ଦିଲ୍ଲୀ, ବିହାର ସମେତ କେତେକ ରାଜ୍ୟରେ ଝଡ଼ ବର୍ଷା ନେଇ ସତର୍କ ସୂଚନା ଜାରି

0

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିଲ୍ଲୀ, ବିହାର ସମେତ କେତେକ ପୂର୍ବ ପଟ ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ସେହିପରି ଉତ୍ତର ଭାରତର ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ରାଜସ୍ଥାନ, ପୂର୍ବ ଭାରତର ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରମ, ତ୍ରିପୁରା, ସିକିମ୍‍, ପଶ୍ଚିମବଙ୍ଗ ଏବଂ ପୂର୍ବ ବିହାରରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ଦକ୍ଷିଣ ଭାରତର ତାମିଲନାଡୁ, ପୁଡ଼ୁଚେରୀ, ଉତ୍ତର କର୍ଣ୍ଣାଟକ ଏବଂ କେରଳର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ଆଶଙ୍କା ବ୍ୟକ୍ତି କରିଛି। ଆରବ ସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇ ଝଡ଼ରେ ପରିଣତ ହେବାକୁ ଯାଉଛି। ତେଣୁ ୨୧ରୁ ୨୩ ମଇ ପର୍ଯ୍ୟନ୍ତ ଆରବ ସାଗର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀ ଓ ଅନ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ଉତ୍ତରପ୍ରଦେଶରେ ମେ’ ୨୩ରେ ଝଡ଼ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଉଲ୍ଲେଖ ଯେ ମେ’ ୧୪ରେ ଝଡ଼ତୋଫାନ ବିତ୍ପାତରେ ୭ ରାଜ୍ୟରେ ୮୬ ଲୋକ ପ୍ରାଣ ହରାଇଥିଲେ ଓ ୧୩୬ ଆହତ ହୋଇଥିଲେ। ମେ’ ୮ରେ ଝଡ଼ ବର୍ଷାରେ ୧୪ ରାଜ୍ୟ ପ୍ରଭାବିତ ହୋଇଥିଲେ ଓ ୧୨୫ ଜଣ ପ୍ରାଣ ହରାଇଥିଲେ।
ପଶ୍ଚିମ ଗୋଳମାଳରୁ ବାରମ୍ବାର ବିଗୁଡୁଛି ପାଣିପାଗ : ଖରାଦିନେ ପାଣିପାଗରେ ଏଭଳି ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ମାତ୍ର ଚଳିତ ଥର ପାକିସ୍ତାନ ଏବଂ ଆଫଗାନିସ୍ତାନ ଉପର ବାୟୁମଣ୍ଡଳରେ ପଶ୍ଚିମ ଗୋଳମାଳ (ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ) ଏବଂ ରାଜସ୍ଥାନ, ଉତ୍ତରପ୍ରଦେଶ ଉପର ବାୟୁମଣ୍ଡଳରେ ଲଘୁଚାପ ପରିସ୍ଥିତି ଯୋଗୁ ବାରମ୍ବାର ପାଣିପାଗରେ ପରିବର୍ତ୍ତନ ଘଟୁଛି। ଗ୍ରୀଷ୍ମ ଦିନେ ପ୍ରଥମେ ୟୁରୋପ ଏବଂ ଆଫ୍ରିକା ମଧ୍ୟରେ ସ୍ଥିତ ଭୂମଧ୍ୟ ସାଗରରେ ତାପମାତ୍ରା ୨୫ ଡିଗ୍ରୀ ଉପରେ ପହଞ୍ଚିବା ପରେ ପଶ୍ଚିମ ଗୋଳମାଳ ସୃଷ୍ଟି ହୋଇଥାଏ। ଏପଟେ ଭାରତ, ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବାୟୁମଣ୍ଡଳ ଉତ୍ତପ୍ତ ହୋଇ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ। ଫଳରେ ସେଠାରୁ ଉତ୍ତପ୍ତ ବାୟୁ ତୁର୍କି, ଇରାନ ଅତିକ୍ରମ ଭାରତରେ ସୃଷ୍ଟି ଶୂନ୍ୟତାକୁ ପୂରଣ କରିବାକୁ ଜାମ୍ମୁ କାଶ୍ମୀରରେ ପହଞ୍ଚିଥାଏ। ଏଠାରେ ହିମାଳୟ ପର୍ବତରେ ପିଟି ହୋଇ ଭାରତରେ ବର୍ଷା କରିଥାଏ। ମାତ୍ର ଚଳିତ ଥର ରାଜସ୍ଥାନ, ଉତ୍ତରପ୍ରଦେଶ ଉପର ବାୟୁମଣ୍ଡଳରେ ସୃଷ୍ଟି ଲଘୁଚାପ ପରିସ୍ଥିତି ଯୋଗୁଁ ପାଣିପାଗରେ ବାରମ୍ବାର ପରିବର୍ତ୍ତନ ଘଟୁଛି।

Leave A Reply