ନୂଆଦିଲ୍ଲୀ: ଏଣିକି କେବଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାରକୁ ଏସପିଜି ସୁରକ୍ଷା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ପଦ ଯିବା ପରେ ୫ବର୍ଷ ପର୍ଯ୍ୟନ୍ତ ଏହି ସୁରକ୍ଷା ପ୍ରଦାନ କରାଯିବ। ୫ବର୍ଷ ପରେ ତାହା ହଟାଇ ଦିଆଯିବ। ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂସଦରେ ଉପସ୍ଥାପନ କରିଥିବା ଏସପିଜି ସଂଶୋଧନ ବିଲ୍ରେ ଏଭଳି ବ୍ୟବସ୍ଥା କରାଯାଇଛି। ପୂର୍ବରୁ ରହିଥିବା ଆଇନରେ ସଂଶୋଧନ ଆଣି ଏହି ନୂଆ ବ୍ୟବସ୍ଥା କରାଯାଇଛି। ସଂସଦରେ ବିଲ୍ ଆଗତ ହେବା ପରେ ଏହା ଉପରେ ଜୋରଦାର ଆଲୋଚନା ହୋଇଥିଲା।
ଶାହ ଲୋକସଭାରେ କହିଥିଲେ ଯେ, ମୁଁ ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ(ଏସପିଜି) ଅଧିନିୟମରେ ସଂଶୋଧନ ଲାଗି ଏଠାକୁ ଆସିଛି। ସଂଶୋଧନ ପରେ ଏହା ଅଧୀନରେ ଏସପିଜି ସୁରକ୍ଷା କେବଳ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ, ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ତାଙ୍କ ସାଥୀରେ ରହୁଥିବେ। କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର, ଯେଉଁମାନେ ସରକାରଙ୍କ ଦ୍ବାରା ଆବଣ୍ଟିତ ବାସଭବନରେ ରହୁଛନ୍ତି, ସେମାନଙ୍କୁ ୫ବର୍ଷ ଯାଏ ଏସପିଜି ସୁରକ୍ଷା ମିଳିବ। ସୂଚନାଯୋଗ୍ୟ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ସାଂସଦ ରାହୁଲ ଗାନ୍ଧୀଙ୍କଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିନେବା ଲାଗି କେନ୍ଦ୍ର ସରକାର ଯେତେବେଳେ ନିଷ୍ପତ୍ତି ନେଇଥିଲେ, ସେତେବେଳେ କଂଗ୍ରେସ ପକ୍ଷରୁ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା।



