ଅଧିକାରୀଙ୍କ ବିରୋଧରେ ବିମାନ ପରିଚାରିକାଙ୍କ ଯୌନ ନିର୍ଯାତନା ଅଭିଯୋଗ
ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଜଣେ ବିମାନ ପରିଚାରିକା ତାଙ୍କ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ନେଇ ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଲିଖିତ ଅଭିଯୋଗ କରିବା ସହ ଏହାକୁ ଟ୍ୱିଟର୍ ପୃଷ୍ଠାରେ ଉପସ୍ଥାପନ କରିଛନ୍ତି। ସମ୍ପୃକ୍ତ ଅଧିକାରୀ ତାଙ୍କୁ ଗତ ଛ’ବର୍ଷ ଧରି ଯୌନ ଶୋଷଣ କରିବା ସହ କାର୍ଯ୍ୟ କ୍ଷେତ୍ରରେ ବାଛବିଚାର କରି ଆସୁଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସେ ଖୁବ୍ ପ୍ରଭବାଶାଳୀ ଥିବାରୁ ସେମାନେ ଏଥିରେ ମୁଣ୍ଡ ନ ପୂରାଇବାକୁ କହୁଥିବା ସମ୍ପୃକ୍ତ ବିମାନ ପରିଚାରିକା ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ; କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ପୁରସ୍କୃତ କରିଥିବା ଓ ମହିଳା କର୍ମଚାରୀ ବିଭାଗ ମଧ୍ୟ ନିରବତା ଅବଲମ୍ବନ କରୁଥିବା ସେ କହିଛନ୍ତି। ପୂର୍ବରୁ ଏୟାର ଇଣ୍ଡିଆର କିଛି ମହିଳା କର୍ମଚାରୀ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ଶିକାର ହୋଇଥିଲେ ମଧ୍ୟ ଭୟରେ ପାଟି ଖୋଲି ନଥିବା ସେ ଅଭିଯୋଗ କରିଛନ୍ତି। ଏହି ନିର୍ଯାତନାର କାହାଣୀ ନିକଟରେ ଗିରଫ ହୋଇଥିବା ହଲିଉଡ୍ ନିର୍ଦେଶକ ହାର୍ଭେ ୱିନ୍ଷ୍ଟେନ୍ ଓ ବିଲ୍ କସ୍ବି ମାମଲାଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି। ଅଭିଯୋଗ ପାଇବା ପରେ ମନ୍ତ୍ରୀ ଶ୍ରୀ ପ୍ରଭୁ ଏୟାର ଇଣ୍ଡିଆ ସିଏମ୍ଡିଙ୍କୁ ତୁରନ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ଆବଶ୍ୟକ ହେଲେ ସ୍ୱତନ୍ତ୍ର କମିଟି ଗଠନ କରି ଏହାର ତଦନ୍ତ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଭିଯୋଗକାରିଣୀ ଜଣେ ସ୍ୱାମୀ ପରିତ୍ୟକ୍ତା ଓ ଗୋଟିଏ ସନ୍ତାନର ମାଆ।