ଅନେକଙ୍କ ଧାରଣା ଯେ ଆମେ ଘର କିମ୍ବା କାର୍ଯ୍ୟାଳୟ ଭିତରେ ରହିଲେ, ପ୍ରଦୂଷଣର କୌଣସି ଭୟ ନାହିଁ। ପ୍ରଦୂଷଣକ ବ୍ୟାପିବାର କୌଣସି ନିର୍ଦିଷ୍ଟ ନୀତିନିୟମ ନଥିବାବେଳେ ଯେ କୌଣସି ସ୍ଥାନକୁ ଏହା ବ୍ୟାପିଥାଏ। ଘର ଭିତରେ ରହିଲେ ନିଜ ସହ ପରିବାର ଲୋକଙ୍କୁ ସୁରକ୍ଷିତ ରଖିବେ କିପରି? ଏ ବାବଦରେ ବିଶେଷଜ୍ଞଙ୍କ ମତ ହେଲା, କେତୋଟି ସରଳ ପଦକ୍ଷେପରେ ଆପଣଙ୍କ ଘର ଭିତର ଓ କାର୍ଯ୍ୟାଳୟ ମଧ୍ୟ ପ୍ରଦୂଷଣମୁକ୍ତ ରହିପାରିବ।
ଫ୍ରିଜ୍, ଏସି, ଟିଭି, ଲ୍ୟାପଟପ୍, ରନ୍ଧନ ଗ୍ୟାସ୍, ରୁମ୍ ଫ୍ରେଶନର୍, ଫୋମ୍ ସୋଫା, ସ୍ମାର୍ଟ ଫୋନ୍, ଡେସ୍କଟପ୍ ଇତ୍ୟାଦି କାରଣରୁ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥାଏ। ସେସବୁ ଆମ ନିଶ୍ବାସପ୍ରଶ୍ବାସରେ ଶରୀର ଭିତରକୁ ଯାଇ କ୍ଷତି ପହଞ୍ଚାଇଥାଏ। ଏସବୁ ଜିନିଷର ବ୍ୟବହାର କମ୍ କରିହେବ କିନ୍ତୁ ସମ୍ପୂର୍ଣ୍ଣ ବନ୍ଦ କରିବା କାଠିକର କାମ ଅଟେ। କେବଳ ଘର ବାଲକୋନି କିମ୍ବା ଛାତ ଉପରେ ଗଛ ନ ଲଗାଇ ବରଂ ଘର ଭିତରେ ମଧ୍ୟ କୁଣ୍ଡ ରଖି ଗଛ ଲଗାଇବା ଉଚିତ।
ରୁମ୍ ଫ୍ରେଶନର୍ ବ୍ୟବହାର କରିବା ପରିବର୍ତ୍ତେ ତୁଳସୀ, ପୋଦିନା ଗଛ ଘରର କୌଣସି ଏକ କୋଣରେ ରଖିପାରିବେ। ଏସବୁ ଗଛ ପାଇଁ ଅଧିକ ବଡ଼ କୁଣ୍ଡର ଆବଶ୍ୟକତା ମଧ୍ୟ ନାହିଁ।
ଘର ଭିତରକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଘି-କୁଆଁରୀ, ସ୍ନେକ୍ ପ୍ଲାଣ୍ଟ, ସ୍ପାଇଡର୍ ପ୍ଲାଣ୍ଟ, ମନି ପ୍ଲାଣ୍ଟ ଇତ୍ୟାଦି ଗଛ ରଖିପାରିବେ। ଏହି ଗଛଗୁଡ଼ିକ ‘ଏୟାର-ପ୍ୟୁରିଫାୟର୍’ ପରି କାମ କରେ। ଅଙ୍ଗାରକାମ୍ଳକୁ ଶୋଷିବା ସହ ଚତୁର୍ଦିଗରେ ପ୍ରଦୂଷଣ କମ୍ କରିଥାଏ।
ବିଶେଷଜ୍ଞଙ୍କ ମତରେ ଘର ଭିତରେ ଯଦି ଅଧିକ ସଂଖ୍ୟାରେ ଯନ୍ତ୍ର ଅଛି(ଯେପରି ଫ୍ରିଜ୍, ଟିଭି, ୱାଶିଙ୍ଗ୍ ମେସିନ୍ ଇତ୍ୟାଦି), ପ୍ରତି ୧୦୦ ବର୍ଗଫୁଟ୍ରେ ୬ଟି ଇନ୍ଡୋର୍ ପ୍ଲାଣ୍ଟ ଲଗାଇବା ଆବଶ୍ୟକ।



