କୃଷି ଋଣ ଛାଡ଼ ଘୋଷଣା କଲେ ୟେଦୁରାପ୍ପା

0

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ମାତ୍ରେ ବି.ଏସ୍‍ ୟେଦୁରାପ୍ପା ଦଳୀୟ କାର୍ଯ୍ୟାଳୟକୁ ଯାଇ କେନ୍ଦ୍ରୟୀ ପ୍ରତିନିଧିମାନଙ୍କ ସହିତ ବିଚାରବିମର୍ଶ କରିଥିଲେ। ଏହା ପରେ ତୁରନ୍ତ ସେ ନିର୍ବାଚନ ଘୋଷଣାନାମା ଅନୁସାରେ କୃଷି ଋଣ ଛାଡ଼ ବିଷୟ ଘୋଷଣା କରିଥିଲେ। ଜାତୀୟକରଣ ଓ ସମବାୟ ବ୍ୟାଙ୍କରୁ ଋଣ କରିଥିବା ପ୍ରତ୍ୟେକ କୃଷକଙ୍କର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରାଯିବ ବୋଲି ଘୋଷଣା ପୂର୍ବକ ସେ କୃଷକଙ୍କ ହୃଦୟ ଜିଣିବାକୁ ଉଦ୍ୟମ କରିଛନ୍ତି। ୟେଦୁରାପ୍ପା କହିଛନ୍ତି ଯେ ଏହି ନିଷ୍ପତ୍ତି ସମ୍ପର୍କରେ ସେ ମୁଖ୍ୟ ଶାସନ ସଚିବ କେ. ରତ୍ନପ୍ରଭାଙ୍କୁ ଅବଗତ କରିଛନ୍ତି ଓ ଦୁଇ ଦିନ ମଧ୍ୟରେ ଏ ସମ୍ପର୍କିତ ବିସ୍ତୃତ ରିପୋର୍ଟ ତାଙ୍କୁ ଦେବା ପାଇଁ ନିର୍ଦେଶ ଦେଇଥିବା କହିଛନ୍ତି। ୟେଦୁରାପ୍ପାଙ୍କର ଏହି ନିର୍ଦେଶ ବଳରେ ରାଜ୍ୟର ୨୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର କୃଷକ ଉପକୃତ ହେବାର ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଘୋଷଣାନାମରେ କୃଷକଙ୍କ ପାଇଁ ୫ହଜାର କୋଟି ଟଙ୍କା ‘ରଇତ ବନ୍ଧୁ ମାର୍କେଟ ଇଣ୍ଟରଭେନ୍‍ସନ୍‍ ପାଣ୍ଠି’ ଗଠନ, ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରଇତ ବନ୍ଧୁ ବିଭାଗ ଖୋଲିବା, ମୁଖ୍ୟମନ୍ତ୍ରୀ ବୃତ୍ତି ଯୋଜନାରେ କୃଷକଙ୍କୁ କୃଷି ଶିକ୍ଷା ପାଇଁ ଇସ୍ରାଏଲ ଓ ଚୀନ୍‍ ଭ୍ରମଣ କରାଇବା, ସ୍କୁଷ୍କାଞ୍ଚଳ କୃଷକଙ୍କ ପାଇଁ ୧୦ହଜାର ଟଙ୍କା ମାସିକ ଆୟ ସୁନିଶ୍ଚିତ କରିବା ଓ ସର୍ବନିମ୍ନ ଉତ୍ପାଦ ମୂଲ୍ୟରେ ଦେଢ଼ ଗୁଣ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।

Leave A Reply