www.samajalive.in
Friday, December 12, 2025
15.1 C
Bhubaneswar

ଭାରତ-ବାଂଲାଦେଶ ୩ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଆଜି : ସିରିଜ୍‌ ବିଜୟ ଲକ୍ଷ୍ୟରେ ଉଭୟ ଦଳ

ନାଗପୁର  : ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ରବିବାର ନାଗପୁରରେ ଖେଳାଯିବ। ଏହି ମ୍ୟାଚ୍‌ ଜିତି ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ଭାରତ ଓ ବାଂଲାଦେଶ ଦଳ। ଟ୍ବେଣ୍ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇଥିଲା। ବର୍ତ୍ତମାନ ସିରିଜ୍‌ ୧-୧ ସ୍ଥିତିରେ ରହିଥିବା ବେଳେ ତୃତୀୟ ମ୍ୟାଚ୍‌ ଜିତି ଉଭୟ ଦଳ ସିରିଜ୍‌ ହାତେଇବାକୁ ନିଶ୍ଚିତ ଭାବେ ଉଦ୍ୟମ କରିବେ। ଭାରତୀୟ ଦଳ ଚଳିତ ଘରୋଇ ସିିଜିନ୍‌ରେ ଟ୍ବେଣ୍ଟି୨୦ ସିରିଜ୍‌ ଜିତିନଥିବା ବେଳେ ବାଂଲାଦେଶ ବିପକ୍ଷ ସିରିଜ୍ ଜିତିବାକୁ ଆଶାବାଦୀ ରହିଛି।
ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇ ପରାସ୍ତ ହୋଇଥିଲା। ଦୁର୍ବଳ ଫିଲଡିଂ ଓ ଦାୟିତ୍ବହୀନ ଭାବେ ଖେଳିବା ଭାରତୀୟ କ୍ରିକେଟର୍‌ଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ତେବେ ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ବେଶ୍‌ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା। ବାଂଲାଦେଶକୁ ୧୫୩ ରନ୍‌ରେ ସୀମିତ ରଖିଥିଲା ଭାରତ। ପରବର୍ତ୍ତୀ ସମୟରେ ଭାରତୀୟ ଦଳର ନେତୃତ୍ବ ନେଉଥିବା ରୋହିତ ଶର୍ମା ବିସ୍ଫୋରକ ୮୫ ରନ୍‌ ସଂଗ୍ରହ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୟୁଜବେନ୍ଦ୍ର ଚହଲ୍‌ ୱିକେଟ୍‌ ହାସଲ କରିବା ଭାରତ ପାଇଁ ବେଶ୍‌ ଆଶ୍ବସ୍ତି ଆଣି ଦେଇଥିଲା। ତୃତୀୟ ମ୍ୟାଚ୍‌ରେ ଚହଲ୍‌ଙ୍କ ଠାରୁ ସମାନ ପ୍ରକାର ପ୍ରଦର୍ଶନର ଆଶା ରଖିଛି ଭାରତ। ସେହିପରି ରୋହିତ ଶର୍ମା ଯଦି ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଭଳି ବ୍ୟାଟିଂ ପ୍ରଦର୍ଶନ କରନ୍ତି ତେବେ ଭାରତୀୟ ଦଳକୁ ବିଜୟୀ ହେବାରେ କେହି ରୋକି ପାରିବେ ନାହିଁ। ସ୍ପିନର ଭାବେ ୱାଶିଂଟନ ସୁନ୍ଦର ଭଲ ପ୍ରଦର୍ଶନ କରି ବାଂଲା​ଦେଶ‌ ବ୍ୟାଟସମ୍ୟାନ୍‌ଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି ସତ ତେ​‌େ​‌ବ ଅଧିକ ୱିକେଟ୍‌ ହାସଲ କରିବାକୁ ସକ୍ଷମ ହୋଇ ପାରିନାହାନ୍ତି। ଦ୍ରୁତ ବୋଲର ଖଲିଲ୍‌ ଅହମ୍ମଦ ପୂର୍ବ ଦୁଇଟି ମ୍ୟାଚ୍‌ରେ ବେଶ୍‌ କିଛିସଂଖ୍ୟକ ରନ୍‌ ପ୍ରଦାନ କରିଥିବା ବେଳେ ତୃତୀୟ ମ୍ୟାଚ୍‌ରେ ତାଙ୍କ ସ୍ଥାନରେ ସାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। କ୍ରୁନାଲ ପାଣ୍ଡ୍ୟା ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ୱିକେଟ୍‌ ପାଇନଥିବା ବେଳେ ବ୍ୟାଟିଂରେ ତାଙ୍କୁ ବିଶେଷ ସୁଯୋଗ ମିଳିପାରି ନାହିଁ।
ମନୀଷ ପାଣ୍ଡେ, ସଞ୍ଜୁ ସାମସନ୍‌ ଓ ରାହୁଲ ଚହଲ୍‌ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ମ୍ୟାଚ୍‌ ଖେଳିନଥିବା ବେଳେ ତୃତୀୟ ମ୍ୟାଚ୍‌ରେ ସେମାନଙ୍କ ଖେଳିବା ଆଶା ପ୍ରାୟତଃ ନାହିଁ। ତେବେ ଆଗାମୀ ଦିନରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ଏହି କ୍ରିକେଟର୍‌ଙ୍କୁ ସୁଯୋଗ ମିଳିବ ବୋଲି ଆଶା ରହିଛି। ଭାରତୀୟ ଦଳର ବ୍ୟାଟିଂକୁ ଦୃଷ୍ଟି ଦେଲେ ଶ୍ରେୟାସ ଆୟାର ଆଖିଦୃଶିଆ ପ୍ରଦର୍ଶନ କରିଥିବା ବେଳେ କେଏଲ୍‌ ରାହୁଲ ଓ ଅଲରାଉଣ୍ଡର ଶିବମ୍‌ ଦୁବେ ସେପରି ଭଲ ବ୍ୟାଟିଂ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି।
ଅନ୍ୟପକ୍ଷରେ ବାଂଲା​‌େ​‌ଦଶ ଦଳକୁ ହାଲୁକା ଭାବେ ନେବା ଭାରତୀୟ ଦଳ ପାଇଁ ମହଙ୍ଗା ପଡ଼ିପାରେ। ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଦଳ ମୂଳରୁ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ମଧ୍ୟଭାଗରେ ଖରାପ ବ୍ୟାଟିଂ କରି ୧୫୩ ରନ୍‌ରେ ସୀମିତ ରହିଥିଲା। ଦଳରେ ମୁସ୍‌ଫିକୁର ରହିମଙ୍କ ଭଳି ଅଭିଜ୍ଞ ବ୍ୟାଟସମ୍ୟାନ୍‌ ରହିଛନ୍ତି। ଯେ କି ନିଜ ବ୍ୟାଟିଂ ବଳରେ ଦଳକୁ ବିଜୟୀ କରାଇବାକୁ ସକ୍ଷମ। ସେହିପରି ଦଳର ଅଧିନାୟକ ମହମ୍ମଦୁଲ୍ଲା ଜଣେ ଭଲ ଖେଳାଳି ହୋଇଥିବାରୁ ତୃତୀୟ ମ୍ୟାଚ୍‌ରେ ତାଙ୍କ ଠାରୁ ଭଲ ପ୍ରଦର୍ଶନର ଆଶା ରଖିଥିବ ବାଂଲାଦେଶ। ବାଂଲାଦେଶ ଦଳର ପ୍ରମୁଖ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ୍‌ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ଅଡୁଆରେ ପକାଇବାକୁ ବିଫଳ ହୋଇଥିବା ଦଳର ଚିନ୍ତାକୁ ବଢ଼ାଇ ଦେଇଛନ୍ତି। ତୃତୀୟ ମ୍ୟାଚ୍‌ରେ ବିଜୟୀ ହେବାକୁ ହେଲେ ବାଂଲାଦେଶ ଦଳର ଦ୍ରୁତ ବୋଲରଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। ଅନ୍ୟପକ୍ଷରେ ୨୦ ବର୍ଷୀୟ ଯୁବ ଲେଗ୍‌ସ୍ପିନର ଆମିନୁଲ୍ ବେଶ୍‌ ଭଲ ପ୍ରଦର୍ଶନ କରିଥିବାରୁ ତୃତୀୟ ମ୍ୟାଚ୍‌ରେ ସେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories