ଆରଏସ୍‍ଏସ୍‍ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଣବ ମୁଖାର୍ଜୀ

0

ନାଗପୁର : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନାଗପୁରଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‍ଏସ୍‍)ର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଛି। ପ୍ରଣବ ମୁଖାର୍ଜୀ ସଂଘର ଶିକ୍ଷା ବର୍ଗରେ ୨୫ ଦିନ ହେଲା ଚାଲିଥିବା କାର୍ଯ୍ୟକ୍ରମର ଉଦ୍‍ଯାପନୀ ଉତ୍ସବରେ ଭାଗ ନେବେ। ଜୁନ୍‍ ୭ରେ ଏହି ସମାପନ ଉତ୍ସବ ଅନୁଷ୍ଠିତ ହେବ। ଏଥିନିମନ୍ତେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆରଏସ୍‍ଏସ୍‍ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା ଓ ସେ ଏହାକୁ ଗ୍ରହଣ କରିଛନ୍ତି। ଆରଏସ୍‍ଏସ୍‍ ପକ୍ଷରୁ କୁହାଯାଇଛି ଯେ ସଂଘର ପରମ୍ପରା ଅନୁସାରେ ଦେଶ ପାଇଁ ନିଜ ଜୀବନକୁ ସେବାରେ ଲଗାଇଥିବା ବିଶିଷ୍ଟ ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଥାଏ। ଚଳିତ ଥର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସଂଘର ଏକ ଉଦ୍‍ଯାପନୀ ଉତ୍ସବ ପାଇଁ ଆମନ୍ତ୍ରଣ କରାଯାଇଥିଲା ଓ ସେ ଏହାକୁ ଗ୍ରହଣ କରିଛନ୍ତି। ଏହି ସମାପନ ଉତ୍ସବରେ ଗୋଟିଏ ମଞ୍ଚରେ ପ୍ରଣବଙ୍କ ସହ ସଂଘ ପ୍ରମୁଖ ମୋହନ ଭାଗବତଙ୍କୁ ଦେଖିବାକୁ ମିଳିବ। ପ୍ରଣବ ମୁଖାର୍ଜୀ ଏହି ଉତ୍ସବରେ ୭୦୦ ସ୍ୱଂୟସେବକଙ୍କୁ ସମ୍ବୋଧିତ କରିବେ। ଆରଏସ୍‍ଏସ୍‍ ବରିଷ୍ଠ ନେତା ଗୁରୁମୂର୍ତ୍ତି ଏକ ଟ୍ୱିଟ୍‍ କରି ପ୍ରଣବ ମୁଖାର୍ଜୀଙ୍କୁ ନୂଆ ସର୍ଦ୍ଦାର ପଟେଲ ବୋଲି ସମ୍ବୋଧିତ କରିଛନ୍ତି। ସେ ଟ୍ୱିଟ୍‍ କରିଛନ୍ତି ଯେ ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ପ୍ରଣବ ମୁଖାର୍ଜୀ କଂଗ୍ରେସର ନେତା ଥିଲେ ଓ ବିଜେପିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ପ୍ରଣବ ଦା’ଙ୍କ ନିକଟରେ ଦେଶ ସର୍ବଦା କୃତଜ୍ଞ ରହିବ। ସେ ଦେଶର ସର୍ବଦା ସେବା କରିଆସୁଥିବା ଏକ ସଂଗଠନର କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଛନ୍ତି। ଏହା ତାଙ୍କ ମହାନତାକୁ ପ୍ରମାଣିତ କରୁଛି।

Leave A Reply