www.samajalive.in
Saturday, December 13, 2025
23.1 C
Bhubaneswar

କାର୍ଯ୍ୟକ୍ଷମ ହେଲା ସମ୍ବଲପୁର କୋଭିଡ ହସପିଟାଲ ; ବଲାଙ୍ଗୀର ମେଡିକାଲ କଲେଜରେ ହେବ କୋଭିଡ ଟେଷ୍ଟିଂ ଲ୍ୟାବ

ସମ୍ବଲପୁର: ସମ୍ବଲପୁର କୋଭିଡ ହସପିଟାଲ ବୁଧବାର କାର୍ଯ୍ୟକ୍ଷମ ହୋଇଛି। ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ବା ସଦର ଡାକ୍ତରଖାନାକୁ କୋଭିଡ ହସପିଟାଲ ଭାବରେ ପରିବର୍ତିତ କରାଯାଇଛି। ଏହାସହିତ ବୁଧବାର ଅପରାହ୍ନରେ ଝାରସୁଗୁଡ଼ା କୋଭିଡ ହସପିଟାଲ ଲୋକାର୍ପିତ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବାସହ ୧୫ ଦିନ ମଧ୍ୟରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ କୋଭିଡ ଟେଷ୍ଟିଂ ଲ୍ୟାବ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ।

- Advertisement -

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସପିଟାଲରେ ୨୦ଟି ଆଇସିୟୁ, ୧୦ଟି ଏଚ୍‍ଡିୟୁ, ୨ଟି ଡାଏଲିସିସ୍‍ ୟୁନିଟ ଓ ୧୭୦ଟି ସାଧାରଣ ଶଯ୍ୟା ବ୍ୟବସ୍ଥା ରହିଛି। ବର୍ତ୍ତମାନ ୫ଟି ଆଇସିୟୁ, ୫ଟି ଏଚ୍‍ଡିୟୁ ଶଯ୍ୟା କାର୍ଯ୍ୟକ୍ଷମ ହୋଇଥିବାବେଳେ ଡାଏଲିସିସ୍‍ ପାଇଁ ଆର୍‍ଓ ପ୍ଲାଂଟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଡାଏଲିସିସ୍‍ ମେସିନ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଏହାସହିତ ମେଗା ସିଲିଣ୍ଡର ଓ ଅକ୍ସିଜେନ ପ୍ଲାଂଟ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଥିବା ବେଳେ କୋଭିଡ ହସପିଟାଲରେ ପ୍ରଥମ ଦଫାରେ ୯୪ ଜଣ ଡାକ୍ତର ଏବଂ ପାରା ମେଡିକାଲ ଓ ସହାୟକ ଷ୍ଟାଫ ନିୟୋଜିତ କରାଯାଇଛି। ପରବର୍ତ୍ତୀ ସମୟରେ ବୁର୍ଲା ଭିମସାରରୁ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ଆସିବେ ବୋଲି ମନ୍ତ୍ରୀ କହିଛନ୍ତି। କୋଭିଡ-୧୯ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‍ଙ୍କ ରହିବା ଓ ଖାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ହୋଟେଲ ଓ ହଷ୍ଟେଲରେ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।

ବୁର୍ଲା ଭିମସାରରେ କୋଭିଡ ଟେଷ୍ଟିଂ ଲ୍ୟାବରେ ନମୁନା ପରୀକ୍ଷା ଆରମ୍ଭ ହୋଇଯାଇଛି। ବୁର୍ଲା ଲ୍ୟାବ ସ୍ଥାପନର ତଦାରଖ କରିଥିବା ପ୍ରଫେସର ଦେବୀପ୍ରସାଦ ମିଶ୍ରଙ୍କୁ ବଲାଙ୍ଗୀର ପଠାଯାଇଛି। ତାଙ୍କ ତତ୍ୱାବଧାନରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ କୋଭିଡ ଟେଷ୍ଟିଂ ଲ୍ୟାବ ସ୍ଥାପନ ହେବ। ରାଜ୍ୟ ସରକାର ଆବଶ୍ୟକ ମେସିନ ଓ ଉପକରଣ ଯୋଗାଇଦେବେ। ଆଗାମୀ ୧୫ ଦିନ ମଧ୍ୟରେ ଲ୍ୟାବ ନିଶ୍ଚିତ ଭାବେ କାର୍ଯ୍ୟକ୍ଷମ ହୋଇଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଶାପ୍ରକାଶ କରିଛନ୍ତି।
ଲକ୍‍ ଡାଉନ ସମୟରେ ସମ୍ବଲପୁର ଜିଲାପାଳ, ଡିଆରଡିଏର ପିଡି, ସିଡିଏମ୍‍ଓ, ଡାକ୍ତର ଏବଂ ଡାକ୍ତରଖାନା କର୍ମଚାରୀ ତଥା ପୁଲିସ ସମ୍ବଲପୁର କୋଭିଡ ହସପିଟାଲ କାର୍ଯ୍ୟକ୍ଷମ କରିପାରିଥିବାରୁ ମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

 

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories