ବୁର୍ଲା: ଭିମସାରର କରୋନା ଆଇସୋଲେସନରେ କରୋନା ସନ୍ଦିଗ୍ଧଙ୍କ ଭର୍ତ୍ତି କରାଯିବା ଜାରି ରହିଛି। ଗତକାଲି ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗାଲ ଫେରିଥିବା ପ୍ରାୟ ୬ ବ୍ୟକ୍ତିଙ୍କୁ ଭିମସାରର କରୋନା ଆଇସୋଲେସନରେ କରୋନା ସନ୍ଦିଗ୍ଧ ଭାବରେ ଭର୍ତ୍ତି କରାଯାଇଥିଲା। ଚାରିଜଣ ବ୍ୟକ୍ତିଙ୍କୁ ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗର ଏକ ଇନୋଭା ଗାଡ଼ିରେ ଜଣେ ଚାଳକ ଏବଂ ହେଲପର ନେଇ ଆସୁଥିଲେ। ମାତ୍ର ବୁର୍ଲା ନିକଟରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉକ୍ତ ଇନୋଭା ଗାଡ଼ିଟି ବୁର୍ଲା ମେଡ଼ିକାଲ ମୁହାଁ ହୋଇଥିଲା। ଉକ୍ତ ଗୁରୁତର ବ୍ୟକ୍ତିଙ୍କ ସମେତ ଛଅ ଜଣଙ୍କ ସ୍କ୍ରିନିଂ କରାଯାଇ ବୁର୍ଲା ଭିମସାରର କରୋନା ଆଇସୋଲେସନରେ ଭର୍ତ୍ତି କରାଯାଇଥିଲା। ମାତ୍ର ଗତକାଲି ଅପରାହ୍ନ ସମୟରେ ଭିମସାରର କରୋନା ଆଇସୋଲେସନରେ ସମ୍ପୃକ୍ତ ସଙ୍କଟାପନ୍ନ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଏକ ଦୋଦୁଲ୍ୟମାନ ସ୍ତିତି ଉତ୍ପନ୍ନ ହୋଇଥିଲା। ତେବେ ବ୍ୟକ୍ତିଙ୍କ କରୋନା ନେଗେଟିଭ ଥିଲା କି ପଜିଟିଭ ତାହା ସ୍ପଷ୍ଟ ହୋଇ ପାରି ନାହିଁ।
ଅନ୍ୟପକ୍ଷରେ ଅପରାହ୍ନ ପ୍ରାୟ ୩ରୁ୪ ଟା ମଧ୍ୟରେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶବକୁ ସମ୍ବଲପୁର କୋଭିଡ଼-୧୯ ହସପିଟାଲକୁ ମହାପ୍ରୟାଣ ଗାଡ଼ିରେ ପଠାଯାଇଥିଲା। ଅନ୍ୟ ତିନିଜଣ କରୋନା ସନ୍ଦିଗ୍ଧଙ୍କୁ ମଧ୍ୟ ସମ୍ବଲପୁର ଜିଲ୍ଲା କୋଭିଡ଼-୧୯ ହସପିଟାଲକୁ ପଠାଯାଇଛି। ସେପଟେ ଉକ୍ତ ଇନୋଭା କାରର ଚାଳକ ଏବଂ ହେଲପରଙ୍କ କରୋନା ରିପୋର୍ଟ ନେଗେଟିଭ ବାହାରିବା ପରେ ତାଙ୍କୁ ଭିମସାରରୁ ଡ଼ିସଚାର୍ଜ କରି ଦିଆଯାଇଛି ଓ ସେମାନେ ଗାଡ଼ି ନେଇ ପୁନଃ ମହାରାଷ୍ଟ୍ର ଅଭିମୁଖେ ଫେରି ଯାଇଥିବା ଜଣାପଡ଼ିଛି।
ସେହି ପଶ୍ଚିମବଙ୍ଗର ମୃତ ବ୍ୟକ୍ତିଙ୍କ ଶବ ସମ୍ବଲପୁର କୋଭିଡ଼-୧୯ ହସପିଟାଲ ପହଞ୍ଚିବା ପରେ ସେଠାରେ ଏକ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଥିଲା ଓ ସମସ୍ତେ ସେଠାରୁ ଫେରାର ମାରିଥିଲେ। ମୃତଦେହକୁ ଶବ ଗୃହକୁ ନିଆଯାଇ ପାରି ନ ଥିଲା। ବାହାରେ ପିପିଇ କିଟ ପିନ୍ଧି ଦୁଇଜଣ ଶବ ଉଠାଇବା ପାଇଁ ଯାଇଥିବା ବ୍ୟକ୍ତି ଛିଡ଼ା ହୋଇ ରହିଥିଲେ ଏବଂ ଚାଳକ ମଧ୍ୟ ରହିଥିଲା। ଏପରିକି ରାତି ୯ଟାରୁ ଯାଇଥିବା ମୃତଦେହ ରାତି ପ୍ରାୟ ୧୧ଟା ୧୫ ମିନିଟ ସୁଦ୍ଧା ଶବବାହକ ଭିମସାରର ମହାପ୍ରୟାଣ ଗାଡ଼ିରେ ମୃତଦେହ ରହିଥିଲା। ବାହାରେ ମହାପ୍ରୟାଣ ଜଗି ରହିଥିଲା। ପ୍ରାୟ ଦୁଇଘଣ୍ଟାରୁ ଊର୍ଦ୍ଧ୍ବ ସମୟ କାହାରି ଦେଖା ମିଳି ପାରି ନ ଥିଲା। ପ୍ରାୟ ୩ ଘଣ୍ଟା ପରେ ମୃତ ଦେହକୁ ଶବ ଗୃହକୁ ନିଆଯାଇଥିବା ଜଣାପଡିଛି।



