ଭୁବନେଶ୍ବର : ରାଜ୍ୟରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ସମେତ ଅନ୍ୟ ପାରମାଡିକାଲ କର୍ମଚାରୀ ମାସରେ ୧୪ ଦିନ ସଂଗରୋଧରେ ରହିବେ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର କୋଭିଡ ହସ୍ପିଟାଲରେ ବ୍ୟବସ୍ଥା ହୋଇଛି। କରୋନା ରୋଗୀଙ୍କ ସଂପର୍କରେ ଆସୁଥିବା ଏହି ଡାକ୍ତର ଓ ନର୍ସ ତଥା ଅନ୍ୟ କର୍ମଚାରୀଙ୍କୁ ସଂକ୍ରମଣ ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଉଛି। ୧୪ ଦିନ ହସ୍ପିଟାଲରେ ରହି ଚିକିତ୍ସା କରୁଥିବା ସଂପୃକ୍ତ କର୍ମଚାରୀଙ୍କୁ ସମସ୍ତ ସୁରକ୍ଷା ସରଞ୍ଜାମ ଦିଆଯାଇଥିଲେ ମଧ୍ୟ ସଂକ୍ରମଣ ଆଶଙ୍କା ଥାଏ। ସେଥିପାଇଁ ସେମାନେ ଚିକିତ୍ସା କରିବା ପରେ ୧୪ ଦିନ ସେମାନଙ୍କୁ ସଂଗରୋଦ୍ଧ କରାଯାଇଥାଏ। ଏହା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରଯିବା ସହ ସେମାନଙ୍କ ପରିବାରକୁ ସୁରକ୍ଷା ଦିଆଯାଉଥିବା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର କରୋନା ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲର ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ଏବେ ୨୪ଟି କୋଭିଡ -୧୯ ହସ୍ପିଟାଲ ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରେ ୩୯୫୧ ଶଯ୍ୟା ଓ ୨୯୩ଟି ଆଇସିୟୁ ରହିଛି। ରାଜ୍ୟରେ ଏବେ କରୋନା ପରୀକ୍ଷା ବୃଦ୍ଧି ପାଉଥିବା ବେଳେ ଆକ୍ରାନ୍ତ ସଂଖ୍ୟା ସ୍ଥିର ରହିଛି।



