ଦୁଇଟି ସ୍ଥାନରେ ଚାକିରି କରି ଧରାପଡ଼ିଲେ ୨ କର୍ମଚାରୀ, ଏତଲା ରୁଜୁ ପାଇଁ ବିଡିଓଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶ
ଯାଜପୁର: ଦୁଇଟି ସ୍ଥାନରେ ଚାକିରି କରିବା ସହିତ ଦୁଇଟି ସ୍ଥାନରୁ ସରକାରଙ୍କଠାରୁ ଦରମା ପାଉଥିଲେ। ଦୁଇ କର୍ମଚାରୀଙ୍କ ଏଭଳି କାରନାମା ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଉଭୟଙ୍କୁ କାର୍ଯ୍ୟରୁ ବିବା କରାଯିବା ସହିତ ସରକାରୀ ତହବିଲରୁ ସେମାନେ ଦରମା ବାବଦରେ ଯେଉଁ ଅର୍ଥ ନେଇଛନ୍ତି ତାହାକୁ ଫେରସ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ଉଭୟଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଜିଲାପାଳ ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି। ଘଟଣାଟି ଯାଜପୁର ଜିଲାରେ ଘଟିଥିବାବେଳେ କର୍ମଚାରୀ ଦ୍ବୟ ହେଲେ ସୁଶାନ୍ତ କୁମାର ବିଶ୍ୱାଳ ଓ ତ୍ରିଲୋଚନ ପ୍ରଧାନ।
୨୦୧୬ରେ ସୁଶାନ୍ତ ଧର୍ମଶାଳା ବ୍ଲକରେ ଓ ତ୍ରିଲୋଚନ ବଡ଼ଚଣା ବ୍ଲକରେ ସରକାରୀ ବୋଟ୍ ଚାଳକ ଭାବେ ନିଯୁକ୍ତି ପାଇଥିଲେ। ସେହିବର୍ଷ ଯାଜପୁର ରୋଡ୍ରେ ଭୁବନେଶ୍ଵରର ଟଚ୍ ଷ୍ଟୋନ ଫାଉଣ୍ଡେଶନ ଅଧୀନରେ ଆହାର କେନ୍ଦ୍ର ଖୋଲାଯାଇଥିଲା। ଉଭୟେ ଏଠାରେ ମଧ୍ୟ ନିଯୁକ୍ତ ପାଇ କାମ କରିଆସୁଥିଲେ। ଏ ସମ୍ପର୍କରେ ପ୍ରଶାସନକୁ ସୂଚନା ମିଳିବା ପରେ ଏହାର ଅନୁସନ୍ଧାନ କରାଯାଇଥିଲା। ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ନିଜେ ଏହାର ତଦନ୍ତ ଆରମ୍ଭ କରିଥିଲେ। ଏପରିକି ଜିଲ୍ଲାପାଳ ନିଜେ ଯାଜପୁର ରୋଡ଼ ଆହର କେନ୍ଦ୍ର ପରିଦର୍ଶନ କରି ଏ ଦୁଇ ବ୍ୟକ୍ତିଙ୍କୁ ଠାବ କରିବା ସହ ଠକାମିର ସତ୍ୟତା ସମ୍ପର୍କରେ ନିଶ୍ଚିତ ହୋଇଥିଲେ। ଜିଲ୍ଲାପାଳ ସେମାନଙ୍କ ନାଁରେ ମାମଲା ରୁଜୁ ସହ ସେମାନଙ୍କ ଠାରୁ ପ୍ରଦାନ କରାଯାଇଥିବା ଅର୍ଥ ଫେରସ୍ତ ଆଣିବା ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଟଚ୍ ଷ୍ଟୋନ ଫାଉଣ୍ଡେସନ ଉଭୟ କର୍ମଚାରୀଙ୍କୁ ତୁରନ୍ତ ଆହାର କେନ୍ଦ୍ରରୁ ବହିସ୍କାର କରିବା ପାଇଁ ଭାରପ୍ରାପ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଟି ଜାଗାରେ ଚାକିରି କରିବାରେ ଏହି ଦୁଇ ଜଣଙ୍କୁ ସହଯୋଗ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ପରବର୍ତ୍ତୀ ସମୟରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
Comments are closed.