କରୋନା ଉଜାଡ଼ିଛି ଚୀନ୍‌ ଅର୍ଥନୀତି, ସୌଦାଗର ଏବେ ଦେବାଳିଆ

ନୂଆଦିଲ୍ଲୀ : ବିଶ୍ବ ବଜାରକୁ ଏକତରଫା ଅକ୍ତିଆର କରିଥିବା ଚୀନ୍‌ ସମ୍ପ୍ରତି ଘୋର ଆର୍ଥିକ ଦୁର୍ଗତି ଦେଇ ଗତି କରୁଛି। କରୋନା ଭୂତାଣୁ ବ୍ୟାପିବାରୁ ବିଭିନ୍ନ ସ୍ବଦେଶୀ ଓ ବିଦେଶୀ କମ୍ପାନୀ ବନ୍ଦ ହେବାରେ ଲାଗିଛି। ଆମେରିକା ସହ ବେପାର ଯୁଦ୍ଧ ଶେଷ ହେବା ପରେପରେ ଆଉ ଏକ ଗୁରୁତର ସଙ୍କଟ ଚୀନ୍‌ର ଅର୍ଥନୀତିକୁ ଦୋହଲାଇ ଦେଇଛି। ଦେଶରେ ଆସନ୍ତା ତିନି ମାସର ମୋଟ ଅଭିବୃଦ୍ଧି ୪ ପ୍ରତିଶତକୁ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଏପରି ଅବସ୍ଥା ଲାଗି ରହିଲେ ବିଶ୍ବର ବଡ଼ ବିକ୍ରେତା ଚୀନ୍‌ ଆଗାମୀ ଦିନରେ ଦେବାଳିଆ ହୋଇପାରେ ବୋଲି କେତେକ ଅର୍ଥନୀତିଜ୍ଞ ମତ ଦିଅନ୍ତି।

ସଂକ୍ରମଣ କେନ୍ଦ୍ରସ୍ଥଳ ଉହାନ ପ୍ରଦେଶରେ ଚୀନ୍‌ ସରକାର ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛନ୍ତି। ଏଠାରେ ବାସ କରୁଥିବା ପ୍ରାୟ ୧୧ ନିୟୁତ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ଏଠାରୁ କୌଣସି ବ୍ୟକ୍ତିଙ୍କୁ ବାହାରକୁ ଯିବାକୁ ଦିଆ ଯାଉନାହିଁ କି ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ। କେବଳ ଉହାନ ନୁହେଁ; ହୁବେଇ ପ୍ରଦେଶରେ ମଧ୍ୟ କଟକଣା ଲାଗୁ କରାଯାଇଛି। ସହରର ରେସ୍ତୋରାଁ, ସିନେମାଘର, ହୋଟେଲ ଓ ମଲ ପରି ଜନବହୁଳ ସ୍ଥାନଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ବିଭିନ୍ନ ପ୍ରକାର କଟକଣା ଯୋଗୁଁ ନଗଦ ନେଣଦେଣରେ ବାଧା ଉପୁଜିଛି। କେତେକ କମ୍ପାନୀ ବନ୍ଦ ରହିବା ଯୋଗୁଁ କର୍ମଚାରୀମାନେ ବେତନ ପାଇ ନଥିବା ଜଣାପଡ଼ିଛି। ଆମେରିକା-ଚୀନ୍‌ ବେପାର ଯୁଦ୍ଧରେ ଯେତେ ଆର୍ଥିକ କ୍ଷତି ଚୀନ୍‌ ସହି ନଥିଲା କରୋନା ଭୂତାଣୁ ସଂକ୍ରମଣ ହେବା ଯୋଗୁଁ ତା’ଠାରୁ ଅଧିକ କ୍ଷତି ସହିଲାଣି। ଅନ୍ତର୍ଜାତୀୟ ବ୍ୟବସାୟୀମାନେ ବେପାର ବନ୍ଦ କରି ଦେଇଛନ୍ତି। ସେହିପରି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ରଦ୍ଦ ହେବା ଯୋଗୁଁ ଖ୍ୟାତନାମା ହୋଟେଲଗୁଡ଼ିକ ମଧ୍ୟ ବନ୍ଦ ପଡ଼ିଛି। ଯନ୍ତ୍ରାଂଶ ଠିକ୍‌ ସମୟରେ ମିଳୁ ନଥିବାରୁ ଦକ୍ଷିଣ କୋରିଆର ହୁଣ୍ଡାଇ କାର କମ୍ପାନୀ ଏହାର ଉତ୍ପାଦନ ବନ୍ଦ କରି ଦେଇଛି। ମୋଟର ଓ ଇଲେ‌େ‌କ୍ଟ୍ରାନିକ ଯନ୍ତ୍ରାଂଶ ଉତ୍ପାଦନ କରିବାରେ ବିଶ୍ବରେ ଚୀନ୍‌ ହେଉଛି ଶୀର୍ଷ ଦେଶ। ଏହି ଦେଶରେ ଉତ୍ପାଦନ ବନ୍ଦ ରହିବା ଯୋଗୁଁ ସମଗ୍ର ବିଶ୍ବରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଦେଶରେ ସର୍ବାଧିକ କ୍ଷତି ହୋଇଛି ମୋବାଇଲ ଫୋନ ଶିଳ୍ପ।

