ବାଙ୍କୀ ଡବଲ ମର୍ଡର ଘଟଣା – ଡେମୋ ଦେଖାଇଲା ଅଭିଯୁକ୍ତ ଶୁଶାନ୍ତ ପ୍ରଧାନ

କଳାପଥର(ବାଙ୍କୀ): ବାଙ୍କୀର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଆଦିତ୍ୟ ରଣସିଂହ ଓ ନୁଆଗାଁ ପଞ୍ଚାୟତର ମହିଳା ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କ ହତ୍ୟା ଘଟଣାର ୫ ଦିନ ପରେ ବାଙ୍କୀ ପୁଲିସ୍‍ ଦୁଇଜଣ ଅଭିଯୁକ୍ତ ବଳଭଦ୍ର ପ୍ରଧାନ ଓ ଜିତୁ ସ୍ୱାଇଁଙ୍କୁ ଗିରଫ କରି ତା ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ,କଟୁରି ଜବତ କରିଥିଲା। ସେହିପରି ଗତକାଲି ଅନ୍ୟତମ ଅଭିଯୁକ୍ତ ଶୁଶାନ୍ତ ପ୍ରଧାନ ଓରଫ କାଳିଆ ଓ ହିମାଂଶୁ ବିଶ୍ୱାଳକୁ ଗିରଫ କରିଥିଲା। ଅଭିଯୁକ୍ତମାନେ ବ୍ୟବହୃତ କରିଥିବା ଦୁଇଟି ଦାମି ଗାଡିକୁ ପୁଲିସ୍‍ ଇତି ମଧ୍ୟରେ ଜବତକରି ବୈଦ୍ୟେଶ୍ୱର ଥାନାରେ ରଖିଛି। ତେବେ ଏହି ହତ୍ୟାକାଣ୍ଡରେ ୧୦ ରୁ ଅଧିକ ଅଭିଯୁକ୍ତ ରହିଥିବା ବେଳେ ଏହି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଥିବା ଶୁଶାନ୍ତ ପ୍ରଧାନ ଓରଫ କାଳିଆକୁ ନେଇ ଶୁକ୍ରବାର ବାଙ୍କୀ ପୁଲିସ୍‍କୁ ଘଟଣା ସମ୍ପର୍କରେ ଡେମୋ ଦେଖାଇଥିଲେ।

ପୁଲିସ୍‍ ଓ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ମାଷ୍ଟର ମାଇଣ୍ଡ କାଳିଆ ଘଟଣା ଦିନ ମିଳିମିଶି କିପରି ହତ୍ୟାକାଣ୍ଡ ଭିଆଇଥିଲେ ତାହା ପୁଲିସ୍‍ ଆଗରେ ବର୍ଣ୍ଣନା କରବା ସହିତ ମୃତ ଆଦିତ୍ୟ ନିକଟରେ ଥିବା ବୈଦୁତିକ ଗଣମାଧ୍ୟମର ପରିଚୟ ପତ୍ର, ବୁମ୍‍ ଆଦି ସମସ୍ତ ଜିନିଷ କେଉଁ ସ୍ଥାନରେ ପୋଡିଥିଲେ ତାହାକୁ ଦେଖାଇଥିଲା। ଘଟଣାସ୍ଥଳରେ କାଳିଆକୁ ନେଇ ପୁଲିସ୍‍ ପ୍ରାୟ ଦେଢ଼ ଘଣ୍ଟା କାଳ ହତ୍ୟାକାଣ୍ଡସ୍ଥଳ ଛାନଭିନ୍‍ କରିଥିଲା। ଗିରଫ ହୋଇଥିବା କାଳିଆ ଇତି ମଧ୍ୟରେ ପୁଲିସକୁ ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା କୁହାଯାଉଛି।

