ନଈରେ କୁମ୍ଭୀର କୂଳରେ ବାଘ

ଜୀବନ ରକ୍ଷା ପାଇଁ ଜୀବନ ନ’ଯାଉ

ଔଷଧ ଓ ପ୍ରତିକାର ନଥିବା କରୋନା ଭଳି ଏକ ମହାମାରୀ ବିରୋଧରେ ଭାରତ ସହ ସମଗ୍ର ବିଶ୍ବ ଲ​‌େ​‌ଢ଼ଇ କରୁଛି। ସଂକ୍ରମଣ ରୋକିବାକୁ ସାମାଜିକ ଦୂରତ୍ବ ରକ୍ଷା ଏକମାତ୍ର ବିକଳ୍ପ ହୋଇଥିବାରୁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ବଢ଼ାଇବା ପାଇଁ ବିଭିନ୍ନ ରାଜ୍ୟ ସରକାର ଚାପ ପକାଉଛନ୍ତି। କେତେକ ମଧ୍ୟ ଏହାର ସୀମିତ ପ୍ରୟୋଗ ସପକ୍ଷରେ ଅଛନ୍ତି। ଓଡ଼ିଶା ଏ କ୍ଷେତ୍ରରେ ପ୍ରଥମ ରାଜ୍ୟ ଭାବେ ଏହି ସମୟ ସୀମାକୁ ଏପ୍ରିଲ ୩୦ଯାଏ ବଢ଼ାଇ ଦେଇଛି। କରୋନା ମହାମାରୀ ଏକ ବିଚିତ୍ର ଚିକିତ୍ସାହୀନ ବ୍ୟାଧି ହୋଇଥିବାରୁ ଅସ୍ବାଭାବିକ ଅବସ୍ଥା ସୃଷ୍ଟି କରିଛି। ଏକଶହ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ମହାମାରୀ ଆଇନ ସମେତ କେତେକ ଅତିରିକ୍ତ ଆଇନକୁ ଲାଗୁ କରି ଏହି ଲକ୍‌ଡାଉନ୍‌କୁ ସଫଳ କରିବାକୁ ଉଦ୍ୟମ କରାଯାଉଛି। ଏଭଳି ଆଇନ ଲାଗୁ ହେଲେ ପୁଲିସ ଓ ପ୍ରଶାସନକୁ ବିପୁଳ କ୍ଷମତା ମିଳିଥାଏ; କିନ୍ତୁ ଏହି ଆଇନ କେଉଁଠି ନାଗରିକ ବା ବ୍ୟକ୍ତିବି​‌େ​‌ଶଷକୁ ହଇରାଣ ହରକତ କରିବାକୁ କହିନାହିଁ। ଗୋଟିଏ ମହାମାରୀ ଯାହାର ଇଲାଜ ନାହିଁ ତାକୁ ରୋକିବାକୁ ୧୩୦ କୋଟି ଭାରତବାସୀଙ୍କୁ କେତେ କାଳ ଜବରଦସ୍ତ ଆଇନର ଲାଲ ଆଖି ଓ ପୁଲିସର ଲାଠି ଦେଖାଇ ଘର ଭିତରେ ଅଟକାଇ ରଖାଯାଇପାରିବ? ଏହି ପ୍ରକ୍ରିୟା କେତେ କାଳ ଚାଲିବ ତାହା ଚିକିତ୍ସା ବିଶାରଦ ମଧ୍ୟ ନିର୍ଦିଷ୍ଟ ଭାବେ କହି ପାରୁନାହାନ୍ତି। ସେମାନଙ୍କ ଅନୁମାନ ମୁତାବକ ଅତି କମ୍‌ରେ ତିନିରୁ ଚାରିମାସ। ତା’ର ଅର୍ଥ ସାରାଭାରତ କ’ଣ ଆହୁରି ଏତେ ସମୟ ବନ୍ଦ ହୋଇରହିବ। ଲକ୍‌ଡାଉନ୍‌ ନିଷ୍ପତ୍ତି ରାଜନୈତିକ ଓ ସରକାରୀ। ଏହାର ସୁପାରିସ ଚିକିତ୍ସକ ଓ ବିଶେଷଜ୍ଞଙ୍କର। ନିଷ୍ପତ୍ତି ଅତ୍ୟନ୍ତ କଠୋର ଓ ଜନବିରୋଧୀ ହୋଇଥିଲେ ହେଁ ମୃତ୍ୟୁର ଭୟ ଦେଖାଇ ମହାମାରୀର ଆତଙ୍କକୁ ଉଦାହରଣ ରୂପେ ଉପସ୍ଥାପିତ କରି ଜନସ୍ବାର୍ଥ ନିମନ୍ତେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ତାଲା ବନ୍ଦ ଭିତରେ ଥିବା ମଣିଷ ଧରି ନେଲେଣି ‘ନଈରେ କୁମ୍ଭୀର କୂଳରେ ବାଘ’। ଘରୁ ବାହାରିଲେ ମରିବେ, ରହିଲେ ମଧ୍ୟ ମରିବେ। ଜୀବନର କି ଭୟଙ୍କର କ୍ଷଣ ୟେ ସତରେ!
