ଯାଜପୁର: ଅଣ୍ଡା ଖାଇବାକୁ ନେଇ ଝଗଡ଼ା ହେବା ପରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ। ମୃତ ଯୁବକ ଜଣକ ହେଲେ ଟିକର ସାହିର ଗୁନା ବେହେରାଙ୍କ ପୁଅ ବିଶ୍ୱଭୂଷଣ।
ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ବିଶ୍ୱଭୂଷଣ ଓ ସମ୍ପର୍କୀୟ ଭାଇ ମାନସ ଦେଉରୀ ଦୁହେଁ ଆରୁହା ହାଟକୁ ଯାଇଥିଲେ। ସେଠାରେ ଅଣ୍ଡା ଖାଇବାକୁ କେନ୍ଦ୍ର କରି କିଛି ଲୋକଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ମାଡ଼ ମାରିବା ସହ ନିକଟସ୍ଥ କ୍ଲବ ଘରେ ବନ୍ଦ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ବିଶ୍ୱଭୂଷଣ କୁଆଡ଼େ ଚାଲିଯାଇଥିବା ଲୋକେ କହିଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ବିଶ୍ୱଭୂଷଣଙ୍କ ସନ୍ଧାନ ପାଇନଥିଲେ। ତେବେ ଆଜି ସକାଳୁ ନିକଟସ୍ଥ ବାଟିଜଙ୍ଗା ଲେଭଲ କ୍ରସିଂ ରେଳ ଧାରଣା କଡ଼ରେ ବିଶ୍ୱଭୂଷଣଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଖବର ପାଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଶ୍ବଭୂଷଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଧର୍ମଶାଳା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଣ୍ଡା ଖାଇବାକୁ ନେଇ ଝଗଡ଼ା: ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ
Popular Categories



