ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଉପରେ ପଡିିଛି କାହାର କୁଦୃଷ୍ଟି !

0
-ମହେଶ ଶର୍ମା

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ନେଇ ଏବେ ଚାରିଅଡେ ଚର୍ଚ୍ଚା ଜାରି ରହିଛି। କିଏ କ’ଣ ରତ୍ନ ଭଣ୍ଡାରର ସମସ୍ତ ସମ୍ପତ୍ତି ହଡପ କରି ନେଇଛି, ଏମିତି ଅନେକ ପ୍ରଶ୍ନ କୋଟି କୋଟି ଓଡ଼ିଆଙ୍କ ମନକୁ ଆନ୍ଦୋଳିତ କରୁଛି ? ୩୪ ବର୍ଷ ତଳେ ଯେତେବେଳେ ଭିତର ରତ୍ନ ଭଣ୍ଡାର ଖୋଲା ଯାଇଥିଲା ସେତେବେଳେ ତାଲା ପକାଇବା ପରେ ତାହାକୁ ଜଉମୁଦ ଦେଇ ସିଲ୍‍ କରାଯାଇଥିଲା ଓ ପରେ ଚାବି କାହାକୁ ଦିଆଯାଇଥିଲା? ଏବଂ ଚାବି କେଉଁଠାରେ ରଖାଯାଇଥିଲା ? ଜିଲ୍ଲାପାଳଙ୍କ ଟ୍ରେଜେରିରେ ଚାବି ରଖା ଯାଇଥାଏ। ତେବେ ସେଠାରୁ କିପରି ଗାୟବ ହୋଇଗଲା? ଶହ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଏହି ରତ୍ନ ଭଣ୍ଡାରରେ ଥିଲା। ତେବେ ଶ୍ରୀ ମନ୍ଦିର ପ୍ରଶାସନ ଏ ପର୍ଯ୍ୟନ୍ତ କାହିଁକି ନୀରବ ଥିଲା। ଏଭଳି ଅନେକ ଅସମାହିତ ପ୍ରଶ୍ନ ରହିଛି, ଯାହା ଏକ ଷଡଯନ୍ତ୍ରର ସଂକେତ ଦେଉଛି, କିନ୍ତୁ ତାହାକୁ ଅବହେଳା କହି ଏଡାଇ ଦିଆଯାଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କୁ ବଦଳାଇ ତାଙ୍କ ସ୍ଥାନରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଶ୍ରୀମନ୍ଦିର ନୂତନ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି । ସୁପ୍ରିମକୋର୍ଟ ମଧ୍ୟ ଓଡ଼ିଶା ହାଇକୋର୍ଟଙ୍କୁ ଶୀଘ୍ର ଶୁଣାଣି କରିବା ସହିତ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ କରିବା ପାଇଁ ଆଦେଶ ଦେଇଛନ୍ତି।
ତେବେ ସର୍ବ ପ୍ରଥମେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ୨୦୧୫ ନଭେମ୍ବରରେ ‘ଇଣ୍ଡିଆ ଟୁଡେ’ରେ ପୁରୀ ଶ୍ରୀ ମନ୍ଦିରର ଦୟନୀୟ ଅବସ୍ଥା ବିଷୟରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଗୁରୁତର ସହିତ ଗ୍ରହଣ କରି ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ସମନ୍ୱୟ ରଖି ମରାମତି କାର୍ଯ୍ୟ ଆରମ୍ଭ କରାଇଥିଲେ। ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାରାଦ୍ୱୀପ ରିଫାଇନାରୀର ଲୋକର୍ପଣ କରିବା ପରେ ସିଧାସଳଖ ପୁରୀରେ ପହଞ୍ଚିଥିଲେ। ଆଉ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ଏଏସଆଇ, ପର୍ଯ୍ୟଟନ ମନ୍ତ୍ରଣାଳୟର ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ମନ୍ଦିର ପରିସରକୁ ଯାଇଥିଲେ।
ମରାମତି ଦୃଷ୍ଟିରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ବାହାର ଓ ଭିତର ରତ୍ନ ଭଣ୍ଡାର ଅନୁଧ୍ୟାନ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଆଦେଶରେ ୧୬ ଜଣିଆ କମିଟି ଭିତରକୁ ଯିବା ପାଇଁ ଅନୁମତି ଦେଇଥିଲେ। ଏହି କମିଟ ବାହାର ରତ୍ନ ଭଣ୍ଡାର ନିରିକ୍ଷଣ କଲେ କିନ୍ତୁ ଭିତର ରତ୍ନ ଭଣ୍ଡାର ବିଷୟରେ ବାହାରପଟ ତାର ଜାଲି ଦେଇ ଅନୁଧ୍ୟାନ କରିଥିଲେ। ବଡ଼ ବଡ଼ ଳୁହା ତାଲା ପଡିଥିବାରୁ ଭିତରକୁ ଯାଇପାରି ନ ଥିଲେ। ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଟ୍ରେଜେରିରୁ ଚାବି ଆଣିବାକୁ କୁହାଗଲା ତ ସେ ମନା କରି ଦେଇଥିଲେ କି ଟ୍ରେଜେରୀରେ ଚାବି ନାହିଁ। ଏବଂ ଟ୍ରେଜେରିରେ ଚାବି ରହୁଥିବା ସଂପର୍କରେ ତାଙ୍କ ପାଖରେ କୌଣସି ନକଲ ନାହିଁ ବୋଲି କହିଥିଲେ। ଏହା ଶୁଣି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଏହା ହେଉଛି ଅପ୍ରେଲ ୪ ତାରିଖର ଘଟଣା।
ବାହାର ରତ୍ନ ଭଣ୍ଡାରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ରଙ୍କ ପ୍ରତିଦିନ ବେଶର ଅଳଙ୍କାର ରଖ ଯାଇଥାଏ। ତେବେ ଭିତର ଭଣ୍ଡାରରେ ଦ୍ୱାଦଶ ଶତାବ୍ଦୀଠାରୁ ବହୁତ ପରିମାଣର ହୀରା, ଲୀଳା, ଗହଣା, ସୁନା, ଚାନ୍ଦି, ମାଣିକ ବହୁତ ମୂଲ୍ୟବାନ ଅଳଙ୍କାର ଆଦି ରଖା ଯାଇଥିଲା। ୧୯୮୫ରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିବା ନେଇ ପୁରୀର ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ ସୂଚନା ଦିଅନ୍ତି। ସେତେବେଳେ ମହାପ୍ରଭୁଙ୍କ ହୀରା ଖଚିତ ମୁକୁଟ ମରାମତି ପାଇଁ ଦିଆଯାଇଥିଲା ତ, ଭିତର ରତ୍ନ ଭଣ୍ଡାର ଖୋଲାଯାଇ ଅନ୍ୟ ଏକ ମୁକୁଟ ବାହାର କରାଯାଇ ମହାପ୍ରଭୁଙ୍କୁ ପିନ୍ଧା ଯାଇଥିଲା।
ମନ୍ଦିର ଆଇନ ଅନୁସାରେ ଭିତର ରତ୍ନ ଭଣ୍ଡାରର ଚାବି ଟ୍ରେଜେରି ରେ ରଖାଯାଇଥାଏ। ସରକାରଙ୍କ  ଆଦେଶ ଅନୁସାରେ ତାକୁ ଖୋଲା ଯାଇଥାଏ। ମୁଖ୍ୟମନ୍ତ୍ରୀ ବାସ୍ତବିକତା ଜାଣିବା ପାଇଁ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପଠାଇଥିଲେ। ଶ୍ରୀ ଜେନାଙ୍କ ରିପୋର୍ଟ ଆଧାରରେ ଜୁନ ୪ ତାରିଖରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଆଦେଶ ଦେଇଥିଲେ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ ବିଚାର ବିଭାଗୀୟ ତଦନ୍ତ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରି ତାଙ୍କୁ ତିନି ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ପୁରୀର ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଥିଲେ। ବିରୋଧୀ କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅବହେଳାକୁ ନିନ୍ଦା କରିବା ସହିତ ତୀବ୍ର ସମାଲୋଚନା କରିଛନ୍ତି । ପୁଣି ଥରେ ଚାବି ଥିବା ସମ୍ବନ୍ଧୀୟ ଫାଇଲ ଏବଂ ଟ୍ରେଜେରି ଖୋଜିବା ପାଇଁ ଜିଲ୍ଲାପାଳଙ୍କୁ ପତ୍ର ଲେଖା ଯାଇଛି। ତେବେ ଚାବି କେଉଁଠାରେ ଅଛି ? ଅନ୍ୟପକ୍ଷରେ ଶ୍ରୀ ଜଗନ୍ନାଥ ମନ୍ଦିର ମିଟିର ସଦସ୍ୟ ରାମଚନ୍ଦ୍ର ମହାପାତ୍ର କହିଛନ୍ତି କି ଚାବି ଗାୟବ ହୋଇଯାଇଛି। ଏହା ନା ଶ୍ରୀମନ୍ଦିର ପ୍ରଶାସନ ପାଖରେ ନା ଜିଲ୍ଳାପାଳଙ୍କ ପାଖରେ ଅଛି।

ଶ୍ରୀ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି , ୧୯୬୦ ମସିହା ପରଠାରୁ ସରକାର ଶ୍ରୀମନ୍ଦିର କଥା ବୁଝୁଛନ୍ତି । ଏହା ସହିତ ଭିତର ରତ୍ନଭଣ୍ଡାର ଚାବି ତାଙ୍କ ପାଖରେ ରହେ ନାହିଁ । ଏହି ଚାବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳଙ୍କ ଦାୟିତ୍ୱରେ ରହେ। ବର୍ତ୍ତମାନ ତାଙ୍କ ପାଖରେ କେବଳ ବାହାର ରତ୍ନଭଣ୍ଡାରର ଚାବି ରହୁଥିବା ସେ ପ୍ରକାଶ କରିଛନ୍ତି । ବାହାର ରତ୍ନଭଣ୍ଡାର ମଧ୍ୟରୁ କେବଳ ଗୋଟିଏ ଭଣ୍ଡାରର ଚାବି ତାଙ୍କ ପାଖରେ ରହିଥାଏ ଏବଂ ବାହାର ଭଣ୍ଡାର ଖୋଲିଲା ବେଳେ ଗଜପତିଙ୍କ ପ୍ରତିନିଧୀ ଉପସ୍ଥିତ ରୁହନ୍ତି ବୋଲି ଦିବ୍ୟ ସିଂହ ଦେବ କହିଛନ୍ତି । ସେ କେବଳ ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରନ୍ତି ପରେ ବୈଠକରେ ନିଆଯାଉଥିବା ନିଷ୍ପତ୍ତିରେ ଦସ୍ତଖତ କରନ୍ତି ଏବଂ ତାଙ୍କ ଭୂମିକା ଜଣେ ସାଧାରଣ ସଦସ୍ୟଙ୍କ ଭଳି ହୋଇଥିବା ନେଇ ସେ ସ୍ପଷ୍ଟ କରିଛନ୍ତି।

ଶ୍ରୀ ମନ୍ଦିରର ବିଭିନ୍ନ ମାମଲାରେ ବିଚାର ବିଭାଗୀୟ ତଦନ୍ତ :
୧. ଜୁଲାଇ ୨୭,୧୯୯୭
ନବକଳେବର ପରିଚାଳନା ବିଭ୍ରାଟ ନେଇ ବିଭାଗୀୟ ତଦନ୍ତ। ତଦନ୍ତ କମିଶନର ଅଧ୍ୟକ୍ଷ ଓଡ଼ିଶା ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ବି.କେ ପାତ୍ର। ସେବାୟତଙ୍କ ପୈତୃକ ଅଧିକାରକୁ ରଦ୍ଦ କରିବା ଏବଂ ଦାନ ପ୍ରଣାଳୀରେ ପରିବର୍ତ୍ତନ ପାଇଁ ସୁପାରିଶ କରିଥିଲେ। ଯାହା ଉପରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଇ ନାହିଁ।
୨.ଡିସେମ୍ବର ୫,୧୯୯୩
ଓଡ଼ିଶା ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଜୀବନ ମୋହନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାର ବିଭାଗୀୟ ତଦନ୍ତ କମିଶନ ନାଗାର୍ଜୁନ ବେଶ ସମୟରେ ଦଳାଚକଟାରେ ୬ ଜଣ ଲୋକଙ୍କର ମୃତ୍ୟୁ ଘଟଣାର ତଦନ୍ତ କରିଥିଲେ। ରିପୋର୍ଟ ଗାୟବ ହୋଇ ଯାଇଛି କନ୍ତୁ ସରକାର କହୁଛନ୍ତି ରିପୋର୍ଟ ଉପଲବ୍ଧ ଅଛି।

୩.ନଭେମ୍ବର ୪,୨୦୦୬

ବିଚାରପତି ପି.କେ ମହାନ୍ତି ତଦନ୍ତ କମିଶନ ଶ୍ରୀମନ୍ଦିର ପରିସରରେ ଦଳାଚକଟାରେ ୬ ଜଣ ଲୋକଙ୍କର ମୃତ୍ୟୁ ଘଟଣାର ତଦନ୍ତ କରିଥିଲେ। ଏହି ତଦନ୍ତ କମିଶନଙ୍କ ରିପୋର୍ଟ କେଉଁଠି ଅଛି କାହାକୁ ଜରା ନାହିଁ।
୪. ଜୁଲାଇ ୨୧,୨୦୦୧୬

ଅବସର ପ୍ରାପ୍ତ ବିଚାରପତି ବି.ପି ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାର ବିଭାଗୀୟ ତଦନ୍ତ କମିଶନ ଶ୍ରୀମନ୍ଦିରରେ ସଂସ୍କାର ସମ୍ବନ୍ଧରେ ସରକାରଙ୍କୁ ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ। କମିାନଙ୍କ କାର୍ଯ୍ୟକାଳ ୨୦୧୮ ଜାନୁଆରୀରେ ଶେେ ହୋଇଛି।
୫.-ଜୁନ୪,୨୦୧୮
ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାର ବିଭାଗୀୟ ତଦନ୍ତ କମିଶନ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ଚାବି ରହସ୍ୟ ଜନକ ଭାବେ ହଜିଯିବା ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।

 

Leave A Reply