ଏଲଓସିରେ ନିର୍ମିତ ହେବ ୫୫୦୦ ବଙ୍କର
ଜାମ୍ମୁ : ଜାମ୍ମୁ କାଶ୍ମୀରର ରାଜୌରୀ ଜିଲା ସନ୍ନିକଟ ନିୟନ୍ତ୍ରଣ ରେଖାରେ (ଏଲଓସି) ୫୫୦୦ ବଙ୍କର ନିର୍ମାଣ କରାଯିବ ବୋଲି ଜଣାପଡିଛି। ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସୈନ୍ୟଙ୍କ ପକ୍ଷରୁ ନିୟମିତ ଭାବେ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଉଛି। ଫଳରେ ପାକ୍ ସୈନ୍ୟଙ୍କ ଗୁଳିରେ ଏଲଓସି ସଂଲଗ୍ନ ଗ୍ରାମରେ ବସବାସ କରୁଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ସ୍ଥାନୀୟ ଲୋକେ ମୃତାହତ ହେଉଥିବାବେଳେ ଶିକ୍ଷାନୁଷ୍ଠାନଗୁଡିକୁ ମଧ୍ୟ ବନ୍ଦ ରଖିବାକୁ ପଡୁଛି। ତେଣୁ ପାକ୍ ସୈନ୍ୟଙ୍କ ଗୁଳିରୁ ସ୍ଥାନୀୟ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଚଳିତ ଆର୍ôଥକବର୍ଷ ଶେଷ ସୁଦ୍ଧା ୧୫୩.୬୦ କୋଟି ଟଙ୍କା ବ୍ୟୟରେ ଏହି ମେଗା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଫଳରେ ଅସ୍ତ୍ରବିରତି ଉଲ୍ଲଘଂନ ସମୟରେ ପ୍ରଭାବିତ ଲୋକମାନେ ଏହି ବଙ୍କରରେ ଆଶ୍ରୟ ନେଇପାରିବେ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଇତିମଧ୍ୟରେ ବଙ୍କର ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ଦେଇସାରିଛନ୍ତି। ପ୍ରକଳ୍ପ ମଧ୍ୟରେ ଫ୍ୟାମିଲି ବଙ୍କର, କମ୍ୟୁନିଟି ବଙ୍କର, କମ୍ୟୁନିଟି ହଲ୍ ଓ ବର୍ଡର ଭବନ ନିର୍ମିତ ହେବ ବୋଲି ଜଣାପଡିଛି। ପାକିସ୍ତାନ ସଂଲଗ୍ନ ଏହି ଜିଲାରେ ୧୨୦ କିମି ଦୈର୍ଘ୍ୟ ବିଶିଷ୍ଟ ସୀମାରେ ଏହି ବଙ୍କରଗୁଡିକ ନିର୍ମାଣ କରାଯିବ। ଏହାବ୍ୟତୀତ ନିୟନ୍ତ୍ରଣ ରେଖାରୁ ୩ କିମି ଦୂରରେ ଥିବା ଗ୍ରାମଗୁଡିକରେ ୨୬୦ଟି କମ୍ୟୁନିଟି ବଙ୍କର ଓ ୧୬୦ଟି କମ୍ୟୁନିଟି ହଲ୍ ନିର୍ମାଣ ଯୋଜନା ରହିଛି। ଫ୍ୟାମିଲି ବଙ୍କରରେ ଏକାସାଙ୍ଗରେ ୮ରୁ ୧୦ ଜଣ ଆଶ୍ରୟ ନେଇପାରୁଥିବାବେଳେ କମ୍ୟୁନିଟି ବଙ୍କରରେ ଏକାସାଙ୍ଗରେ ୧୫୦-୧୭୦ ଜଣ ଓ ବର୍ଡର ଭବନରେ ୧୦,୦୦୦ ଲୋକ ଆଶ୍ରୟ ନେଇପାରିବେ ବୋଲି ଜଣାପଡିଛି। ରାଜୌରୀ ଜିଲାର ସୁନ୍ଦରବନି, ନୌସେରା, ଡୁଙ୍ଗି, ରାଜୌରୀ ଓ ମାଞ୍ଜାକୋଟ୍ରେ ବର୍ଡର ଭବନ ନିର୍ମାଣ କରାଯିବ। ଜୁନ ଶେଷ ସୁଦ୍ଧା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦେଶାବଳୀ ଅନୁଯାୟୀ ଟେଣ୍ଡର ପ୍ରକ୍ରିୟା ଶେଷ କରାଯିବ। ପୁନଶ୍ଚ ବିଦ୍ୟାଳୟ ନିକଟରେ ଏହି ବଙ୍କର ନିର୍ମାଣ କରିବାକୁ ନିର୍ଦେଶ ଦିଆଯାଇଛି। ଫଳରେ ଅସ୍ତ୍ରବିରତି ଉଲ୍ଲଘଂନ ସମୟରେ ବଙ୍କରରେ ଆଶ୍ରୟ ନେଇଥିବା ପିଲାମାନେ ଯେପରି ଅନାୟାସରେ ବିଦ୍ୟାଳୟ ଯାଇପାରିବେ ବୋଲି କୁହାଯାଇଛି। ବଙ୍କର ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇଦେବାକୁ ରାଜୌରୀ ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଛି। ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ପୁଲିସ ମିଳତଭାବେ ବଙ୍କର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବେ ବୋଲି ଜଣାପଡିଛି।