ବିବାଦରେ ଭଦ୍ରକ ପୁଲିସ – ଚର୍ଚ୍ଚାରେ ପୁଲିସ ଅଫିସରଙ୍କ ପୁଅ, ସ୍କର୍ପିଓ ଓ କୁକୁର

ଭଦ୍ରକ: ଜଣେ ମହିଳା ପୁଲିସ ଅଫିସରଙ୍କ ପୁଅ, ସ୍କର୍ପିଓ ଓ ତାଙ୍କ କଳା କୁକୁରକୁ ନେଇ ଏବେ ବିବାଦରେ ଭଦ୍ରକ ପୁଲିସ। ଏକ ସ୍କର୍ପିଓ ଗାଡିରେ ଭଦ୍ରକ ସହରରେ ନିଜ ସାଙ୍ଗମାନଙ୍କ ସହ ବୁଲୁଥିବା ଏହି ପୁଲିସ ଅଫିସରଙ୍କ ପୁଅକୁ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୮ଟା ୧୫ରେ ଅପର୍ତିବନ୍ଧା ଛକରେ ଠାବ କରିଥିଲେ ଛକରେ ନିୟୋଜିତ ପୁଲିସ କର୍ମଚାରୀ। ପରେ ପିସିଆର ଭ୍ୟାନ ଓ ଟାଉନ ପୁଲିସ ଗାଡି ପହଞ୍ଚି ସ୍କର୍ପିଓକୁ ଥାନାକୁ ଆଣିଥିଲେ। ତେବେ ବ୍ରାଉନ ସୁଗର ଜବତ ହେବା ନେଇ ଖବର ପ୍ରଚାର ହେବାରୁ ଗଣମାଧ୍ୟମ ପ୍ରତନିଧି ଥାନାରେ ପହଞ୍ଚିଲେ। ଏସପି ମହାଶୟ ମଧ୍ୟ ଥାନାକୁ ଆସିଲେ। ଏସଡିପିଓ ମଧ୍ୟ ଥାନାକୁ ଆସିଲେ। କିଛି ସମୟ ଆଲୋଚନା ଚାଲିଲା। ଟିଭି କ୍ୟାମରା ସାମ୍ନାରେ ଦୁଇଜଣ କନେଷ୍ଟବଳ ଗାଡିକୁ ଯାଞ୍ଚ କଲେ। ତା’ପରେ କୁହାଗଲା କାହିଁ କିଛି ନାହିଁ ତ? ହେଲେ ସାମ୍ବାଦକିମାନେ ଥାନା ଛାଡି ନଥିଲେ। ଶେଷରେ ନିଜେ ଏସଡିପିଓ କ୍ୟାମେରା ଆଗକୁ ଆସି ବୟାନ ରଖିଲେ। କହିଲେ; ଲକ୍‌ ଡାଉନ ନିୟମ ଭାଙ୍ଗିଛନ୍ତି ଏହି ଯୁବକମାନେ। ସେମାନଙ୍କ ବିରୋଧରେ ମାମଲା ରୁଜୁ ହେଲା। ବାସ! ତା’ପରେ ରାତିରେ ଥାନାରୁ ସାମ୍ବାଦିକଙ୍କ ଭିଡ ହଟିଲା; କିନ୍ତୁ ରାତି ତମାମ ସେହି ୪ ଯୁବକଙ୍କୁ ଥାନାରେ ରଖିବାର ବ୍ୟବସ୍ଥା ହୋଇଥିଲା। ବୁଧବାର ମଧ୍ୟାହ୍ନରେ ସେମାନଙ୍କୁ ଥାନାରୁ ଜାମିନରେ ଛଡାଗଲା। ତେବେ ସ୍କର୍ପିଓ ଗାଡିକୁ ଛଡାଯାଇନି। ଏବେ ଆସନ୍ତୁ ଜାଣିବା ଏହି ମାମଲାରେ ପୁଲିସ ନିଜଆଡୁ କେମିତି ଦ୍ୱନ୍ଦ୍ୱ ତିଆରି