ସମାଜ ପୋର୍ଟାଲ ଡେସ୍କ: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗତ ସପ୍ତାହରେ ଜାରି କରିଥିବା ତାହାର ନିର୍ଦ୍ଦେଶାବଳୀରେ ଆଉ କିଛି କୋହଳ କରିଛି। ପ୍ୟାକ୍ ହାଉସ୍ଗୁଡ଼ିକ ପାଇଁ ଆମଦାନୀ ଓ ରପ୍ତାନୀ ପାଇଁ ସୁବିଧା, ବିହନ ଓ ଉଦ୍ୟାନଜାତ ପଦାର୍ଥଗୁଡ଼ିକର ପର୍ଯ୍ୟବେକ୍ଷଣ ଓ ପ୍ରକ୍ରିୟାକରଣ ବ୍ୟବସ୍ଥା ଭଳି କାର୍ଯ୍ୟକୁ କଟକଣାରୁ ଛାଡ଼ କରାଯାଇଛି। କୃଷି ଓ ଉଦ୍ୟାନ କାର୍ଯ୍ୟ ସହ ସଂପୃକ୍ତ ଗବେଷଣା ପ୍ରତିଷ୍ଠାନ ଓ ରାଜ୍ୟ ଭିତରେ ଏବଂ ରାଜ୍ୟ ରାଜ୍ୟ ମଧ୍ୟରେ ଚାରା ରୋପଣ ପାଇଁ ଉଦ୍ଦିଷ୍ଟ ପଦାର୍ଥଗୁଡ଼ିକର ପରିବହନ, ମହୁଚାଷ କଲୋନି ଓ ମହୁଜାତୀୟ ପଦାର୍ଥକୁ ମଧ୍ୟ କଟକଣାରୁ ଛାଡ଼ କରାଯାଇଛି। ବ୍ୟବସାୟୀକ ଦୋକାନ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକ କ୍ଷେତ୍ରରେ ବହିଦୋକାନ, ଛାତ୍ରଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ପାଠପଢ଼ା ସାମଗ୍ରୀ ଦୋକାନ ଓ ଇଲେକ୍ଟ୍ରିକ୍ ଫ୍ୟାନ୍ ଦୋକାନକୁ ମଧ୍ୟ କଟକଣାରୁ ଛାଡ଼ କରାଯାଇଛି। ଜାହାଜରେ ଯାତ୍ରା କରୁଥିବା ଭାରତୀୟମାନଙ୍କ ପାଇଁ ଭାରତୀୟ ବନ୍ଦରଗୁଡ଼ିକଠାରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ସ୍ୱାକ୍ଷର ସମେତ ତତ୍ସଂକ୍ରାନ୍ତୀୟ କାର୍ଯ୍ୟକୁ ମଧ୍ୟ ନିୟମକାକୁନ ପାଳନ ସହିତ କଟକଣାରୁ ଛାଡ଼ ମିଳିଛି। ଜଙ୍ଗଲୀକରଣ ସହ ଜଡ଼ିତ ସମସ୍ତ କାର୍ଯ୍ୟାଳୟ ଓ ତତ୍ସମ୍ବନ୍ଧୀୟ କାର୍ଯ୍ୟକୁ କଟକଣାରୁ ଛାଡ଼ କରାଯାଇଛି।
ସରକାର କହିଛନ୍ତି ସହରାଞ୍ଚଳରେ ବରିଷ୍ଠ ନାଗରିକମାନଙ୍କର ଯତ୍ନ ନେଉଥିବା ସେବା ପ୍ରଦାନକାରୀ, ପ୍ରିପେଡ୍ ମୋବାଇଲ୍ ରିଚାର୍ଜ ଦୋକାନ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟଗୁଡ଼ିକୁ ମଧ୍ୟ କଟକଣାରୁ ମୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକର ମୁଖ୍ୟସଚିବମାନଙ୍କ ପାଖକୁ ଚିଠି ଲେଖି ଏ ସଂକ୍ରାନ୍ତରେ ଜଣାଇଛି। ମନ୍ତ୍ରଣାଳୟ କହିଛି ସହରାଞ୍ଚଳରେ ବ୍ରେଡ୍ ଫ୍ୟାକ୍ଟରୀ, ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା, ଅଟାକଳ ଓ ଡାଲି ମିଲ୍ଗୁଡ଼ିକୁ କଟକଣାରୁ ମୁକ୍ତ କରାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରମାନେ ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ଜଣାଇବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଥିବା ଚିଠିରେ ସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଦୋକାନ ଓ କାରଖାନାଗୁଡ଼ିକରେ ଶାରୀରିକ ଦୂରତ୍ୱ ବଜାୟ ରଖିବା ପ୍ରତି ଗୁରୁତ୍ୱ ଆରୋପ କରିଛି।



