାସିକ ସର୍ବନିମ୍ନ ସ୍ତର ୬୮.୬୯କୁ ହ୍ରାସ ପାଇଛି। ଆନ୍ତର୍ଜାତିକ ମୁଦ୍ରା ବିନିମୟ ବଜାରରେ ବୁଧବାର ସନ୍ଧ୍ୟାରେ କାରବାର ବନ୍ଦ ହେବା ସମୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧୯ ମାସର ସର୍ବନିମ୍ନ ସ୍ତର ୬୮.୬୧ ଥିଲା। ଗୁରୁବାର ସକାଳେ କାରବାର ଆରମ୍ଭ ହେବା ମାତ୍ରେ ଏହା ୨୮ ପଇସା ହ୍ରାସ ପାଇ ୬୮.୬୯ରେ ପହଞ୍ଚିଥିଲା।

ପ୍ରଭାବ

ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ସ୍ଥିତିର ପ୍ରଭାବ ତତ୍କାଳ ତୈଳ ବଜାର ଉପରେ ପଡ଼ିବ। ଇରାନ୍‍ରୁ ତୈଳ ଆମଦାନୀ ଉପରେ ଆମେରିକାର କଟକଣା ପରେ ଆନ୍ତର୍ଜାତିକ ବଜାରେ ଅଶୋଧିତ ତୈଳ ଦର ବୃଦ୍ଧି ଆଶଙ୍କା ଥିବା ବେଳେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଯୋଗୁଁ ଭାରତରେ ତୈଳ ଦର ଆହୁରି ବୃଦ୍ଧି ପାଇବ। ଭାରତର ମୋଟ ତୈଳ ଚାହିଦାର ୮୦% ଆମଦାନୀ ହେଉଥିବାରୁ ତୈଳ ଦର, ଆମଦାନୀ ଖର୍ଚ୍ଚ ଓ ଶୁଳ୍କ ବାବଦରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଫଳରେ ପରିବହନ ଖର୍ଚ୍ଚରେ ବୃଦ୍ଧି ଘଟି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା ହେବ। ଏହାର ଦୀର୍ଘକାଳୀନ ପ୍ରଭାବରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ।
କେବଳ ତୈଳ ଦର ନୁହେଁ ବିଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ, ଉପକରଣ ଓ କଞ୍ଚାମାଲ୍‍ ଦର ମଧ୍ୟ ବୃଦ୍ଧି ପାଇବ। ଏହାର ପ୍ରଭାବରେ ଦେଶର ଚାଲୁ ଖାତା ନିଅଣ୍ଟ ଓ ବିତ୍ତୀୟ ନିଅଣ୍ଟ ପରିମାଣ ବଢ଼ିବ। ବାଣିଜ୍ୟ ନିଅଣ୍ଟ ଗତ ବର୍ଷ ତୁଳନାରେ ମେ’ ଶେଷ ସୁଦ୍ଧା ୫.୬% ବୃଦ୍ଧି ପାଇ ୧୪.୬ ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ ଟଙ୍କା ମୂଲ୍ୟ ଦୁର୍ବଳର ଧାରା ଜାରି ରହିଲେ ବାଣିଜ୍ୟ ନିଅଣ୍ଟ ଆହୁରି ବଢ଼ିବ। ବିଦେଶ ଗସ୍ତ ଓ ରହଣୀ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ଏସବୁର ପରୋକ୍ଷ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିବ।
Leave A Reply