www.samajalive.in
Saturday, December 13, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ କୁକୁଡ଼ା ଚାଷୀଙ୍କ ଗୁହାରୀ: ’ଆମକୁ ବଞ୍ଚାଅ’

ଭୁବନେଶ୍ବର (ବ୍ୟୁରୋ) କରୋନା ଯୋଗୁଁ କୁକୁଡ଼ା ଚାଷୀ ବିପୁଳ କ୍ଷତି ସହିଲେଣି । ନା ଅଣ୍ଡା ବିକ୍ରି ହେଉଛି, ନା କୁକୁଡ଼ା ମାଂସ । ସ୍କୁଲ ବନ୍ଦ ଯୋଗୁଁ ଯୋଗାଣ ହେଉଥିବା ଅଣ୍ଡା ମଧ୍ୟ ବିକ୍ରି ହୋଇ ପାରୁନାହିଁ । ତେଣୁ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କୁକୁଡ଼ା ଚାଷୀ ସଂଘ ନେତା ମାନସ ମଙ୍ଗରାଜ । ଅଲ ଓଡିଶା ଲେୟାର ଫାମର୍ସ ଆସୋସିଏସନର ଅଧ୍ୟକ୍ଷ ଶ୍ରୀ ମଙ୍ଗରାଜ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ସେ ଲେଖିଛନ୍ତି ଯେ ରାଜ୍ୟକୁ ଅଣ୍ଡା ଓ କୁକୁଡା ମାଂସ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବାପାଇଁ ସରକାର ଆହ୍ୱାନ ଦେବା ପରେ  କୁକୁଡା ଶିଳ୍ପରେ ଅନେକ ଯୁବ ଉଦ୍ୟୋଗୀ ପୁଞ୍ଜି ଖଟାଇଥିଲେ ।  ମାତ୍ର ୪ବର୍ଷ ମଧ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ଦୁଇଗୁଣା ହୋଇଥିଲା।  ୨୦୧୫ ମସିହାରେ ରାଜ୍ୟରୁ ଦୈନିକ ୪୫ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବାବେଳେ ୨୦୨୦ ବେଳକୁ ତାହା ୬୫ଲକ୍ଷରେ ପହଞ୍ଚିଥିଲା । ଏହି କ୍ଷେତ୍ରରୁ ସରକାର ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି । ସେହଭଳି ଅଣ୍ଡା ଉତ୍ପାଦନରେ ରାଜ୍ୟର ପ୍ରାୟ ୨୦ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମସଂସ୍ଥାନ ପାଇଥିବାବେଳେ ଚନ୍ଦ୍ରଗିରି ସମେତ ଗଞ୍ଜାମ, ଉମରକୋଟ ଓ ନବରଙ୍ଗପୁର ଜିଲ୍ଲାର ଉତ୍ପାଦିତ ୯୦ ପ୍ରତିଶତ ମକା କୁକୁଡାଶିଳ୍ପ ଦାନା ଭାବେ ବ୍ୟବହାର ହେଉଛି । ଏଥିଯୋର୍ଗୁ ରାଜ୍ୟରେ ଗତ ୫ବର୍ଷ ଭିତରେ ମକା ଉତ୍ପାଦନ ୪୦ ପ୍ରତିଶତ ବଢିଛି ଯାହାକି ସେହିସବୁ ଅଞ୍ଚଳର ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି ।

- Advertisement -

ବର୍ତ୍ତମାନ ରାଜ୍ୟରେ ଅଣ୍ଡା ବ୍ୟବହାର ଆଶାତୀତ ଭାବେ ହ୍ରାସ ପାଇଥିବାବେଳେ ଅଣ୍ଡା ଉତ୍ପାଦନ କରୁଥିବା ଉଦ୍ୟୋଗୀମାନେ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ବିଶେଷକରି  କରୋନା ସଂକ୍ରମଣକୁ ନେଇ ଗୁଜବ ଯୋଗୁଁ ଲୋକେ ଭୟରେ ଅଣ୍ଡା ଖାଉ ନାହାନ୍ତି । ସେହିଭଳି ବିଦ୍ୟାଳୟ ଗୁଡିକ ବନ୍ଦ ଯୋଗୁଁ ମଧ୍ୟାହ୍ନଭୋଜନ ଓ ସ୍ୱତନ୍ତ୍ର ପୁଷ୍ଟିକର ଯୋଜନା (ଏସ୍‍ଏନ୍‍ପି) ରେ ମଧ୍ୟ ଅଣ୍ଡା ଯୋଗାଣ ବାଧାପ୍ରାପ୍ତ ହୋଇଛି । ସମଗ୍ର ଦେଶରେ ଲକ୍‍ଡାଉନ୍‍ ଜାରି ହୋଇଥିବାରୁ ବଜାର ବନ୍ଦ ସହିତ ଅଣ୍ଡା ପରିବହନ ମଧ୍ୟ ବନ୍ଦ ରହିଛି ।

ଗତବର୍ଷ ବାତ୍ୟା ଫନି, ଏହା ପରେ ବାର୍ଡ ଫ୍ଲ୍ୟୁ ଓ ଏବେ କରୋନା  କୁକୁଡାଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ।  ରାଜ୍ୟର ପାଖାପାଖି ୧୨ଟି ଅଣ୍ଡା ଉତ୍ପାଦନକାରୀ ଫାର୍ମ ଆର୍ଥିକ ସଙ୍କଟରୁ ବନ୍ଦହେବାକୁ ବସିଲାଣି । ଋଣ ବୋଝ ଯୋଗୁଁ ବହୁ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଉଥିବା ଏହି ସଂସ୍ଥାରେ ତାଲା ଝୁଲିବା ପୂର୍ବରୁ ଏହାକୁ ଚଳାଇ ରଖିବାପାଇଁ ସରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମଙ୍ଗରାଜ ଅନୁରୋଧ କରିବା ସହ କେତେକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।

  • କୁକୁଡା ଚାଷ ପାଇଁ ହୋଇଥିବା ସମସ୍ତ ପ୍ରକାର ଋଣ ଉପରେ ୫ ପ୍ରତିଶତ ସୁଧ ରିହାତି
  • ଋଣ ପରିଶୋଧକୁ ଏକ ବର୍ଷ ସ୍ଥଗିତ ରଖି  ମୂଳ ପୁଞ୍ଜି ପାଇଁ ହୋଇଥିବା ଋଣକୁ ଟର୍ମ ଲୋନ୍ ପରିବର୍ତ୍ତନ
  • ଫାର୍ମ ଚଳାଇ ରଖିବାଲାଗି ଚାଷୀମାନଙ୍କୁ ଆବଶ୍ୟକ ମୂଳଧନ ପାଇଁ ଋଣ ପ୍ରଦାନ
  • ରାଜ୍ୟରେ ଥିବା ସମସ୍ତ ପ୍ରକାର କୁକୁଡା ଶିଳ୍ପ (ଲେୟାର ଏବଂ ବ୍ରଏଲର) କୁ ଆର୍ଥିକ ସହାୟତା ପ୍ୟାକେଜ ପ୍ରଦାନ
  •  କୁକୁଡା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କଞ୍ଚାମାଲ ଉପରୁ ଜିଏସ୍‍ ଛାଡ

ଏହାବ୍ୟତୀତ  ମଧ୍ୟାହ୍ନଭୋଜନ ଓ ଏସ୍‍ଏନ୍‍ପି ଭଳି ଅନ୍ୟାନ୍ୟ ସରକାରୀ ଯୋଜନାରେ ଅଣ୍ଡା ଯୋଗାଣ ପାଇଁ ଅନୁମତି ଦେବା ସହିତ ସ୍କୁଲର ଛୁଟିରେ ପିଲାଙ୍କୁ ଅଣ୍ଡା ଯୋଗାଣ କରାଯାଉ । ଏହା ଦ୍ୱାରା ଗତ କିଛି ଦିନ ହେଲା କୁକୁଡାଚାଷୀମାନେ ଯେଭଳି କମ୍‍ ଦରରେ ଅଣ୍ଡା ବିକ୍ରି କରି ଅଧିକ ଦରରେ ଦାନା କିଣି ବ୍ୟାପକ କ୍ଷତି ସହୁଛନ୍ତି ସେମାନଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

Hot this week

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

Related Articles

Popular Categories