www.samajalive.in
Sunday, December 7, 2025
14.1 C
Bhubaneswar

କଳ୍ପନାଙ୍କୁ ବିବାହ ଆଳରେ ଛତିଶଗଡ଼ ନେଇ ହତ୍ୟା କରିଥିଲେ ପୂର୍ବତନ ବିଧାୟକ ଅନୁପ ସାଏ

ଭୁବନେଶ୍ଵର/ରାୟପୁର: ପ୍ରଥମେ ୫ ବର୍ଷର ଲିଭ୍‌ ଇନ୍‌ ସମ୍ପର୍କ, ପରେ ବିବାହ ନାମରେ ପ୍ରତାରଣା କରି ହତ୍ୟା। ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇଥିଲେ ବିଜେଡିର ପୂର୍ବତନ ବିଧାୟକ ଅନୁପ ସାଏ। ୨୦୧୬ର ଏହି ଚର୍ଚ୍ଚିତ ଘଟଣାର ଏବେ ପର୍ଦ୍ଦାଫାଶ ହୋଇଛି। ଛତିଶଗଡ଼ର ରାଇଗଡ଼ ପୁଲିସ ମାମଲା ଉପରୁ ପରଦା ହଟାଇଛି। ଅନୁପ ସମ୍ପୃକ୍ତ ମହିଳା ଓ ତାଙ୍କ ଝିଅକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲାଗି ମୃତଦେହକୁ ରାସ୍ତାରେ ପକାଇ ଗାଡ଼ି ଚଢ଼ାଇ ଦେଇଥିଲେ। ଶୁକ୍ରବାର ରାଇଗଡ଼ ପୁଲିସ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ବିସ୍ତୃତ ତଥ୍ୟ ଲୋକଲୋଚନକୁ ଆଣିଛି।

୨୦୧୬ରେ ଛତିଶଗଡ଼ର ରାଇଗଡ଼ ଅଞ୍ଚଳରେ ଥିବା ଏକ ଜଙ୍ଗଲ ରାସ୍ତାରୁ ଜଣେ ମହିଳା ଏବଂ ଜଣେ ଛୋଟ ଝିଅର ମୃତଦେହ ମିଳିଥିଲା। ବର୍ଷକ ପରେ ମୃତଦେହ ଦୁଇଟିର ପରିଚୟ ମିଳିବା ପରେ ପୁଲିସ ଏହାର ତଦନ୍ତକୁ ଜୋରଦାର କରିଥିଲା। ଘଟଣାରେ ଅନୁପଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ସେଠାକାର ପୁଲିସ ଓଡ଼ିଶା ଆସି ଅନୁପଙ୍କୁ ଉଠାଇ ନେଇଥିଲା। ଅନୁପ ପ୍ରଥମ ଘଟଣାକୁ ଫାଙ୍କଥିଲେ, ମାତ୍ର ଜେରା ପରେ ସବୁ ସତ  ମାନିଯାଇଥିଲେ।

- Advertisement -

ରାଇଗଡ଼ ଏସପି ସନ୍ତୋଷ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ୨୦୧୬ ମେ ୭ରେ ହମିରପୁର ଜଙ୍ଗଲରୁ ୨ ଜଣଙ୍କ ମୃତଦେହ ମିଳିଥିଲା। ହତ୍ୟା ପରେ ମୃତଦେହ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ମୃତକଙ୍କୁ ଚିହ୍ନଟ ପାଇଁ ପୁଲିସ ଟିମ ୬ଟି ରାଜ୍ୟକୁ ଯାଇ ତଦନ୍ତ କରିଥିଲେ। ଘଟଣାର ପ୍ରାୟ ୧ ବର୍ଷ ପରେ ଦୁଇ ମୃତକଙ୍କ ପରିଚୟ ମିଳିଥିଲା। ମୃତକଙ୍କ ଜଣେ ସମ୍ପର୍କୀୟ କନଷ୍ଟେବଳ ମୃତଦେହ ଚିହ୍ନଟ କରିଥିଲେ। ମୃତକ ଥିଲେ କଳ୍ପନା ଦାସ ଏବଂ ତାଙ୍କ ନାବାଳିକା ଝିଅ ବବଲି ଦାସ। ମୋବାଇଲ କଲ୍‌ ରେକର୍ଡ ଯାଞ୍ଚ କରାଯିବା ପରେ ଅନୁପଙ୍କ ସମ୍ପୃକ୍ତି ବିଷୟରେ ଜଣାପଡ଼ିଥିଲା। ତାଙ୍କୁ ହଜାର ହେବା ଲାଗି ନୋଟିସ କରାଯାଇଥିଲା। କିନ୍ତୁ ବାରମ୍ବାର ନୋଟିସ ସତ୍ବେ ସେ ହାଜର ହୋଇ ନ ଥିଲେ। ଗତ ୬ମାସ ଧରି ଆମେ ତାଙ୍କ ଗତିବିଧି ଉପ​ରେ ନଜର ରଖିଥିଲୁ। ଶେଷରେ ଉପଯୁକ୍ତ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିଛୁ। ପ୍ରଥମେ ସେ ଘଟଣାକୁ ଫାଙ୍କିଥିଲେ। ମାତ୍ର ପରେ ସବୁକଥା ମାନିଯାଇଥିଲେ।

