୧୦,୦୦୦ ଏମ୍‍ବିବିଏସ୍‍ ସିଟ୍‍ରେ ନାମଲେଖା ବନ୍ଦ ଆଶଙ୍କା

0

ନୂଆଦିଲ୍ଲୀ : ଦେଶର ୮୨ଟି ମେଡିକାଲ କଲେଜରେ ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ନାମଲେଖା ବନ୍ଦ କରିବା ନିମନ୍ତେ ଭାରତୀୟ ମେଡିକାଲ ପରିଷଦ (ଏମ୍‍ସିଆଇ) ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିସ କରାଯାଇଛି। ଫଳରେ ଦେଶର ମୋଟ ୬୪,୦୦୦ରୁ ଊର୍ଦ୍ଧ୍ବ ଏମ୍‍ବିବିଏସ୍‍ ଆସନ ମଧ୍ୟରୁ ୧୦,୦୦୦ରେ ନାମଲେଖା ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏଗୁଡିକ ମଧ୍ୟରେ ୭୦ଟି ଘରୋଇ ଏବଂ ୧୨ଟି ସରକାରୀ ମେଡିକାଲ କଲେଜ୍‍ ଅନ୍ତର୍ଭୁକ୍ତ। ଏମ୍‍ସିଆଇ ପକ୍ଷରୁ ଯାଞ୍ଚ ବେଳେ ଏହି କଲେଜ୍‍ଗୁଡିକରେ ଉପଯୁକ୍ତ ଭିତ୍ତିଭୂମି, ଶିକ୍ଷକ ଏବଂ ସମ୍ବଳର ଅଭାବ ଲକ୍ଷ୍ୟ କରାଯାଇଥିଲା ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ସେହିଭଳି ୩୧ଟି ସରକାରୀ ଏବଂ ୩୭ଟି ବେସରକାରୀ ନୂତନ ମେଡିକାଲ କଲେଜ୍‍ ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ରଦ୍ଦ କରିଦିଆଯାଇଛି। ୨୦୧୯ ସୁଦ୍ଧା ୫୮ଟି ମେଡିକାଲ କଲେଜ ପ୍ରତିଷ୍ଠା କରି ଜିଲା ଡାକ୍ତରଖାନା ସହିତ ସଂଶ୍ଲିଷ୍ଟ କରିବାର ଯୋଜନା ଥିବା ବେଳେ ଆସନ୍ତା ୨୦୨୧-୨୨ ସୁଦ୍ଧା ସରକାରଙ୍କ ଆର୍ଥିକ ସହାୟତାରେ ୨୪ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‍ ଫେବୃଆରୀରେ ମଞ୍ଜୁର କରିଥିଲା।

Leave A Reply