ନୂଆଦିଲ୍ଲୀ: ଆଜି କରୋନା ମୁକାବିଲା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ୨୪ ଘଣ୍ଟା ଉପଲବ୍ଧ ଅଛି। ଆପଣମାନେ ଯେ କୌଣସି ସମୟରେ ମୋତେ ପରାମର୍ଶ ଦେଇପାରିବେ। ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ଓ ରାଜ୍ୟକୁ କାନ୍ଧକୁ କାନ୍ଧ ମିଶାଇ କରୋନା ବିରୋଧରେ ଲଢ଼େଇ କରିବାକୁ ପଡିବ ।
ଆଜିର ଭିଡିଓ କନଫରେନ୍ସ ବୈଠକ ସମୟରେ ମୁଖ୍ୟମନ୍ତ୍ରୀମାନଙ୍କର ଅନେକ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଘୋଷଣା କରିଥିବା ପ୍ରଥମ ଲକଡାଉନ୍ ଅବଧି ଏପ୍ରିଲ ୧୪ରେ ଶେଷ ହେଉଛି । ଏଣୁ ଆଉ ତିନି ସପ୍ତାହ ଲକଡାଉନ୍ ବଢ଼ାଇବାକୁ ଆଲୋଚନାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲକ୍ଡାଉନ୍କୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବା ଉଚିତ ବୋଲି କହିଛନ୍ତି। ଏହି ନିଷ୍ପତ୍ତି ରାଷ୍ଟ୍ରୀୟ ସ୍ତରରେ ହେବା ଦରକାର । ରାଜ୍ୟସ୍ତରରେ ନିଷ୍ପତ୍ତି ନେଲେ ପ୍ରଭାବଶାଳୀ ହୋଇନପାରେ ବୋଲି କହିଛନ୍ତି କେଜରିୱାଲ । ସେହିପରି ଟ୍ରେନ୍, ବିମାନ କିମ୍ବା ଅନ୍ୟ କୌଣସି ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ରୋକ୍ ଲଗାଯିବା ଦରକାର ବୋଲି କେଜରିୱାଲ କହିଛନ୍ତି।
୩ ଦିନ ତଳେ ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ସମ୍ପର୍କରେ ସବୁ ଦଳର ସାଂସଦଙ୍କ ସହ ଆଲୋଚନା କରିଥିଲେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଓ ବିଭିନ୍ନ ରାଜ୍ୟ ପକ୍ଷରୁ ଲକଡାଉନ ଅବଧି ବୃଦ୍ଧି ନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ଉତ୍ତପ୍ରଦେଶ ଓ ଛତିଶଗଡ ସରକାରଙ୍କ ପକ୍ଷରୁ ମଧ୍ୟ ଲକଡାଉନ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ମିଳିଥିଲା । ତାହା ପୂର୍ବରୁ ଗୁରୁବାରଠାରୁ ପ୍ରଥମେ ଓଡିଶା ଏବଂ ପରେ ପଞ୍ଜାବ, ରାଜସ୍ଥାନ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବଢ଼ାଇଛନ୍ତି।



