ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ

0

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମାବାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଯାଇ ତିନି ମାସ ମଧ୍ୟରେ ତଦନ୍ତ ଶେଷ କରାଯିବ।

ଆଇନମନ୍ତ୍ରୀ ପ୍ରତାପ ଜେନା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ସମ୍ପର୍କରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ପରେ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ପ୍ରେସ୍‌ ଇସ୍ତାହାର ପ୍ରକାଶ ପାଇଛି।

ବିଭିନ୍ନ ମହଲରୁ ତୀବ୍ର ବିରୋଧ ଏବଂ ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ରତ୍ନଭଣ୍ଡାରର ଚାବି ହଜିଛି କି ନାହିଁ ତାହାର ସତ୍ୟତା ଯାଞ୍ଚ ତଦନ୍ତ ହେବା ଦରକାର ବୋଲି ପରାମର୍ଶ ଦେଇଥିଲେ। ତାହାର ଗୋଟିଏ ଦିନ ପରେ ସରକାର ସୋମବାର ଏହି ଆଦେଶ ଦେଇଛନ୍ତି।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଘଟଣାର ଗୁରୁତ୍ୱକୁ ଦେଖି ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଥିବାବେଳେ ଅନ୍ୟପଟେ ଦଇତାନିଯୋଗ ସଭାପତି ରାମକୃଷ୍ଣ ଦାସ ମହାପାତ୍ର ସିଧାସଳଖ ମହାରାଜା ଗଜପତି ଦିବ୍ୟସିଂହ ଦେବଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ଚାବି ହଜିବା ଘଟଣା ଯେତିକି ଘନୀଭୂତ ହେଉଛି ଏହାକୁ ନେଇ ଭକ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି।
ଚାବି ହଜିବା ଘଟଣାକୁ ନେଇ ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ସରକାର ଉକ୍ତ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଚାରବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ୩ମାସ ମଧ୍ୟରେ ତଦନ୍ତ କମିଶନ ରିପୋର୍ଟ ଦେବାକୁ କୁହାଯାଇଛି। ଅନ୍ୟପକ୍ଷରେ ଦଇତାନିଯୋଗ ପକ୍ଷରୁ ଶ୍ରୀ ମହାପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯେଉଁ ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଚନ୍ତି ତାହା ସ୍ୱାଗତ ଯୋଗ୍ୟ। ମାତ୍ର ୨ମାସ ଧରି ପ୍ରଶାସନ ପକ୍ଷରୁ କାହିଁକି ଏତଲା ଦିଆଯାଇ ନାହିଁ ତାହା ସେ ସମସ୍କତଙ୍କୁ ଜଣାନ୍ତୁ। ସେହିପରି ୧୯୭୮ରେ ରତ୍ନ ଭଣ୍ଡାର ଖୋଲିବା ସମୟରେ ଯେଉଁ ମହାରାଜା ଥିଲେ ଏବେ ସେହି ଗଜପତି ମହାରାଜା ଅଛନ୍ତି। ତେଣୁ ଚାବି ତାଙ୍କ ପାଖରେ ନିଶ୍ଚିତ ରହିବା କଥା। ଗଜପତି ମହାରାଜା ୭ଦିନ ଭିତରେ ଏହାର ଉତ୍ତର ରଖନ୍ତୁ ବୋଲି ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଶ୍ରୀ ଦାସମହାପାତ୍ର କହିଛନ୍ତି।

Leave A Reply