ଭୁବନେଶ୍ଵର: ୧୭ଟି କାର୍ଯ୍ୟ ଦିବସ ଆଗରୁ ବିଧାନସଭାକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଜେପି ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛି। ନିର୍ଦ୍ଦିଷ୍ଟ ଦଳର ଚାପରେ ପଡ଼ି ବାଚସ୍ପତି ଏପରି ନିଷ୍ପତ୍ତି ନେଇଥିବା ବିଜେପି ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ବାଚସ୍ପତିଙ୍କ ଏହି ନିଷ୍ପତ୍ତି ଅଗଣତାନ୍ତ୍ରିକ ଏବଂ ରାଜ୍ୟ ବିରୋଧୀ। ଏହା ସମ୍ପୂର୍ଣ୍ଣ ରୂପେ ମନମାନି ଏବଂ ସ୍ଵେଚ୍ଛାଚାରିତା। ନିର୍ଦ୍ଦିଷ୍ଟ ଦଳର ଚାପରେ ଆସି ବାଚସ୍ପତି ଗୃହକୁ ବନ୍ଦ ରଖିଲେ। ରାଜ୍ୟରେ ସରକାର ସମ୍ପୂର୍ଣ୍ଣ ସମ୍ବେଦନହୀନ ଏବଂ ନିର୍ଲଜ ଭାବେ ଚାଲିଛି। ସ୍ମିତାରାଣୀ, ଟୋକନ ଅବ୍ୟବସ୍ଥା ପ୍ରସଙ୍ଗ ସତ୍ବେ ସରକାର ଆଲୋଚନା କଲେନି ବୋଲି ସେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଗୁରୁବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ। କୌଣସି ଗୁରୁତ୍ଵପୂର୍ଣ୍ଣ ସରକାରୀ କାର୍ଯ୍ୟ ନ ଥିବାରୁ ବାଚସ୍ପତି ବିଧାନସଭାର ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ବନ୍ଦ କରିବାକୁ ଘୋଷଣା କରିଥିଲେ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଥିଲା। ତନ୍ମଧ୍ୟରୁ ୧୩ଟି କାର୍ଯ୍ୟ ଦିବସ ସମ୍ପୂର୍ଣ୍ଣ ହୋଇଛି।



