ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ‘ଇଡ୍ଲି’ର ଲୋକପ୍ରିୟତା ପୂରା ବିଶ୍ବସ୍ତରରେ ଅଛି। ଭାରତର ଯେ କୌଣସି ପ୍ରାନ୍ତକୁ ଗଲେ ମଧ୍ୟ ଇଡ୍ଲି ଖାଦ୍ୟ ସହଜରେ ମିଳିଯାଇଥାଏ। ଅଧିକାଂଶ ଲୋକ ଜଳଖିଆରେ ଇଡ୍ଲି-ସାମ୍ବର ଖାଇବାକୁ ପସନ୍ଦ କରନ୍ତି। ପ୍ରତ୍ୟେକ ସ୍ଥାନର ଇଡ୍ଲିର ସୁଆଦ ଓ ଆକାର ଭିନ୍ନଭିନ୍ନ। ଚେନ୍ନଇ ଇଡ୍ଲିର ସ୍ବାଦ କିନ୍ତୁ ସବୁଠୁ ଆଗରେ। ଚେନ୍ନଇନିବାସୀ ଏମ୍.ଏନ୍ନିୟାବନ୍ ସ୍ଥାନୀୟ ଅଞ୍ଚଳରେ ‘ଇଡ୍ଲି ଇନୋଭେଟର୍’ ଭାବେ ଜଣାଯାନ୍ତି। କାରଣ ସେ ୨ହଜାର ପ୍ରକାରର ଇଡ୍ଲି ତିଆରି କରିବାର ଶୈଳୀ ଜାଣିଛନ୍ତି।
ଛୋଟରୁ ବଡ଼ ଆକାର ସହ ବିଭିନ୍ନ ସ୍ବାଦର ଇଡ୍ଲି ତିଆରି କରିବାରେ ଏନ୍ନିୟାବନ୍ ଖୁବ୍ ପାରଙ୍ଗମ। ପିଲାଙ୍କ ପାଇଁ ସେ ରଙ୍ଗବେରଙ୍ଗର କାର୍ଟୁନ୍ ଇଡ୍ଲି ତିଆରି କରି ରେକର୍ଡ ସ୍ଥାପନ କରିସାରିଥିବାବେଳେ ତାଙ୍କ ହାତ ତିଆରି ‘ଫଳ-ଇଡ୍ଲି’ ଗ୍ରାହକଙ୍କର ଖୁବ୍ ପ୍ରିୟ। ସବୁଠୁ ବଡ଼ ଇଡ୍ଲି ତିଆରି କରିବାର ରେକର୍ଡରେ ମଧ୍ୟ ଏନ୍ନିୟାବନ୍ଙ୍କ ନାମ ଉଲ୍ଲେଖ ହୋଇଛି। ଏହି ବଡ଼ ଇଡ୍ଲିର ଓଜନ ୧୨୪ କିଲୋ। ଆଗାମୀ କିଛି ମାସ ମଧ୍ୟରେ ସେ ୩୦୦ ପ୍ରକାରର ନୂତନ ଆକାରର ଇଡ୍ଲି ତିଆରି କରିବେ ବୋଲି ଗଣମାଧ୍ୟମକୁ ଅବଗତ କରାଇଛନ୍ତି।



