ପ୍ରଧାନମନ୍ତ୍ରୀଙ୍କର ରୁଷ୍‍ ଗସ୍ତ : ସୋଚିରେ ମୋଦି-ପୁଟିନ ଅନୌପଚାରିକ ବୈଠକ

0

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷ ଗସ୍ତରେ ଯାଉଛନ୍ତି । ମୋଦିଙ୍କର ଏହି ଗସ୍ତ ସମ୍ପୂର୍ଣ୍ଣ ରୂପେ ଅନୌପଚାରିକ। ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ କ୍ରମେ ମୋଦି ଏହି ଗସ୍ତରେ ଯାଉଛନ୍ତି। ସୋଚି ଠାରେ ଉଭୟ ନେତାଙ୍କ ମଧ୍ୟରେ ଅନୌପଚାରିକ ବୈଠକ ହେବ। ତେବେ ଏହି ଅନୌପଚାରିକ ବୈଠକକୁ ନେଇ ମୋଦି ବେଶ ଉତ୍ସାହିତ। ଗସ୍ତ ପୂର୍ବରୁ ମୋଦି ଟୁଇଟ୍‍ କରି କହିଛନ୍ତି ଯେ ଏହି ସାକ୍ଷାତ ଆଲୋଚନାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି।
ଏହା ଦୁଇଦେଶର ସମ୍ପର୍କରେ ଉନ୍ନତି ଆଣିବାରେ ସହାୟକ ହେବ। ବିଶେଷକରି ଦୁଇଦେଶ ମଧ୍ୟରେ ସାମରିକ ସମ୍ପର୍କକୁ ସୁଦୃଢ କରିବାରେ ଏହା ବେଶ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ବିଶ୍ୱ ଓ ଆଞ୍ଚଳିକ ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ଆଲୋଚନା କରିବାର ସମ୍ଭାବନା ରହିଛି। ଭାରତ-ରୁଷ୍‍ ଆଣବିକ ସମନ୍ୱୟକୁ ତୃତୀୟ ଦେଶକୁ ସମ୍ପ୍ରସାରଣ କରିବାର ସମ୍ଭାବନା ରହିଛି। ପୁଟିନ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ହେବାର ଦୁଇ ସପ୍ତାହ ମଧ୍ୟରେ ମୋଦିଙ୍କୁ ସାକ୍ଷାତ ପାଇଁ ନିମନ୍ତ୍ରଣ କରିଛନ୍ତି। ରୁଷ୍‍ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପଙ୍କଜ ସରନ କହିଛନ୍ତି ଯେ ଦୁଇ ନେତାଙ୍କ ଆଲୋଚନା କାଳରେ ଆଫଗାନିସ୍ତାନ ଓ ସିରିୟା ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି। ମୋଦିଙ୍କର ଏହା ଦ୍ୱିତୀୟ ଅନୌପଚାରିକ ବିଦେଶ ଗସ୍ତ। ଏପ୍ରିଲ ୨୭ରେ ମୋଦି ଅନୌପଚାରିକ ଭାବେ ଚୀନ ଗସ୍ତରେ ଯାଇଥିଲେ। ଅନୌପଚାରି (ଇନଫର୍ମାଲ) ଗସ୍ତ ଅବସରରେ କୌଣସି ପ୍ରକାର ବୁଝାମଣା ସ୍ୱାକ୍ଷର କିମ୍ବା ମିଳିତ ଘୋଷଣାନାମା ପ୍ରକାଶ ପାଇ ନଥାଏ। କୂଟନୈତିକ ଅଧିକାରୀଙ୍କ କହିବା ଅନୁଯାୟୀ ଇନଫର୍ମାଲ ବୈଠକରେ ଦୁଇ ନେତା ଖୋଲା ମନରେ କଥାବାର୍ତ୍ତା ହୋଇଥାନ୍ତି। ଏଥିରେ କୌଣସି ପ୍ରକାର କୂଟନୈତିକ ଆଳଙ୍କାରିକ ନ ଥାଏ। ବୈଠକ ଶେଷ ପରେ ଭାରତ ସରକାର ଆଲୋଚନା ବାବଦରେ ସାମ୍ବାଦିକ ସମ୍ମିଳନୀ ଡକାଇ ସୂଚନା ପ୍ରଦାନ କରିବେ।

Leave A Reply