ସୂଚନା ମୁତାବକ, କଳ୍ପନା ୨୦୦୫ରେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ପରେ ୨୦୧୧ରେ ସେ ଅନୁପଙ୍କ ସମ୍ପର୍କରେ ଆସି ତାଙ୍କ ସହିତ ରହୁଥିଲେ। ଅନୁପ ଭୁବନେଶ୍ଵରର ସୁନ୍ଦରପଦାରେ ଫ୍ଲାଟ କିଣି ସେଠାରେ କଳ୍ପନା ଓ ତାଙ୍କ ଝିଅକୁ ରଖିଥିଲେ। ଉଭୟେ ସେଠାରେ ସ୍ବାମୀ-ସ୍ତ୍ରୀ ଭଳି ରହୁଥିଲେ। ୫ବର୍ଷ ଏକାଠି ରହିବା ପରେ କଳ୍ପନା ଅନୁପଙ୍କୁ ବିବାହ କରିବାକୁ କହିଥିଲେ। କିନ୍ତୁ ଅନୁପଙ୍କ ପରିବାର ଥିବାରୁ ସେ ବିବାହ ପାଇଁ ମନା କରିଥିଲେ, ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ଅନୁପ କଳ୍ପନାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ବିବାହର ପ୍ରଲୋଭନ ଦେଖାଇ ଅନୁପ କଳ୍ପନା ଏବଂ ତାଙ୍କ ଝିଅକୁ ଛତିଶଗଡ଼ ନେଇଥିଲେ। ରାଇଗଡ଼ ନିକଟ ହମିରପୁର ଜଙ୍ଗଲ ପାଖରେ ସେ କଳ୍ପନାଙ୍କୁ ଲୁହା ରଡ୍‌ରେ ପିଟି ପିଟି ହତ୍ୟା କରିଥିଲେ। ଝିଅ ସବୁ ଦେଖିଥିବାରୁ ତାକୁ ମଧ୍ୟ ହତ୍ୟା କରିଥିଲେ। ଏହା ପରେ ମୃତଦେହକୁ ରାସ୍ତାରେ ପକାଇ ନିଜ ବୋଲେରୋ ଚଢ଼ାଇ ଦେଇଥିଲେ। ବାରମ୍ବାର ଗାଡ଼ି ଚଢ଼ାଇବାରୁ ମୃତଦେହ ବିକୃତ ହୋଇଯାଇଥିଲା। ଏଥିରେ ଅନୁପଙ୍କ ବିଶ୍ଵସ୍ତ ଡ୍ରାଇଭର ଏବଂ ଆଉ କେତେଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏଥିପାଇଁ ଅନୁପଙ୍କର ନାର୍କୋ ଟେଷ୍ଟ କରାଯିବ ବୋଲି ଏସପି କହିଛନ୍ତି। କଳ୍ପନାଙ୍କ ସହ ଅନୁପ ୫ବର୍ଷ ରହିଥିଲେ। କିନ୍ତୁ ସେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରି ନ ଥିଲେ। ଏହି ବଡ଼ ଭୁଲ ତାଙ୍କୁ ଧରାଇଦେଲା ବୋଲି ଏସପି କହିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories