www.samajalive.in
Friday, December 12, 2025
15.1 C
Bhubaneswar

ସରକାର ଗଠନ ପାଇଁ ଫଡ଼ନବିସ୍‌ଙ୍କୁ ରାଜ୍ୟପାଳଙ୍କ ଡକରା : ୧୧ରେ ସଂଖ୍ୟାଗରିଷ୍ଠତା ପ୍ରମାଣ

ମୁମ୍ବଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ। ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳର ​ବିଧାୟକ ଦଳ ​‌ନେତା ଭାବେ ​‌ଫଡ଼ନବିସ୍‌ଙ୍କୁ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି। ସରକାର ଗଠନ କଲେ ଆସନ୍ତା ୧୧ ତାରିଖ ସୁଦ୍ଧା ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ତାଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ସରକାର ଗଠନ ପାଇଁ କ’ଣ ବିକଳ୍ପ ରହିଛି ତାହା ଖୋଜିବାକୁ କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ଙ୍କୁ ଶନିବାର ସନ୍ଧ୍ୟାରେ ପତ୍ର ​ଲେଖିଛନ୍ତି ରାଜ୍ୟପାଳ କୋଶିୟାରୀ । ଏ ସମ୍ପର୍କରେ ରାଜଭବନ ପକ୍ଷରୁ ପ୍ରକାଶିତ ସୂଚନାନୁଯାୟୀ, ବିଜେପି ଓ ଏହାର ମେଣ୍ଟ ସହଯୋଗୀ ଶିବସେନା ମଧ୍ୟରେ ବିବାଦ ଜାରି ରହିଥିବାରୁ ତାଙ୍କ ଦଳ ସରକାର ଗଠନ ନେଇ ଆଗ୍ରହୀ ଅଛି କି ନାହିଁ କିମ୍ବା ଦଳର ଏଥିପାଇଁ କ୍ଷମତା ରହିଛି କି ନାହିଁ ତାହା ଜଣାଇବାକୁ ଫଡ଼ନବିସ୍‌ଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। କୌଣସି ଦଳ ବା ମେଣ୍ଟ ସରକାର ଗଠନ ପାଇଁ ଆଗେଇ ଆସୁ ନ ଥିବାରୁ ରାଜ୍ୟପାଳ ଏକକ ସଂଖ୍ୟାଗରିଷ୍ଠ ଦଳକୁ ସୁଯୋଗ ଦେବା ପାଇଁ ଉଚିତ ମନେ କରିଛନ୍ତି।

ଫଡ଼ନବିସ୍‌ ଏହି ପତ୍ର ପାଇବା ପରେ ଏହା ଉପରେ ତର୍ଜମା କରୁଥିବା ସୂଚନା ମିଳିଛି। ରବିବାର ବିଜେପି କୋର୍‌ କମିଟି ବୈଠକ ଡକାଯାଇଛି। ଏଥିରେ ରାଜ୍ୟପାଳଙ୍କ ନିମନ୍ତ୍ରଣ ଉପରେ ଶୀଘ୍ର ନିଷ୍ପତ୍ତି ନେବ ବୋଲି ଫଡ଼ନବିସ୍‌ କହିଛନ୍ତି। ଦଳ ସମ୍ଭବତଃ ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବ ବୋଲି ସୂଚନା ମିଳିଛି। ବିଜେପି ଯଦି ରାଜ୍ୟପାଳଙ୍କ ପତ୍ର ଉପରେ ସକାରାତ୍ମକ ପଦକ୍ଷେପ ନିଏ; ତେବେ ଏହାକୁ ଧାର୍ଯ୍ୟ ୧୧ତାରିଖ ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ।
ଶୁକ୍ରବାର ୮ତାରିଖରେ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପରିପ୍ରେକ୍ଷୀରେ ଫଡ଼ନବିସ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ରାଜ୍ୟପାଳ ତାଙ୍କୁ ନୂଆ ସରକାର ଗଠନ ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ବିଜେପି ନେତାମାନେ ଇତିମଧ୍ୟରେ ଦୁଇ ଥର ରାଜଭବନ ଯାଇ ରାଜ୍ୟପାଳଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ମଧ୍ୟ ଅଦ୍ୟାବଧି ସରକାର ଗଠନ ପାଇଁ ଦାବି କରି ନାହିଁ। ସରକାର ଗଠନର ଅବଧି ଶନିବାର ଶେଷ ହୋଇଛି। ଆସନ୍ତା ସୋମବାର, ୧୧ତାରିଖରେ ଫଡ଼ନବିସ୍‌ ଯଦି ସଂଖ୍ୟାଗରିଷ୍ଠତା ପ୍ରମାଣରେ ବ୍ୟର୍ଥ ହୁଅନ୍ତି; ତେବେ ଦ୍ବିତୀୟ ବୃହତ୍ତମ ଦଳ ଭାବେ ଶିବସେନାକୁ ଏଥିପାଇଁ ରାଜ୍ୟପାଳ ସୁଯୋଗ ଦେଇପାରନ୍ତି କିମ୍ବା ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିସ କରିପାରନ୍ତି। ଅପରପକ୍ଷରେ ରାଜ୍ୟପାଳଙ୍କ ଏହି ପଦକ୍ଷେପ ପରେ ଏନ୍‌ସିପି ବିକଳ୍ପ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ନେତା ଶରଦ ପୱାର ଏଥିନେଇ ପ୍ରୟାସ ଚଳାଇଥିବା ସୂଚନା ମିିଳିଛି।
ଅପରପକ୍ଷରେ ବିଜେପି ପକ୍ଷରୁ ଏଥିନେଇ ଦାବି କରା ନ ଯିବାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ପୁନର୍ବାର ଏହାର ତୀବ୍ର ସମାଲୋଚନା କରିଛନ୍ତି। ଗୋଆ ଓ ମଣିପୁରରେ ରାଜ୍ୟପାଳଙ୍କ ସକ୍ରିୟ ସହଯୋଗ ଯୋଗୁଁ ଆବଶ୍ୟକ ସଂଖ୍ୟା ନ ଥାଇ ସୁଦ୍ଧା ବିଜେପି ସରକାର ଗଠନ କରିବାକୁ ସମର୍ଥ ହୋଇଥିଲା; କିନ୍ତୁ ମହାରାଷ୍ଟ୍ରରେ କାହିଁକି ଏହା ସରକାର ଗଠନ ପାଇଁ ଦାବି କରୁ ନାହିଁ ବୋଲି ସେ ଦଳର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଲେଖିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories