ଗିଲଗିଟ୍‍-ବାଲଟ୍‍ିସ୍ତାନ ପ୍ରସଙ୍ଗରେ ଚୀନ ନିରବ

0

ବେଜିଂ : ଗିଲଗିଟ୍‍-ବାଲଟ୍‍ିସ୍ତାନ ପ୍ରଶାସନକୁ ସମ୍ପୂର୍ଣ୍ଣ ରୂପେ ନିଜ ହାତକୁ ନେବା ପାଇଁ ପାକିସ୍ତାନ ସରକାରଙ୍କ ନୂଆ ପଦକ୍ଷେପ ଉପରେ ସିଧାସଳଖ ମତ ଦେବାକୁ ଚୀନ ମନାକରିଦେଇଛି। ତେବେ ଭାରତ ଏବଂ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟରେ କାଶ୍ମୀର ବିବାଦର ସମାଧାନ କରିବା ଆବଶ୍ୟକ ବୋଲି ଚୀନ କହିଛି। ଚୀନ ପାକିସ୍ତାନ ଆର୍ଥିକ କରିଡ଼ର (ସିପିଇସି) ପ୍ରକଳ୍ପ ଅନୁସାରେ ବିବାଦୀୟ ଗିଲଗିଟ୍‍-ବାଲଟ୍‍ିସ୍ତାନ ଅଞ୍ଚଳ ଦେଇ ଯିବାକୁ ଥିବା ରାସ୍ତା ଯୋଗୁଁ କାଶ୍ମୀର ପ୍ରସଙ୍ଗରେ ତାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ଉଲ୍ଲେଖ ଯେ ୨୧ ମଇରେ ପାକିସ୍ତାନ କ୍ୟାବିଟେନ୍‍ ଗିଲଗିଟ୍‍-ବାଲଟି୍‍ସ୍ତାନ ସମ୍ବନ୍ଧୀୟ ଏକ ବିଧେୟକକୁ ଅନୁମୋଦନ ପ୍ରଦାନ କରିଥିଲା। ଏପରିକି ଅଞ୍ଚଳର ବିଧାନସଭା ଏହି ବିଧେୟକକୁ ସମର୍ଥନ କରିଛି। ବିବାଦୀୟ ଗିଲଗିଟ୍‍-ବାଲ୍‍ଟିସ୍ତାନକୁ ପାକିସ୍ତାନର ପଞ୍ଚମ ରାଜ୍ୟ ମାନ୍ୟତା ଦେବା ପାଇଁ ଏହି ବିଧେୟକ ପାରିତ ହୋଇଥିବା କୁହାଯାଉଛି। ପାକିସ୍ତାନର ଏହି ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଭାରତ ସରାକର ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଉପଉଚ୍ଚାୟୁକ୍ତଙ୍କୁ ସମନ ଜାରି କରି ପ୍ରତିବାଦ ଜଣାଇଛନ୍ତି। ଭାରତ ପକ୍ଷରୁ କୁହାଯାଇଛି ଯେ ଜାମ୍ମୁ କାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ ଓ ଗିଲଗିଟ୍‍ ବାଲଟ୍‍ିସ୍ତାନ ଜାମ୍ମୁ କାଶ୍ମୀର ଏକ ଅଂଶ ଅଟେ। ପାକିସ୍ତାନ ଗିଲଗିଟ୍‍ ବାଲଟି୍‍ସ୍ତାନକୁ ବଳପୂର୍ବକ ଦଖଲ କରିଥିବାରୁ ଏହାର ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ କରିପାରିବ ନାହିଁ। ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନିଆଙ୍ଗ ମଙ୍ଗଳବାର କହିଛନ୍ତି ଯେ କାଶ୍ମୀର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଐତିହାସିକ ବିବାଦ। ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଉଭୟ ରାଷ୍ଟ୍ର ଏହି ବିବାଦର ସମାଧାନ କରିବା ଆବଶ୍ୟକ। ଗିଲଗିଟ୍‍ ବାଲଟି୍‍ସ୍ତାନ ଦେଇ ସିପିଇସି ମାର୍ଗ ନିର୍ମାଣ କରାଯାଉଛି। ତେବେ ଏହାଯୋଗୁଁ କାଶ୍ମୀର ପ୍ରସଙ୍ଗରେ ତାର ଆଭିମୁଖ୍ୟ କୌଣସି ରୂପେ ପ୍ରଭାବିତ ହେବ ନାହିଁ। ଉଭୟ ରାଷ୍ଟ୍ର ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧନ କରିବା ଆବଶ୍ୟକ ବୋଲି ଚୀନ କହିଆସୁଥିଲାବେଳେ ଏହି ଆଭିମୁଖ୍ୟରେ ପରିବର୍ତ୍ତନ ହେବ ନାହିଁ।

Leave A Reply