ନୂଆଦିଲ୍ଲୀ: ପଞ୍ଚକୁଳା ହିଂସାର ମୁଖ୍ୟ ଅଭିଯୁକ୍ତ ତଥା ଡେରା ମୁଖିଆ ଗୁରୁମୀତ ରାମ ରହିମଙ୍କ ତଥାକଥିତ ଝିଅ ହନିପ୍ରୀତ ସୁନାରିଆ ଜେଲରେ ଆତ୍ମାଘୋଷିତ ବାବାଙ୍କୁ ଦେଖା କରିପାରନ୍ତି। ଜେଲରେ ବାବା ଗୁରୁମୀତକୁ ଦେଖା କରିବା ପାଇଁ ହନିପ୍ରୀତ ଜେଲ ପ୍ରଶାସନ ନିକଟରେ ଆବେଦନ କରିଛନ୍ତି। ଯାହାକୁ ଜେଲ ପ୍ରଶାସନ ପକ୍ଷରୁ ସ୍ବୀକାର କରାଯାଇଥିବା ସୂଚନା ମିଳିଛି। ଗତ ବୁଧବାର ଦିନ ଏହି ମାମଲାରେ ଜେଲରୁ ମୁକୁଳିଥିବା ଅନ୍ୟ ଦୁଇ ଆଇନଜୀବୀ ଗୁରୁଦାସ ଏବଂ ହରିଶ ସୁନାରିଆ ଜେଲରେ ବାବା ରାମ ରହିମଙ୍କୁ ଦେଖା କରିଥିଲେ।
ହନିପ୍ରୀତ ଜେଲରୁ ମୁକୁଳିବା ପରେ ସେ ଗୁରମୀତ ରାମ ରହିମଙ୍କୁ ଦେଖା କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ନିୟମ ଅନୁସାରେ ହନିପ୍ରୀତ ବାବା ରାମ ରହିମଙ୍କୁ ଭେଟିବା ସମ୍ଭବ ନଥିଲା। କାରଣ ଗୁରୁମୀତଙ୍କୁ ଭେଟିବା ପାଇଁ ତାଙ୍କ ପରିବାରର ଯେଉଁ ୧୦ ଜଣ ସଦସ୍ୟଙ୍କ ନାମ ଜେଲ ରେଜିଷ୍ଟରରେ ଉଲ୍ଲେଖ ରହିଛି, ସେଥିରେ ହନିପ୍ରୀତଙ୍କ ନାମ ଉଲ୍ଲେଖ ନାହିଁ।
ସୂଚନାଯୋଗ୍ୟ, ନଭେମ୍ବର ୬ରେ ଜେଲରୁ ମୁକୁଳିବା ପରେ ହନିପ୍ରୀତ ସିରସା ଡେରାରେ ରହୁଛନ୍ତି। ଏହି ସମୟରେ ଡେରାରେ ହେଉଥିବା ସଙ୍ଗୀତ କୀର୍ତ୍ତନରେ ମଧ୍ୟ ସେ ଭାଗ ନେଉଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଡେରାର ପ୍ରତିଷ୍ଠାତା ଶାହ ମସ୍ତାନାଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ହନିପ୍ରୀତ ରାମ ରହିମଙ୍କ ପରିବାର ସଦସ୍ୟଙ୍କ ସହ ନଜର ଆସିଥିଲେ।



