ନୂଆଦିଲ୍ଲୀ : କରୋନା ସଂକ୍ରମଣ ବୃଦ୍ଧି ପାଇଁ ଦୁଇ ଦିନ ହେଲା ସର୍ବାଧିକ ଚର୍ଚ୍ଚାରେ ଥିବା ନିଜାମୁଦ୍ଦିନ ମରକଜ (ମସ୍ଜିଦ) ତାବଲିଗି ଜମାତ୍ରୁ ଗତ ୩୬ ଘଣ୍ଟା ମଧ୍ୟରେ ୨୩୬୧ ଜଣଙ୍କୁ ବାହାର କରାଯାଇଛି। ସେମାନଙ୍କ ମଧ୍ୟରୁ ୬୧୭ଜଣଙ୍କଠାରେ କରୋନା ଲକ୍ଷଣ ଠାବ କରିବା ପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ପ୍ରଶାସନ, ଡାକ୍ତରୀ ଦଳ, ପୁଲିସ ଓ ପରିବହନ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ ମସ୍ଜିଦରୁ ବାହାର କରିବାରେ ନାକେଦମ୍ ହୋଇଛନ୍ତି। ମସ୍ଜିଦରୁ ବାହାର କରାଯାଇଥିବା ଲୋକଙ୍କ ମଧ୍ୟରୁ ୨୪ଜଣ ଗତ ୩୬ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷରେ ମସ୍ଜିଦର ମୌଲବୀ ସାଦ୍ଙ୍କ ସମେତ କର୍ମକର୍ତ୍ତା ଡଃ ଜିସାନ୍, ମୁଫ୍ତି ସେହଜାଦ, ଏମ୍ ସୈଫି, ୟୁନୁସ ଓ ମହମ୍ମଦ ସଲମାନଙ୍କ ବିରୋଧରେ ଏତଲା ଦାୟର କରାଯାଇଛି। ମୌଲବୀ ସାଦ୍ ଫେରାର ଥିବାବେଳେ ପୁଲିସ ତାଙ୍କୁ ଖୋଜୁଛି। ଏଥିସହିତ ଯଦି କୌଣସି ସ୍ଥାନୀୟ ଜନତା ମସ୍ଜିଦରେ ଆୟୋଜିତ ସମାବେଶ ସଂସ୍ପର୍ଶରେ ଆସିଥାଆନ୍ତି ସେମାନେ ନିଜ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା କରାଇନେବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିବା କହିଛନ୍ତି ସିସୋଦିଆ। ସେହିଭଳି ଦିଲ୍ଲୀ ପୁଲିସକୁ ସରକାର ୧୪ହଜାର ୩୪୫ ଫୋନ୍ ନମ୍ବର ଦେଇଛନ୍ତି ଓ ଏହି ନମ୍ବରଧାରୀଙ୍କୁ ଠାବ କରିବା ପାଇଁ କହିଛନ୍ତି । କ୍ବାରେଣ୍ଟାଇନରେ ଥିବା ଲୋକଙ୍କୁ ଠାବ କରିବା ପାଇଁ ଏହିତ ପଦକ୍ଷେପ ନିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।
ସୂଚନାନୁଯାୟୀ, ମସ୍ଜିଦ ପରିସର ଖାଲି କରିବାରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡୋଭାଲ ମସ୍ଜିଦ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା ପରେ ସେମାନେ ସହଯୋଗ କରିଥିଲେ ଓ ତୁରନ୍ତ ପରିସରରୁ ସମସ୍ତଙ୍କୁ ବାହାର କରିବା ସମ୍ଭବ ହୋଇଥିଲା। ଏହି ପରିପ୍ରେକ୍ଷୀରେ ନିଜାମୁଦ୍ଦିନରୁ ବିଭିନ୍ନ ସ୍ଥାନକୁ ଯାଇଥିବା ଲୋକଙ୍କୁ ଖୋଜିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। କ୍ୟାବିନେଟ ସଚିବ ରାଜୀବ ଗୌବା ବୁଧବାର ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ମୁଖ୍ୟମାନଙ୍କ ସହ ଆଲୋଚନା କରିବା ଅବସରରେ ଏହି ନିର୍ଦେଶ ଦେଇଛନ୍ତି। ଯୁଦ୍ଧକାଳୀନଭିତ୍ତିରେ ସମସ୍ତଙ୍କୁ ଠାବ କରିବା ସହ ବିଦେଶୀଙ୍କ ଭିସା ଆଇନ ଉଲ୍ଲଙ୍ଘନ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଜାନୁଆରୀରୁ ଅଦ୍ୟାବଧି ଭାରତ ଆସିଥିବା ୭୦ ଦେଶର ୨୧୦୦ ବିଦେଶୀ ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇଥିବା ଗୌବା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ବିଦେଶୀମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ କୁହାଯାଇଛି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଦେଶରେ ମୋଟ ୨୧୩୭ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ବିଭିନ୍ନ ସ୍ଥାନରେ କ୍ବାରେଣ୍ଟାଇନ୍ରେ ରଖାଯାଇଛି। ତାମିଲନାଡ଼ୁରେ ଏହି ସମାବେଶରୁ ଫେରିଥିବା ୧୧୦ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ବୁଧବାର ସୁଦ୍ଧା ଅାନ୍ଧ୍ରପ୍ରଦେଶରେ ମୋଟ ୮୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ଜଣ ନିଜାମୁଦ୍ଦିନ ଫେରନ୍ତା ବୋଲି ଜଣାପଡ଼ିଛି। ସେହିଭଳି ଏଠାରୁ ଫେରିଥିବା ୨୫୦ରୁ ଅଧିକ ବିଦେଶୀ ନାଗରିକ ବିଭିନ୍ନ ସ୍ଥାନରେ କ୍ବାରେଣ୍ଟାଇନ୍ରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ମୋଟ ୧୨୮ଜଣ ନିଜାମୁଦ୍ଦିନ ଫେରନ୍ତା ଆକ୍ରାନ୍ତ ହୋଇଥିବାବେଳେ ୭ଜଣଙ୍କ ମୃତ୍ୟୁ ହୋଇଛି। ମସ୍ଜିଦ ସମାବେଶରେ ଯୋଗ ଦେଇଥିବା ଲୋକେ ୫ଟି ଟ୍ରେନ୍ରେ ଯାତ୍ରା କରିଥିବା ସୂଚନା ମିଳିବା ପରେ ଏ ନେଇ ଯାଞ୍ଚ ଚାଲିଛି। ଏହି ଟ୍ରେନ୍ରେ ଥିବା ହଜାର ହଜାର ଯାତ୍ରୀଙ୍କୁ ଯାଞ୍ଚ ପାଇଁ ଉଦ୍ୟମ ଚାଲିଛି। ଏକ ହଜାରରୁ ୧୨୦୦ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ନେଇ ସନ୍ଦେହ ଘନୀଭୂତ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୧୩ରୁ ୧୯ ମଧ୍ୟରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଯାଇଥିବା ଦୂରନ୍ତ ଏକ୍ସପ୍ରେସ୍ ଓ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍, ଚେନ୍ନଇ ଯାଇଥିବା ଗ୍ରାଣ୍ଡ ଟ୍ରଙ୍କ ଏକ୍ସପ୍ରେସ୍ ଓ ତାମିଲନାଡୁ ଏକ୍ସପ୍ରେସ୍, ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ୍ର ଯାତ୍ରୀଙ୍କ ଉପରେ ନଜର ରଖାଯାଇଥିବା ପ୍ରକାଶ। ରାଜଧାନୀ ଏକ୍ସପ୍ରେସ୍ର ବାତାନୁକୂଳିତ ବଗିରେ ୬୦ଜଣ ଯାତ୍ରା କରିଥିବାବେଳେ ଜଣେ ମାଳେସିଆ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ୨୩ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଟ୍ରେନ୍ ଯାତ୍ରୀମାନେ ଖୋଲାଖୋଲି ବିଭିନ୍ନ ସ୍ଥାନରେ ବହୁ ଲୋକଙ୍କ ସହିତ ମିଶିଥିବା ଯୋଗୁଁ ରେଳବାଇ ଓ ସାଧାରଣ ପ୍ରଶାସନ ପାଇଁ ସମସ୍ତଙ୍କୁ ଠାବ କରିବା କଷ୍ଟକର ବ୍ୟାପାର ହୋଇଛି। ପୁନଶ୍ଚ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଷ୍ଟେସନ୍ ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ହୋଇଥିବାରୁ ସଂକ୍ରମଣ କାହିଁ କେତେ ଦୂର ବ୍ୟାପିଛି ତାହା ଜାଣିବା ପ୍ରଶାସନ ପାଇଁ ଆହ୍ବାନ ସୃଷ୍ଟି କରିଛି।
ଅପରପକ୍ଷରେ ମସ୍ଜିଦ କର୍ତ୍ତୃପକ୍ଷ ଏକ ବିବୃତି ଜାରି କରି ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ବାନ ପରେ ସମାବେଶ ବାତିଲ କରାଯାଇଥିଲା। ପରେ ତାଲାବନ୍ଦ ଯୋଗୁଁ ଏଥିରେ ଯୋଗ ଦେଇଥିବା ସଦସ୍ୟମାନେ ଫେରିପାରି ନ ଥିଲେ। ମସ୍ଜିଦ ପରିସରସ୍ଥ ୬ ମହଲା ବିଶିଷ୍ଟ ଡର୍ମିଟରିରେ ସେମାନେ ରହିଥିଲେ। ତେବେ ଦିଲ୍ଲୀ ସରକାର ଅଥେଷ୍ଟ ପୂର୍ବରୁ (ମାର୍ଚ୍ଚ ୧୪ରୁ) ୫୦ରୁ ଅଧିକ ଜନତା ସମାବେଶ ଉପରେ କଟକଣା ଜାରି କରିଥିଲେ ମଧ୍ୟ ଏହି ସମାବେଶ କିଭଳି ଅନୁଷ୍ଠିତ ହୋଇଥିଲା ଓ ଏତେ ଲୋକ ରହିଥିଲେ ସେ ନେଇ ପ୍ରଶ୍ନ ଉଠିଛି।
ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦେଶ ; ନିଜାମୁଦ୍ଦିନ ଫେରନ୍ତାଙ୍କୁ ଶୀଘ୍ର ଖୋଜ
Popular Categories



