ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣ(କୋଭିଡ୍-୧୯)କୁ ମୁକାବିଲା କରିବା ପାଇଁ ଓଡ଼ିଶା ସମେତ ସାରା ଦେଶରେ ଲକ୍ଡାଉନ୍ ସମୟରେ ଚଳିତ ରବିଧାନ ସଂଗ୍ରହ ଲାଗି ସାମାଜିକ ଦୂରତ୍ବ ଓ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାକୁ ଅନୁପାଳନ କରି ଧାନ ସଂଗ୍ରହ କରିବାକୁ ନିର୍ଦେଶ ଦିଆଯାଇବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। ତେବେ ରବିଧାନ ସଂଗ୍ରହ ପାଇଁ କ’ଣ ରହିଛି ସାମାଜିକ ଦୂରତ୍ବ ମାର୍ଗଦର୍ଶିକା ଚାଲନ୍ତୁ ଜାଣିବା..
୧. ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ପ୍ରଚଳନ କରାଯାଇଥିବା ଅନ୍ଲାଇନ୍ ଟୋକେନ୍ ବ୍ୟବସ୍ଥା ରବିଧାନ ସଂଗ୍ରହ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ ହେବ। ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଧାନ ସଂଗ୍ରହ କେନ୍ଦ୍ରରେ ସମସ୍ତ ଚାଷୀ, ପ୍ରାଥମିକ କୃଷି ସମବାୟ ସମିତିର ଅଧିକାରୀ, ମିଲର୍ କିମ୍ବା ସେମାନଙ୍କର ପ୍ରତିନିଧି ଏବଂ କାର୍ଯ୍ୟରତ ଶ୍ରମିକମାନେ କଡ଼ାକଡ଼ି ଭାବେ ଅନୁପାଳନ କରିବେ।
୨. ଗହଳି ଏଡ଼ାଇବା ପାଇଁ କୌଣସି କେନ୍ଦ୍ରରେ ଦୈନିକ ୩୦ଜଣୁ ଊଦ୍ଧ୍ୱର୍ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ ନାହିଁ। ଗୋଟିଏ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ୧୦ଜଣ ଚାଷୀ କେନ୍ଦ୍ରକୁ ଧାନ ନେଇ ଆସିବେ। ଆବଶ୍ୟକସ୍ଥଳେ ଅଧିକ ମଣ୍ଡି ଖୋଲା ଯାଇପାରିବ। ପ୍ରତ୍ୟେକଙ୍କ ବ୍ୟବହାର ନିମନ୍ତେ କେନ୍ଦ୍ରଗୁଡ଼ିକରେ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ ହେବ। ପ୍ରତ୍ୟେକ ଦିନ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଧାନ ସଂଗ୍ରହ କାର୍ଯ୍ୟ କରାଯିବ। କୌଣସି କ୍ଷେତ୍ରରେ ମଣ୍ଡିରେ ଗହଳି ହେବ ନାହିଁ। ଯଦି କୌଣସି କେନ୍ଦ୍ର ଗହଳି ଏଡ଼ାଇବାକୁ ବିଫଳ ହୁଏ ତେବେ ସେହି କେନ୍ଦ୍ରରେ ଧାନ ସଂଗ୍ରହ କରିବାକୁ ଅନୁମତି ଦିଆଯିବ ନାହିଁ। ଅପରାହ୍ଣରେ କଷ୍ଟମ୍ ମିଲର୍ମାନଙ୍କ ଦ୍ୱାରା ଧାନ ଉଠାଣ କରାଯିବ। ଚାଷୀମାନଙ୍କ କ୍ଷେତ୍ରରେ ଆଇରିସ୍ ସ୍କାନ୍ର ବ୍ୟବହାର ସମୟରେ ପ୍ରତ୍ୟେକ ଥର ଏହାକୁ ସାନିଟାଇଜ୍ କରାଯିବ। ଏଥି ନିମନ୍ତେ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରକୁ ପର୍ଯ୍ୟାପ୍ତ ପରିମାଣର ସାନିଟାଇଜ୍ ଯୋଗାଇ ଦିଆଯିବ।
୩. ଧାନ ସଂଗ୍ରହ କେନ୍ଦ୍ରରେ କେବଳ ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀ, ମିଲର୍ମାନଙ୍କ ପ୍ରତିନିଧି, କାର୍ଯ୍ୟରତ ଶ୍ରମିକ ଏବଂ ଗାଡ଼ିଚାଳନକ/ହେଲ୍ପର୍କୁ ପ୍ରବେଶର ଅନୁମତି ଦିଆଯିବ। ଅନ୍ୟ କୌଣସି ବ୍ୟକ୍ତି ଯଦି ମଣ୍ଡିରେ ପ୍ରବେଶ କରନ୍ତି ତେବେ ଜିଲା ପ୍ରଶାସନ କିମ୍ବା ପୋଲିସ ପ୍ରଶାସନକୁ ତୁରନ୍ତ ଜଣାଇବା ପାଇଁ ନିର୍ଦେଶ ଦିଆଯାଇଛିସ। ମଣ୍ଡିରେ ଜାରି କରାଯାଇଥିବା ମାର୍ଗଦର୍ଶିକା ଏବଂ ସାମାଜିକ ଦୂରତ୍ୱ ଅନୁପାଳନ ସମ୍ପର୍କରେ ସମବାୟ ବିଭାଗର ଡିଭିଜ୍ନାଲ୍ ରେଷ୍ଟିଷ୍ଟାର, ଆସିଷ୍ଟାଣ୍ଟ୍ ରେଜିଷ୍ଟ୍ରାର୍ ଏବଂ ଜିଲା ଯୋଗାଣ ଅଧିକାରୀ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିୟମିତ ତଦାରଖ କରିବା ପାଇଁ ନିର୍ଦେଶ ଦିଆଯାଇଛି।
୪. ସମସ୍ତ ପଞ୍ଜୀକୃତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ। କୋଭିଡ୍-୧୯ ଭଳି ଏକ ବିଶେଷ ପରିସ୍ଥିତିରେ ଚାଷୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଚାଷୀଙ୍କୁ ସେମାନଙ୍କ ଧାନ ବିକିବା ନିମନ୍ତେ ପାଳି ଆସିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧି ନଥିବା କିମ୍ବା ପାଟି ଓ ନାକ ଘୋଡ଼ାଇ ଆସିନଥିବା କୌଣସି ବ୍ୟକ୍ତିଙ୍କୁ ଧାନ ସଂଗ୍ରହ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବା ପାଇଁ ଦିଆଯିବ ନାହିଁ।
ଜାଣନ୍ତୁ କ’ଣ ରହିଛି ରବି ଧାନ ସଂଗ୍ରହ ପାଇଁ ସାମାଜିକ ଦୂରତ୍ୱ ମାର୍ଗଦର୍ଶିକା
Popular Categories



