ଜଳ ପ୍ରବାହ ନଦୀର ଅଧିକାର :ରାଜେନ୍ଦ୍ର ସିଂ
ଭୁବନେଶ୍ୱର:ଜଳ ଉପରେ ମାନବର ଅଧିକାର ଭଳି ଜଳ ପ୍ରବାହ ଉପରେ ନଦୀର ଅଧିକାର ରହିଛି। ଏହି ଅଧିକାରରୁ ନଦୀକୁ ବଞ୍ଚିତ କରାଗଲେ ତାହା ପ୍ରକୃତି ବିରୋଧି ହେବ ବୋଲି ଜଳ ମାନବ ଡ.ରାଜେନ୍ଦ୍ର ସିଂ କହିଛନ୍ତି।
ଜୟଦେବ ଭବନଠାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ରାଜ୍ୟସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ଡ. ସିଂହ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ମହାନଦୀର ସମସ୍ୟାକୁ ଗୁରୁତର ବୋଲି କହିଥିଲେ। ରାଜ୍ୟର ସମସ୍ତ ସଂଗଠନକୁ ଏକତ୍ର ହୋଇ ଏହା ବିରୋଧରେ ଲଢ଼େଇ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।
ସେ କହିଛନ୍ତି ଯେ ଭାରତରେ ବହି ଯାଉଥିବା ନଦୀ ସାଧାରଣ ଲୋକଙ୍କ ସମ୍ପଦ। ତାହାର ଜଳକୁ ଏବଂ ନଦୀର ଶଯ୍ୟାକୁ କବ୍ଜା କରିବା ପାଇଁ ଉଦ୍ୟମ କରାଯାଉଛି। ଦୁଇବର୍ଷ ଧରି ଆତ୍ମବିଶ୍ୱାସ ସହିତ ଯେଉଁ ଆନ୍ଦୋଳନ ଚାଲିଛି ତାହା ସ୍ୱତନ୍ତ୍ର ଭାବେ ରାଜ୍ୟର ସବୁ ବର୍ଗକୁ ଯୋଡ଼ିବାକୁ ପ୍ରୟାସ କରିଛି। ମହାନଦୀ ଆନ୍ଦୋଳନ ଓଡ଼ିଶା ଲୋକଙ୍କୁ ନୂଆ ମାର୍ଗ ଦେଖାଇଛି ତାହାର ସୁରକ୍ଷା କରିବାକୁ ହେବ। ଚିରସ୍ରୋତା ନଦୀର ଅଧିକାରକୁ କୌଣସି ମତେ ବଞ୍ଚିତ କରାଯାଇପାରିବ ନାହିଁ। ସୂର୍ଯ୍ୟାଲୋକ ମାଟି ଉପରେ ମଣିଷର ଯେଭଳି ଅଧିକାର ରହିଛି ସେହିଭଳି ନଦୀ କୌଣସି ଭୂଖଣ୍ଡବାସୀଙ୍କ ଅଧିକାର ଅପେକ୍ଷା ସବୁ ମଣିଷଙ୍କ ଅଧିକାର ରହିଛି। ମହାନଦୀ ଆନ୍ଦୋଳନ ଦେଶ ଦୁନିଆକୁ ଏକ ନୂଆ ରାସ୍ତା ଦେଖାଇବ । ମଙ୍ଗଳବାର ମହାନଦୀ ବଞ୍ଚାଅ ଆନ୍ଦୋଳନରେ ରାଜ୍ୟସ୍ତରୀୟ ବୁଦ୍ଧିଜିବୀ ସମ୍ମିଳନୀରେ ଲେଖକ, କବୀ, କଳାକାର, ଚିତ୍ରଶିଳ୍ପୀ ଓ ବିଶେଷଜ୍ଞମାନେ ସାମିଲ୍ ହୋଇଥିଲେ। ମହାନଦୀର ଏହି ସମସ୍ୟାରେ ସମସ୍ତେ ନିଜ ନିଜ କ୍ଷେତ୍ରରେ ପ୍ରୟାସ କରି ମହାନଦୀ ବଞ୍ଚାଅ ଆନ୍ଦୋଳରେ ସାମିଲ୍ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ଛତିଶଗଡ଼ର ବେଆଇନ୍ ପ୍ରକଳ୍ପ ମାଧ୍ୟମରେ ମହାନଦୀକୁ ହତ୍ୟା କରି ଓଡ଼ିଶାକୁ ଜଳ ସଂକଟ ମଧ୍ୟକୁ ଠେଲି ଦେଇଥିବାରୁ ସମସ୍ତେ ଏହାକୁ ଦୃôଢ଼ ନିନ୍ଦା କରିବା ଉଚିତ ପଦକ୍ଷେପ ହେବ ବୋଲି ବକ୍ତାମାନେ କହିଛନ୍ତି।
ପ୍ରାରମ୍ଭରେ ବିଜୟ ପ୍ରଧାନଙ୍କ ସଂଯୋଜନାରେ ନାଟକ, କବିତା ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବିଶୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ପ୍ରବକ୍ତା ମନୋଜ ଜେନା ସଭା ପରିଚାଳନା କରିଥିଲେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମହାନଦୀକୁ ଆମ ଆଗାମୀ ପିଢ଼ୀ ପାଇଁ ସୁରକ୍ଷିତ ରଖିବାକୁ ସଂକଳ୍ପ ନେବାକୁ ନିବେଦନ କରିଥିଲେ। ଆବାହକ ସୁଦର୍ଶନ ଦାସ ଆନ୍ଦୋଳନର ଆଭିମୁଖ୍ୟ ଓ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂ ରମେଶ ଚନ୍ଦ୍ର ସେଠୀ, ଶିଶିରକାନ୍ତ ବେହେରା, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଅନୁପ ସାଏ, ଦୂର୍ଗା ସାମନ୍ତରାୟ, କର୍ମଚାରୀ ମହାମଞ୍ଚର ଆବାହକ ପ୍ରଭାତ ମହାନ୍ତି, ଆଇନଜୀବୀ ସଂଘର ସଭାପତି ଜ୍ଞାନ ମହାନ୍ତି, ସିପିଆଇଏମ୍ର ଜମ୍ବେଶ୍ୱର ସାମନ୍ତରାୟ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ବ୍ୟବସାୟୀ ସଂଘର ସୁଧାକର ପଣ୍ଡା, ପରିବେଶବିତ ଅନୀତା ସାବତ ପ୍ରମୁଖ ଉପସ୍ଥିତ ଥିଲେ।