ଗତ ଦୁଇ ସପ୍ତାହ ହେଲା ସେୟାର ମାର୍କେଟ ୮ ପ୍ରତିଶତ ହ୍ରାସ ପାଇଛି। ସେହିପରି ଅଶୋଧିତ ତୈଳ ଆମଦାନୀ ୧୫ ପ୍ରତିଶତ ହ୍ରାସ ପାଇଛି। ଅଶୋଧିତ ତୈଳ ମୂଲ୍ୟ ହ୍ରାସକୁ ରୋକିବା ପାଇଁ କେତେକ ତୈଳ ଉତ୍ପାଦନକାରୀ ଦେଶ ରପ୍ତାନି ବନ୍ଦ ପାଇଁ ଚିନ୍ତା କରୁଛନ୍ତି। ବିଶ୍ବ ବଜାରରେ ତମ୍ବାର ମୂଲ୍ୟ ୧୩ ପ୍ରତିଶତ ହ୍ରାସ ପାଇଛି। ପ୍ରଥମ ୩ମାସରେ ଚୀନ୍‌ର ଅର୍ଥନୀତି ମାତ୍ର ୪ ପ୍ରତିଶତ ଅଭିବୃଦ୍ଧି କରିବ ବୋଲି କେତେକ ଅର୍ଥନୀତିଜ୍ଞ ଅନୁମାନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏହା ୫.୬ ପ୍ରତିଶତ ମଧ୍ୟରେ ସୀମିତ ରହିପାରେ। ଆମେରିକା ପରେ ଚୀନ୍‌ ହେଉଛି ବିଶ୍ବର ସର୍ବବୃହତ୍‌ ଅର୍ଥନୀତି। ବିଗତ ୪୦ ବର୍ଷ ମଧ୍ୟରେ ଚୀନ୍‌ ଏପରି ଆର୍ଥିକ କ୍ଷତି ସହି ନଥିଲା। ଗତ ଦୁଇ ସପ୍ତାହ ହେଲା ଚୀନ୍‌ର ବଡ଼ବଡ଼ ଶିଳ୍ପାନୁଷ୍ଠାନ ବନ୍ଦ ପଡ଼ିଛି। ବି‌େ‌ଶଷକରି ବିଦେଶୀ ପର୍ଯ୍ୟଟକ ଆସୁ ନଥିବାରୁ ଦେଶ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି। ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ଉଜୁଡି ଯାଇଛି କହିଲେ ଚଳେ।

ଉହାନ ସହରରେ ୧୧ ନିୟୁତ ଜନସାଧାରଣ ବାସ କରନ୍ତି। ଏହି ସହର ଚୀନ୍‌ର ଶିକ୍ଷା ଓ ବିଜ୍ଞାନର ପେଣ୍ଠସ୍ଥଳ। ଦେଶର ୧୦ଟି ଶୀର୍ଷ ବିଶ୍ବବିଦ୍ୟାଳୟ ମଧ୍ୟରୁ ଏହି ସହରରେ ଦୁଇଟି ଅବସ୍ଥିତ। ତେଣୁ ଏଠାରେ ବିଦେଶୀ ବିଦ୍ୟାର୍ଥୀଙ୍କ ସଂଖ୍ୟା ଅଧିକ। ତେବେ ଭୂତାଣୁ ସଂକ୍ରମଣ ଯୋଗୁ: ବିଭିନ୍ନ ଦେଶ ସେମାନଙ୍କ ବିଦ୍ୟାର୍ଥୀଙ୍କୁ ଫେରାଇ ନେଉଛନ୍ତି। ଏହି ଭୂତାଣୁ ବିଶ୍ବର ୩୦ଟି ଦେଶକୁ ବ୍ୟାପିଛି। କେବଳ ଚୀନ୍‌ରେ ପ୍ରାୟ ୪୨ ହଜାର ବ୍ୟକ୍ତି ସଂକ୍ରମିତ ହୋଇଥିବାବେଳେ ଏକ ହଜାର ବ୍ୟକ୍ତିଙ୍କ ଜୀବନ ଗଲାଣି। ସମଗ୍ର ବିଶ୍ବ ପାଇଁ ଏହା ଘଡ଼ିସନ୍ଧି ମୁହୂର୍ତ୍ତ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି। ପ୍ରଥମ ଥର ପାଇଁ ୩୧ ଡିସେମ୍ବରରେ ଚୀନ୍‌ର ଉହାନ ପ୍ରଦେଶରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ଥିଲା।

Comments are closed.