ବଞ୍ଚିବା ପାଇଁ ମଣିଷର ସର୍ବନିମ୍ନ ମୌଳିକ ଆବଶ୍ୟକତା ରହିଛି। ତା’କୁ ସଂଗ୍ରହ କରିବାକୁ ହେବ। ଯେଉଁମାନେ ସରକାରୀ ନିର୍ଦେଶକାଳରେ ତାଲାବନ୍ଦ ଜୀବନ କଟାଉଛନ୍ତି ସେମାନଙ୍କର ସୁବିଧାରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାର ଅଧିକାର ରହିଛି। ଏହା ସହିତ ଜୀବନଧାରଣର ସାମ୍ବିଧାନିକ ମୌଳିକତା ଓ ମାନବିକତା ଜଡ଼ିତ। ଲୋକେ ବୁଝୁଛନ୍ତି ଯେ ଏଭଳି ଏକ ଅସ୍ବାଭାବିକ ଓ ଅତି ଆହ୍ବାନମୂଳକ ପରିସ୍ଥିତିରେ ସରକାର ଲୋକଙ୍କ ସବୁ ମୌଳିକ ଆବଶ୍ୟକତା ପୂରଣ କରିପାରିବେ ନାହିଁ। ଲୋକେ ଆହୁରି ବୁଝୁଛନ୍ତି ଯେ ରାଜ୍ୟ ସରକାରମାନେ ମହାମାରୀ ଜନିତ ନାନାବିଧ ସମସ୍ୟା ନେଇ ବାଉଳା। ଧନବଳ, ଲୋକବଳ, ସମ୍ବଳ, ଚିକିତ୍ସା ଭିତ୍ତିଭୂମି, ମୌଳିକ ସେବା ଯୋଗାଣ ଆଦିର ଅଭାବ ସବୁ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ। ସମନ୍ବୟର ଅଭାବ ତ ରହିବ; କାରଣ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନର କ୍ଷମତା, ଦକ୍ଷତା, ଉପାୟ, ସାଧନ ଓ ପହଞ୍ଚ ଯଥେଷ୍ଟ ନୁହେଁ ଏବଂ କରୋନା ଭଳି ସ୍ଥିତିରେ ଅସମ୍ଭବ ମଧ୍ୟ। ତେଣୁ ଏ କ୍ଷେତ୍ରରେ ରଣକୌଶଳ ଓ ଦୂରଦୃଷ୍ଟିର ଆବଶ୍ୟକତା ଅଧିକ। ଏଠି ଠେଙ୍ଗାପାହାର, ତାଲାବନ୍ଦ, ମୁହଁବନ୍ଦ ତଥ୍ୟ ଚାପିଦେବା ଆଦି କେବଳ ହୁଙ୍କାପିଟା ବିଚାର।
ସ୍ବାସ୍ଥ୍ୟସେବା ରାଜ୍ୟ ତାଲିକାର ବିଷୟ। କେନ୍ଦ୍ର ଏ କ୍ଷେତ୍ରରେ କେବଳ ମାର୍ଗଦର୍ଶନ ଦେବ ଏବଂ ଅର୍ଥ ତଥା ଅନ୍ୟାନ୍ୟ ସାମଗ୍ରୀ ଯୋଗାଣରେ ସହାୟତାକାରୀ ବା ଫାସିଲିଟେଟର କାମ କରିବ। ଓଡ଼ିଶା ହେଉ କିମ୍ବା ଅନ୍ୟ ପ୍ରଦେଶର ଯେଉଁ ଜିଲାରେ କରୋନା ସଂକ୍ରମଣ ଘଟଣା ନାହିଁ କିମ୍ବା ନଗଣ୍ୟ ସେସବୁ ଜିଲାକୁ ବଡ଼ବଡ଼ ଜନବହୁଳ ସହରଭଳି ତାଲାବନ୍ଦ କରି ରଖିବାର କି ଆବଶ୍ୟକତା ରହିଛି। ଓଡ଼ିଶା ସରକାର ଏବେ କହୁଛନ୍ତି