କରିଛି । ସ୍କର୍ପିଓ ଗାଡିରେ ଥିଲେ ଟାଉନ ଥାନାର ଜଣେ ପୂର୍ବତନ ମହିଳା ଅଫିସରଙ୍କ ପୁଅ। ନିକଟରେ ସେହି ମହିଳା ଅଫିସରଙ୍କର ମୟୂରଭଞ୍ଜ ଜିଲାକୁ ବଦଳି ହୋଇଛି। ଅଫିସରଙ୍କ ପୁଅ ନିଜର ଅନ୍ୟ ଦୁଇଜଣ ସାଙ୍ଗ ସହିତ କରଞ୍ଜିଆରୁ ଭଦ୍ରକ ଆସିଥିଲେ। ଡ୍ରାଇଭରକୁ ମିଶାଇ ସେମାନେ ଥିଲେ ୪ଜଣ। ଗାଡିରେ ଏକ କୁକୁର ମଧ୍ୟ ଥିଲା। ଲକ୍‌ ଡାଉନ ବେଳେ କରଞ୍ଜିଆରୁ ଭଦ୍ରକ ଆସିବା ଲାଗି ଏହି ଯୁବକଙ୍କୁ ସେଠାକାର ଏସଡିପିଓ ଲିଖିତ ଅନୁମତି ବି ଦେଇଛନ୍ତି। ଏ କଥା ଟାଉନ ଥାନା ଆଇଆଇସି ଯୋଗେନ୍ଦ୍ର ଘଡେଇ ଗଣମାଧ୍ୟମକୁ କହିଛନ୍ତି। ତାହାହେଲେ ଯୁବକମାନେ ଲକ୍‌ ଡାଉନ ନିୟମ କ’ଣ ଭାଙ୍ଗିଲେ? ଆଇଆଇସିଙ୍କ ଉତ୍ତର ହେଲା ୩ଜଣ ଆସିବା ଲାଗି ଅନୁମତି ଥିଲା, ଡ୍ରାଇଭରକୁ ମିଶାଇ ୪ଜଣ ଆସିଥିଲେ । ଏହି ଯୁବକମାନେ ଭଦ୍ରକ ଆସିଥିଲେ କାହିଁକି? ଆଇଆଇସିଙ୍କ ଉତ୍ତର ଥିଲା କୁକୁର ନେବାକୁ ଆସିଥିଲେ। କୁକୁର କେଉଁଠି ଥିଲା? ପୂର୍ବତନ ମହିଳା ଅଫିସରଙ୍କ କ୍ୱାର୍ଟରରେ ଥିଲା। ଏଠାରେ ଉଲ୍ଲେଖନୀୟ ଯେ ସମ୍ପୃକ୍ତ ମହିଳା ଅଫିସର ଏବେ ବି ଟାଉନ ଥାନା ପରିସରରେ ନିଜ କ୍ୱାର୍ଟର ଛାଡି ନାହାନ୍ତି। ସେହି କ୍ୱାର୍ଟରରେ ନିଜେ ନରହିଲେ ବି ତାଙ୍କର ସାନ ପୁଅ ଓ ଅନ୍ୟମାନେ ରହୁଛନ୍ତି। କୁକୁରଟି ସେହି କ୍ୱାର୍ଟରରେ ଥିଲା। କ୍ୱାର୍ଟରରେ ଥିବା କୁକୁରଟି ଗାଡିରୁ ମିଳିଲା ଅର୍ଥ; ସେହି ସ୍କର୍ପିଓ ଗାଡିଟି ପ୍ରଥମେ ଟାଉନ ଥାନା ପରିସରରେ ଥିବା କ୍ୱାର୍ଟରକୁ ଆସିଥିଲା। ଥାନା ପରିସରକୁ ଆସିଥିବା ଗାଡିଟି ଲକ୍‌ ଡାଉନ ନିୟମ ଭାଙ୍ଗି ନଥିଲା ହେଲେ ଅପର୍ତ୍ତିବିନ୍ଧା ଛକରେ ନିୟମ ଭାଙ୍ଗିଗଲା କେମିତି? ଏହା ଦ୍ୱନ୍ଦ୍ୱ ସୃଷ୍ଟି କରୁନାହିଁ କି? ଦ୍ୱିତୀୟତଃ ଜଣେ ମହିଳା ପୁଲିସ ଅଫିସରଙ୍କ ପୁଅ, ସାଥିରେ କରଞ୍ଜିଆ ଏସଡିପିଓଙ୍କ ଅନୁମତି ପତ୍ର ଆଣିଛନ୍ତି ତାଙ୍କୁ ପୁଣି ଆମ ପୁଲିସ ଲକ୍‌ ଡାଉନ ନିୟମ ଭାଙ୍ଗିବା ଅଭିଯୋଗରେ ଥାନାକୁ ଆଣିି କର୍ତ୍ତବ୍ୟ ପରାୟଣତାର ଶ୍ରେଷ୍ଠତା ପ୍ରଦର୍ଶନ କରିବାଟାକୁ ସହଜରେ ହଜମ କରିପାରୁ ନାହାନ୍ତି ଜାଣିବା ଶୁଣିବା ମହଲ। ପ୍ରକୃତରେ ଅପର୍ତ୍ତିବିନ୍ଧା ଛକରେ କ’ଣ ଘଟିଥିଲା, କାହିଁକି ବ୍ରାଉନ ସୁଗର କଥା ଉଠିଲା ତା’ର ଗୁମର ପୁଲିସକୁ ଜଣା ; କିନ୍ତୁ ଏକଥା ଉଲ୍ଲେଖ କରାଯାଇପାରେ ଯେ ଅପର୍ତ୍ତିବିନ୍ଧା ଛକରେ ପୂର୍ବରୁ ବ୍ରାଉନସୁଗର କାରବାର ହେଉଥିବାର ନଜିର ରହିିଛି। ପୂର୍ବରୁ ପୁଲିସ ଓ ଅବକାରୀ ବିଭାଗ ଏହି ଛକରୁ ଏକାଧିକବାର ବ୍ରାଉନସୁଗର ଜବତ କରିଛି। ମହିଳା ଅଫିସର ଭଦ୍ରକରେ ଥିବା ବେଳେ ତାଙ୍କ ପୁଅକୁ ନେଇ ମଧ୍ୟ ବିଭିିନ୍ନ ସମୟରେ ଚର୍ଚ୍ଚା ହେଉଥିଲା ଓ ଏ ବାବଦରେ ବରିଷ୍ଠ ଅଧିକାରୀମାନେ ସବୁକିଛି ଜାଣିଥିଲେ। ମଙ୍ଗଳାବାର ରାତିରେ ଥାନାକୁ ଅଣାଯାଇଥିବା ଯୁବକମାନେ କେଉଁ ଅବସ୍ଥାରେ ଥିଲେ ତାହା ପୁଲିସ ଅଫିସର ଓ ଗଣମାଧ୍ୟମ ପ୍ରତିନିିଧି ଆଖିରେ ଦେଖିଛନ୍ତି। ପୁଣି ଥାନାରୁ ଜାମିନରେ ଛାଡିବା ଭଳି ମାମଲା ଥାନାରେ ରୁଜୁ ହୋଇଥିବା ବେଳେ କେଉଁ ପରିସ୍ଥିତିରେ କାହାର ହିତ ପାଇଁ ଯୁବକମାନଙ୍କୁ ରାତିତମାମ ଥାନାରେ ରହିବାର ବ୍ୟବସ୍ଥା କରାଗଲା ନା ଅଟକ ରଖାଯାଇଥିଲା ତା’ପଛର ରହସ୍ୟ ମଧ୍ୟ ପୁଲିସକୁ ଜଣାଥିବ। ଏପରିସ୍ଥଳେ ପୁଲିସ ମହାନିର୍ଦ୍ଦେଶକ ଘଟଣାରେ ହସ୍ତକ୍ଷେପ କରି ସମୁଦାୟ ଘଟଣାର ରହସ୍ୟ ଉନ୍ମୋଚନ ଲାଗି ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମତ ରଖିଛନ୍ତି।

Comments are closed.