ବ୍ୟବସାୟୀ ମହାସଂଘର ଦାବି : ଆନ୍ତଃରାଜ୍ୟ ତନଖି ଫାଟକରେ ଡ୍ରାଇଭର, ହେଲପରଙ୍କର ସ୍କ୍ରିନିଂ କରାଯାଉ

ସାନିଟାଇଜ ହେଲା ଆଇଗିଣିଆ ମଣ୍ତି

ଭୁବନେଶ୍ବର : କୋଭିଡ ‌-୧୯ ବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟବସାୟୀ ମହାସଂଘ ପକ୍ଷରୁ ବିଭିନ୍ନ ମାଲ ପରିବହନକାରୀ ଯାନ ଏବଂ ହାଟଗୁଡିକର ସାନିଟାଇଜ୍‌ କରିବାକୁ ଦାବି କରାଯାଇଛି। ଏହି କ୍ରମରେ ଓଡ଼ିଶା ସୀମାନ୍ତରେ ରହିଥିବା ଆନ୍ତଃରାଜ୍ୟ ତନଖି ଫାଟକଗୁଡିକ ​ଦେଇ ପାଇକାରୀ ବଜାରକୁ ଆସୁଥିବା ଡ୍ରାଇଭର ଓ ହେଲପରଙ୍କ କୋଭିଡ୍ ସ୍କ୍ରିନିଂ କରିବାକୁ ସଂଘ କହିଛି ।​‌ କେବଳ ତନଖି ଫାଟକ ନୁହେଁ ରାଜଧାନୀରେ ରହିଥିବା ବଡ ବଡ ପ୍ରାୟ ୧୫ଟି ହାଟକୁ ସାନିଟାଇଜ୍‌ କରିବାକୁ ସଂଘ ଦାବି ରଖିଛି ।  ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କୁହନ୍ତି, ଆନ୍ତଃରାଜ୍ୟ ତନଖି ଫାଟକ ​ଦେଇ ରାଜ୍ୟକୁ ଦୈନିକ ହଜାର ହଜାର ସଂଖ୍ୟାରେ ଟ୍ରକ ମାଲ ପରିବହନ କରିଆସୁଛି । ତେଣୁ ଏହି ଟ୍ରକ ଓ ଏଥିରେ ଥିବା ଡ୍ରାଇଭର ଏବଂ ହେଲପରଙ୍କ ଜରିଆରେ କରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେଣୁ ସତର୍କତା ପଦକ୍ଷେପ ସ୍ବରୂପ ଏହି ଗାଡିଗୁଡିକୁ ସାନିଟାଇଜ କରିବା ଜରୁରୀ । ଏହି ଟ୍ରକଗୁଡିକରେ ଆସୁଥିବା ଡ୍ରାଇଭର ଓ ହେଲପରଙ୍କର ସ୍କ୍ରିନିଂ କରାଗଲେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇପାରିବ । ପଶ୍ଚିମବଙ୍ଗରେ ବର୍ତ୍ତମାନ କରୋନା ସ୍ଥିତି ଯେଭଳି ରହିଛି ସେଠାରୁ ଆଳୁ ଏବଂ ଅନ୍ୟ ପରିବାପତ୍ର ନେଇ ଆସୁଥିବା ଗାଡିଗୁଡିକ ଉପରେ କଡା ନଜର ଦେବାକୁ ହେବ। ଏହାଛଡା ରାଜଧାନୀର ହାଟଗୁଡିକୁ ପର୍ଯ୍ୟାୟକ୍ରମେ ସାନିଟାଇଜ୍‌ କରାଗଲେ କରୋନା ଆଶଙ୍କାକୁ କେତେକାଂଶରେ ଦୂରେଇ ଦିଆଯାଇପାରିବ । ଏ ନେଇ ଯୋଗାଣ ବିଭାଗ ସଚିବ ଏବଂ ବିଏମ୍‌ସି କମିସନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାଜଧାନୀର ପାଇକାରୀ ପେଣ୍ଠସ୍ଥଳ ଆଇଗିଣିଆ ମଣ୍ଡିକୁ ସାନିଟାଇଜ୍‌ କରାଯାଇଥିଲା ।

Comments are closed.