କେଉଁମାନେ ମେଳି ହୋଇ ଏହି ବର୍ବର ହତ୍ୟାକାଣ୍ଡ ଘଟାଇଥିଲେ ଏବଂ ଏହା ପଛରେ କେଉଁ କାରଣ ରହିଛି ତାହା ଟିକ୍‍ନିକ୍‍ ଭାବରେ ସୁଚନା ଦେଇଥିବା ଜଣାପଡିଛି। ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାରେ ବାଧା ଉପୁଜିବା ଦୃଷ୍ଟିରୁ ପୁଲିସ୍‍ ଏହାକୁ ପ୍ରକାଶ କରିନାହିଁ। ସାମ୍ବାଦିକ ଆଦିତ୍ୟ ରଣସିଂହ ଓ ମହିଳା ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କୁ ହତ୍ୟା କରିବା ପାଇଁ ସେମାନେ ବହୁ ଆଗରୁ ନିଷ୍ପତି ନେଇଥିଲେ ବୋଲି ଜଣାପଡିଛି। ଖଜୁରିପଦାର ପ୍ରଧାନ ପରିବାର ସହିତ ମୃତ ଆଦିତ୍ୟ ରଣସିଂହଙ୍କ ପରିବାରର ବହୁ ଦିନରୁ ତିକ୍ତତା ରହିଥିବା ବେଳେ ୧୯୮୫ ମସିହାରେ ଆଦିତ୍ୟଙ୍କ ବାପା ଯୋଗେଶ ଚନ୍ଦ୍ର ସିଂହଙ୍କୁ ପ୍ରଧାନ ପରିବାରର ଲୋକମାନେ ହତ୍ୟା କରିଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ବ୍ଳକର ଅଧ୍ୟକ୍ଷ ପଦବୀ ପାଇଁ ସମିତି ସଭ୍ୟର ଆବଶ୍ୟକତା ଦୃଷ୍ଟିରୁ ପୂର୍ବତନ ବିଧାୟକଙ୍କ ଉଦ୍ୟମରେ ସରପଞ୍ଚ ପଦବୀ କଂଗ୍ରେସ ଓ ସମିତିସଭ୍ୟ ପଦବୀ ପାଇଁ ବିଜେଡିକୁ ବାଛିବା ପାଇଁ ନିଷ୍ପତି ହୋଇଥିଲା। ଏହି କ୍ରମରେ ନିର୍ବାଚନ ନ ହୋଇ ମୃତ ଭଗବାନ ସ୍ୱାଇଁଙ୍କ ପତ୍ନି ମମତା ମହାପାତ୍ର ସରପଞ୍ଚ ହୋଇଥିବାବେଳେ ବିଜେଡି ସମର୍ଥକ କବିତା ପ୍ରଧାନ ସମିତି ସଭ୍ୟା ହୋଇଥିଲେ। କିଛିଦିନ ପରେ ଉଭୟଙ୍କ ମଧ୍ୟରେ ଠିକା କାମ, ଆବାସ ଯୋଜନାର ଘର, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ନୂତନ ପଞ୍ଚାୟତ ଗୃହ ନିର୍ମ୍ମାଣ, କମ୍ୟୁନିଟି ସେଣ୍ଟର, ଅଙ୍ଗନବାଡି ଯୋଜନାର ଖାଦ୍ୟ ଓ ଘର ନିର୍ମାଣକୁ ନେଇ ବିବାଦ ଉପୁଜିଥିବା ବେଳେ ତିକ୍ତତା ବଢିଯାଇଥିଲା।

ମୃତ ଭଗବାନ ସ୍ୱାଇଁଙ୍କର ସେଭଳି ରାଜନୈତିକ ପାରଦର୍ଶିତା ନଥିବାରୁ, ସାମ୍ବାଦିକ ଆଦିତ୍ୟ ରଣସିଂହ ତାଙ୍କୁ ସମୟ ସମୟେ ସହଯୋଗ କରିଆସୁଥିଲେ। ତଥାପି ବିଭିନ୍ନ ସମୟରେ ଦଳର ନେତା ଓ ସରକାର ରହିଥିବାରୁ ସରପଞ୍ଚଙ୍କ କାର୍ଯ୍ୟକ୍ରମ ଉପରେ ସମିତି ସଭ୍ୟ ହସ୍ତକ୍ଷେପ କରୁଥିଲେ। ଫଳରେ ବହୁକାମ ହୋଇପାରୁ ନ ଥିଲା। ଗତ ୯ ତାରିଖରେ ଏକ ଦୈନିକ ସମ୍ବାଦପତ୍ରରେ ଜୋକିଲଦଳଠାରେ ଥିବା କମ୍ୟୁନିଟି ସେଣ୍ଟର ଜବରଦଖଲ କରାଯିବା ନେଇ ଖବର ପ୍ରକାଶ ପାଇବାରୁ ଅଭିଯୁକ୍ତମାନଙ୍କ ରାଗ ପଞ୍ଚମକୁ ଉଠିଥିଲା। ଫଳରେ ଉଭୟଙ୍କୁ ଜୀବନରେ ମାରିଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଗତକାଲି ଗିରଫ ହୋଇଥିବା ଶୁଶାନ୍ତ ପ୍ରଧାନ ଓରଫ କାଳିଆ, ହିମାଂଶୁ ବିଶ୍ୱାଳଙ୍କ ସମ୍ପର୍କରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ପଦାକୁ ଆସିଛି। ସ୍ଥାନୀୟ ଅଞ୍ଚଳର ଠିକାଦାରଙ୍କ ସହିତ କିପରି ମିଳିମିଶି କାମ କରୁଥିଲେ ତାହା ଅଲୋଚନା ହେଉଛି। ଗିରଫ ଅଭିଯୁକ୍ତ ହିମାଂଶୁ ବିଶ୍ୱାଳଙ୍କ ନିକଟସ୍ଥ ଏକ ପଞ୍ଚାୟତର ଜଣେ ଶାସକ ଦଳ ନେତାଙ୍କ ପୁତୁରା ବୋଲି ଜଣାପଡିଛି। ଆଜି ଏହି ଡେମୋ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକାରୀ,ଡିଏସ ପି ପ୍ରଶନ୍ନ କୁମାର ସ୍ୱାଇଁ,ବାଙ୍କୀ ଥାନା ଅଧିକାରୀ ସମିର କୁମାର ପଣ୍ଡା ଓ ଅନାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Comments are closed.