ଯେ ଗ୍ରାମ୍ୟରୋଜଗାର ଯୋଜନା ଓ କୃଷିକାର୍ଯ୍ୟ ଚାଲିବ। ପାଞ୍ଚଲୋକ ଏକାଠି ହେଲେ ସଂକ୍ରମଣ ବ୍ୟାପିପାରେ। ତଥାପି ଯଦି କୃଷି କାର୍ଯ୍ୟ ଓ ଗ୍ରାମ୍ୟଶ୍ରମିକଙ୍କ ପାଇଁ ରୋଜଗାର ଯୋଗାଣ କାମ ଚାଲିବ ତେବେ ଗ୍ରାମାଞ୍ଚଳରୁ ଲକ୍‌ଡାଉନ୍‌କୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯିବା ଉଚିତ।
ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ କରୋନା ଏବେ ଦେଶରେ ସାମାଜିକ ଜରୁରୀ ଅବସ୍ଥା ସୃଷ୍ଟି କରିଛି। ବାସ୍ତବରେ ଏହା ରାଜନୈତିକ, ଆର୍ଥିକ ଓ ସ୍ବାସ୍ଥ୍ୟଗତ ଜରୁରୀ ଅବସ୍ଥା ସୃଷ୍ଟି କରିଛି ଏବଂ ସରକାର ତାହା ବୁଝୁଥିଲେ ମଧ୍ୟ ଖୋଲିକରି କହିପାରୁନାହାନ୍ତି। ଦେଶର ଅର୍ଥନୀତି ଉପରେ ଏହି ମହାମାରୀର ଯେଉଁ ପ୍ରଚଣ୍ଡ ପ୍ରଭାବ ପଡ଼ିବ ସେଥିପାଇଁ ସରକାର ଅବଶ୍ୟ ତତ୍ପର ହୋଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ହେଲେ କରୋନା ଫାଶରୁ ଦେଶ ମୁକୁଳିଲେ ସିନା ! ଯେ ପର୍ଯ୍ୟନ୍ତ ଏ ମହାମାରୀ ଦୂର ନ’ହୋଇଛି ସେ ଯାଏ କିଛି କହିହେବ ନାହିଁ। ଆମେ ଯେତେ ସତର୍କ ରହିଲେ ମଧ୍ୟ ସଂଯୋଗ ଓ ସ୍ପର୍ଶଚକ୍ରରେ ସାମଗ୍ରୀ ମାଧ୍ୟମରେ ଆମ ଘରକୁ କରୋନା ଭୂତାଣୁର ପ୍ରବେଶ ରୋକିବା ସମ୍ଭବ ନୁହେଁ।
ଏଇ ମହାମାରୀ ସମୟରେ କେତେକ ଅସ୍ବାଭାବିକ କଥା ଦେଖିବାକୁ ମିଳିଛି। ଗଣତନ୍ତ୍ରରେ କେବଳ କାର୍ଯ୍ୟନିର୍ବାହୀ ସକ୍ରିୟ ଓ ଆଉ ସବୁ ଅଙ୍ଗ ଏକ ପ୍ରକାର ନିଷ୍କ୍ରିୟ। ସଂକ୍ରମଣ ଭୟରେ ବିଧାନପାଳିକା ବନ୍ଦ। କାର୍ଯ୍ୟପାଳିକା ଏକାନ୍ତବାସ ବା ସଂଗରୋଧ ଅବସ୍ଥାରେ ଅଥବା ସାମାଜିକ ଦୂରତ୍ବରେ ରହି ହୁକୁମ୍‌ କଷୁଛି। ନ୍ୟାୟପାଳିକା ପରିସ୍ଥିତିର ସମ୍ବେଦନଶୀଳତାକୁ ଦେଖି ନିଜକୁ ଯଥେଷ୍ଟ ଜାହିର କରିପାରୁନାହିଁ। ଚିକିତ୍ସକଙ୍କ ଚିକିତ୍ସା ଅପେକ୍ଷା ଆଇନଶୃଙ୍ଖଳା ରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ଦଣ୍ଡାଧରି ରାସ୍ତାଘାଟରେ ଲୋକଙ୍କ ଉପରେ ପ୍ରତିଷେଧମୂଳକ ଇଲାଜ ଅଧିକ କରି ଗଳଦ୍‌ଘର୍ମ ହେଉଛନ୍ତି। ପରିଶେଷରେ ସମ୍ବିଧାନର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ସରକାରଙ୍କୁ, କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନପଚାରିବାର ଅଧିକାର ହରାଇ ଅନ୍ଧାରରେ ବାଡ଼ି ବୁଲାଇବା ଅପେକ୍ଷା ଜନସଚେତନତା ସୃଷ୍ଟି ଆଳରେ ତଥାକଥିତ ଅମାନିଆଙ୍କ କଥା ଅଧିକ କହୁଛନ୍ତି କିମ୍ବା ଶାସକ ଓ ଶାସନର ସ୍ତୁତିଗାନ କରୁଛି। ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ଅବସ୍ଥା ସମୟରେ ଗଣମାଧ୍ୟମ ଯେପରି ତାହାର ସ୍ବାଧୀନତା ହରାଇଥିଲା ଏବେ କରୋନା ମହାମାରୀ ତାହାକୁ ଅନେକାଂଶରେ ପୁନଃ ସ୍ଥାପିତ କରିଛି। ମହାମାରୀ ଆଇନ ଅନୁସା‌େ‌ର ସର୍ବସାଧାରଣ ସ୍ବାର୍ଥ ଜଡ଼ିତ କୌଣସି ଖବର ପ୍ରକାଶ କରିବାବେଳେ କର୍ତ୍ତୃପକ୍ଷଙ୍କୁ ପଚାରିବାକୁ ପଡ଼ୁଛି ଏବଂ କର୍ତ୍ତୃପକ୍ଷ ଜନସ୍ବାର୍ଥ ଓ ବ୍ୟାବହାରିକ ଦୃଷ୍ଟିରୁ ଯାହା ସମ୍ଭବ ସେତିକି କହିବେ ଅଧିକ କିଛି ସୂଚନା ବା ସ୍ପଷ୍ଟୀକରଣ ଦେବେନାହିଁ। ଖବରର ସମୀକ୍ଷା ହେବନାହିଁ। ବାସ୍ତବରେ କରୋନା ମହାମାରୀ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା, ବ୍ୟକ୍ତି ସ୍ବାଧୀନତା ଓ ନାଗରିକ ଜୀବନର ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାସ୍ତବିକ ସମୟ ବଡ଼ ବଳବାନ ଆଉ ତା’ ପାଖରେ ସବୁ ତୁଚ୍ଛ। ଲକ୍‌ଡାଉନ୍‌ ରହୁ କିନ୍ତୁ ତା’ ସହିତ ମଣିଷକୁ ମଣିଷ ଭଳି ବଞ୍ଚିବାକୁ ସର୍ବନିମ୍ନ ସୁବିଧା ଯୋଗାଣ ନିଶ୍ଚିତ ହେଉ। ଅଧିକ ଲୋକଙ୍କୁ ବଞ୍ଚାଇବାକୁ ଯାଇ ସମସ୍ତଙ୍କୁ ମାରିଦେବା ଭଳି ପରିସ୍ଥିତି ସୃଷ୍ଟି କରାନଯାଉ।

kalyan agarbati

Comments are closed.