www.samajalive.in
Friday, December 5, 2025
20.1 C
Bhubaneswar

କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲା ଭଳି କାର୍ଯ୍ୟ ହେବ ନାହିଁ : କେନ୍ଦ୍ରମନ୍ତ୍ରୀ

-ସୂର୍ଯ୍ୟମନ୍ଦିର ସୁରକ୍ଷା ସମ୍ପର୍କିତ କର୍ମଶାଳା ଉଦ୍‍ଯାପିତ
-ସରକାରଙ୍କ ଆଦେଶ ମିଳିଲେ ଆରମ୍ଭ ହେବ କାର୍ଯ୍ୟ : ସିବିଆର୍‍ଆଇ

କୋଣାର୍କ : ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣକୁ ନେଇ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା ଦୁଇଦିନିଆ କର୍ମଶାଳା ଉଦ୍‍ଯାପିତ ହୋଇଯାଇଛି। ଏହି କର୍ମଶାଳାରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‍ କ୍ୟୁରୀ, ସିବିଆର୍‍ଆଇର ବିଶେଷଜ୍ଞ, ପୂର୍ତ୍ତ ବିଭାଗର ବରିଷ୍ଠ ପଦାଧିକାରୀ, ଉପସ୍ଥିତ ରହି ସୂର୍ଯ୍ୟମନ୍ଦିରର ସୁରକ୍ଷା, ସଂରକ୍ଷଣ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସୂର୍ଯ୍ୟମନ୍ଦିର ସୁରକ୍ଷା ଦୃଷ୍ଟିରୁ ଜଗମୋହନରୁ ବାଲି କଢ଼ାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସୂର୍ଯ୍ୟମନ୍ଦିରକୁ ବିପଦ ହେଲା ଭଳି କୌଣସି କାର୍ଯ୍ୟ କରାଯିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପଟେଲ୍‍ ସୂଚନା ଦେଇଥିବାବେଳେ ସରକାରଙ୍କ ତରଫରୁ ଆଦେଶ ମିଳିଲେ କାର୍ଯ୍ୟାରମ୍ଭ ହେବ ବୋଲି କେନ୍ଦ୍ରୀୟ କୋଠା ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି।
ସୂର୍ଯ୍ୟମନ୍ଦିର ବିପଦ ସଂକୁଳ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବରିଷ୍ଠ ପଦାଧିକାରୀମାନେ ବାରମ୍ବାର ଗସ୍ତ କରି ଏହାର ବାସ୍ତବ ସ୍ଥିତି ପରଖିଥିବାବେଳେ ଗତବର୍ଷ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା ସଂସ୍ଥା ସିବିଆର୍‍ ଥ୍ରୀଡି ଲେଜର ସ୍କାନିଂ ମାଧ୍ୟମରେ ଉତ୍ତୋଳନ କରାଯାଇଥିବା ଫଟୋରେ ଗର୍ଭଗୃହର ସ୍ଥିତିକୁ ଯାଞ୍ଚ କରିଥିଲେ। ଏହି ସମୟରେ ମନ୍ଦିରର ଜଗମୋହନ ମଝିରେ ଥିବା ବାଲି ୧୫ ଫୁଟରୁ ୧୭ ଫୁଟ ମଧ୍ୟରେ ଦବିଥିବା ନେଇ ସୂଚନା ଦେଇଥିଲେ। କୋଣାର୍କ ମନ୍ଦିର ସୁରକ୍ଷିତ ରହିଥିବା ନେଇ ସିବିଆର୍‍ଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ବାଲି କଢ଼ାଯିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନ ଥିଲା। ୧୯୦୩ ମସିହା ଇଂରେଜ ଶାସନ ସମୟରେ ଜଗମୋହନ ମଧ୍ୟରେ ହାଲୁକା ବାଲି ଭର୍ତ୍ତି କରାଯାଇଥିବାବେଳେ ଏହା ଏବେ ମନ୍ଦିର ପାଇଁ ବିପଦ ସୃଷ୍ଟି କରିଛି। କୌଣସି ସମୟରେ ଭୂମିକମ୍ପ ହେଲେ ମନ୍ଦିର ପ୍ରତି ବେଶ୍‍ କ୍ଷତି ପହଞ୍ଚାଇବ। ବିଶେଷ କରି ଥ୍ରୀଡି ଲେଜର ସ୍କାନିଂ ମାଧ୍ୟମରେ ଉତ୍ତୋଳନ କରାଯାଇଥିବା ଫଟୋକୁ ଆଧାର କରି ମନ୍ଦିର ସୁରକ୍ଷିତ ରହିଛି। ମନ୍ଦିର ଭିତରେ ଥିବା ବାଲି ମନ୍ଦିର ପାଇଁ ବିପଦ ଆଣିବ ନାହିଁ ବୋଲି ସିବିଆର୍‍ଆଇ ପକ୍ଷରୁ କୁହାଯାଉଥିବାବେଳେ ଏହି କଥାକୁ ପୂର୍ତ୍ତ ବିଭାଗ ଗ୍ରହଣ କରିନାହିଁ। ମନ୍ଦିର ଭିତର ପଥର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବାବେଳେ ଭୂମିକମ୍ପ ହେଲେ ମନ୍ଦିର ପାଇଁ ଏହା ବିପଦ ଆଣିବ ବୋଲି ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ଏନ୍‍.ସି.ପାଲ୍‍ ସୂଚନା ଦେବା ସହ ବାଲି କଢ଼ାଯିବା ସପକ୍ଷରେ ସହମତି ପ୍ରକାଶ କରିଛନ୍ତି। ଏଥି ସହ ମନ୍ଦିରରୁ ବାଲି କଢ଼ାଯାଇ ଗର୍ଭ ଗୃହ ମଧ୍ୟରେ କଳଙ୍କି ପ୍ରତିରୋଧୀ ଷ୍ଟିଲ୍‍ ବିମ୍‍ ଲଗାଯିବା ଲାଗି ସ୍ଥିର ହୋଇଛି। ଭାରତୀୟ ସର୍ବେକ୍ଷଣ ସଂସ୍ଥା ଏଏସ୍‍ଆଇର ରାଜ୍ୟ ସରକାରଙ୍କ ସହିତ ସଠିକ୍‍ ସମନ୍ୱୟ ରହୁ ନ ଥିବାରୁ ସୂର୍ଯ୍ୟମନ୍ଦିରର ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି। ପ୍ରତି ତିନି ମାସରେ ଏଏସ୍‍ଆଇ କର୍ତ୍ତୃପକ୍ଷଙ୍କୁ ନେଇ ବୈଠକ ହେବା ଆବଶ୍ୟକତା ରହିଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ। ଆଗକୁ ଏଏସଆଇ ରାଜ୍ୟ ପ୍ରତ୍ନତାତ୍ତ୍ବିକ ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଇଛି। ଏହି ଦୁଇ ଦିନିଆ କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ଉପଦେଷ୍ଟା ଅତିରିକ୍ତ ପ୍ରଶାସନିକ ଅଧିକାରୀ ଆର୍‍ ବାଲକ୍ରିଷ୍ଣନ୍‍, କୋଣାର୍କ ସୂର୍ଯ୍ୟମନ୍ଦିର ସଂରକ୍ଷଣ ସଂପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିବାବେଳେ ସଂରକ୍ଷଣ ଓ ବିଶ୍ୱ ଐତିହ୍ୟ ଡିଜି. ଜାନୁହିଜ୍‍ ଶର୍ମା, ଏଏସ୍‍ଆଇ ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ୍‍ ପ୍ରମୁଖ ସୂର୍ଯ୍ୟମନ୍ଦିର ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ସିବିଆର୍‍ଆଇର ବିଶେଷଜ୍ଞ ଡ଼ଃ. ଅର୍ଚଲ ମିତ୍ତଲ୍‍ ତଦନ୍ତ ଦ୍ୱାରା ପ୍ରସ୍ତୁତ ରିପୋର୍ଟକୁ ଭିଡିଓ ଚିତ୍ର ମାଧ୍ୟମରେ ଉପସ୍ଥାପିତ କରିଥିବାବେଳେ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ଜଗମୋହନର ଗଠନ ଓ ସ୍ଥିତି ସଂପର୍କିତ ବିଭିନ୍ନ ତଥ୍ୟ ଭିଡିଓ ଚିତ୍ର ମାଧ୍ୟମରେ ରଖିଥିଲେ। ଏହି ଅବସରରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଅନ୍‍ଟୋଲ୍ଡ ଷ୍ଟୋରି ଅଫ୍‍ କୋଣାର୍କ ପୁସ୍ତକ ଉନ୍ମୋଚନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଫେସର ଡ଼ଃ. ଏ.ପି. ଗୁପ୍ତା, ଏଏସ୍‍ଆଇ ଡିଜି (ମୋନ୍‍ସ) ଡ଼ଃ. ଏମ୍‍. ନାମ୍ବିରଞ୍ଜନ, ନ୍ୟାସନାଲ ମ୍ୟୁଜିୟମ୍‍ ଡିଜି ତଥା ଭାରତୀୟ ସର୍ବେକ୍ଷଣ ସଂସ୍ଥାର ଏଡିଜି ଡ଼ଃ. ବି.ଆର୍‍ ମଣି, ରାକେଶ ସିଂ ଲାଲ୍‍ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories