୬ ମାଓବାଦୀ ନିହତ
– ଏକେ-୪୭, ଇନ୍ସାସ୍ ବନ୍ଧୁକ ସହ ମାରଣାସ୍ତ୍ର ଜବତ, – ମୃତ ମାଓବାଦୀଙ୍କ ଉପରେ ଥିଲା ଲକ୍ଷାଧିକ ପୁରସ୍କାର
– ୪ଟି ଅପରେସନ୍ରେ ୯ ମାଓବାଦୀ ମଲେଣି: ଡିଜି, – ବିଚ୍ଛିନ୍ନାଞ୍ଚଳ ପାଇଁ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା
ଭୁବନେଶ୍ୱର/ଫୁଲବାଣୀ/ବଲାଙ୍ଗୀର : ରବିବାର ମାଓଦମନରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ମିଳିଛି ଏକ ବଡ଼ଧରଣର ସଫଳତା। ମାଓବାଦୀ ଓ ପୁଲିସ ଗୁଳିବିନିମୟରେ ୬ଜଣ ନକ୍ସଲ ନିହତ ହୋଇଛନ୍ତି। ସିପିଆଇ ମାଓବାଦୀ ନେତୃତ୍ୱାଧୀନ ବଲାଙ୍ଗୀର-ବରଗଡ଼-ମହାସମୁଦ(ବିବିଏମ୍) ଡିଭିଜନ୍ରେ ଶନିବାର ବିଳମ୍ବିତ ରାତିରେ ଏସ୍ଓଜି ଏବଂ ଡିଭିଏଫ୍ ସହ ଗୁଳି ବିନିମୟରେ ୨ ଜଣ ଦୁର୍ଦାନ୍ତ ମାଓବାଦୀ ନିହତ ହୋଇଥିବାବେଳେ ରବିବାର କନ୍ଧମାଳ ଜିଲା ସଦର ଥାନା ସୁଦୃକୁମ୍ପା ଅଞ୍ଚଳରେ ଏସ୍ଓଜିଙ୍କ ସହ ଗୁଳି ବିନିମୟରେ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼ (କେକେବିଏନ୍) ଡିଭିଜନର ୪ଜଣ ସିପିଆଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ଠାରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୃତକଙ୍କ ମଧ୍ୟରେ ୨ପୁରୁଷ ଓ ୨ଜଣ ମହିଳା ଥିବା କନ୍ଧମାଳ ଏସ୍ପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଗୋଟିଏ ଦିନରେ ୬ ଜଣ ମାଓବାଦୀ ସୁରକ୍ଷାକର୍ମୀଙ୍କ ସହ ଗୁଳିରେ ନିହତ ହେବା ଘଟଣା ଓଡ଼ିଶା ପୁଲିସ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।
ଶ୍ରୀ ଶର୍ମା କହିଛନ୍ତି, ବିବିଏମ୍ ଡିଭିଜନ୍ରେ ମୃତ ଦୁଇ ମାଓବାଦୀ ହେଲେ ଛତିଶଗଡ଼ ସୁକୁମା ଜିଲାର ଜାଗରକୁଣ୍ଡ ଥାନା ଅଧୀନ ପୁଆର୍ଟି ଗ୍ରାମର ସଞ୍ଜୀବ ଏବଂ ଅନ୍ୟ ଜଣେ ହେଲେ ଛତିଶଗଡ଼ର ରାକେଶ। ମୃତ ସଞ୍ଜୀବ ବିବିଏମ୍ର ଡିଭିଜନାଲ୍ କମିଟିର ସଦସ୍ୟ ବୋଲି ଜଣାପଡିଛି। ସଞ୍ଜୀବକୁ ଧରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ୫ ଲକ୍ଷ ଟଙ୍କା ଘୋଷଣା କରାଯାଇଥିବା ବେଳେ ଏରିଆ କମିଟି ସଦସ୍ୟ ରାଜେଶକୁ ଧରିବା ପାଇଁ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସେମାନଙ୍କଠାରୁ ସୁରକ୍ଷାକର୍ମୀମାନେ ଏକେ-୪୭ ସହିତ ୨ଟି ମାଗାଜିନ୍ ଏବଂ ଇନ୍ସାସ୍ ସହିତ ୨ଟି ମାଗାଜିନ୍ ଓ ୨୪ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛନ୍ତି। ଜଙ୍ଗଲରେ ଯାତାୟାତ ଲାଗି ସେମାନେ ବ୍ୟବହାର କରୁଥିବା ନାଭିଗେସନ କମ୍ପାସ, ବଡ଼ ଛୁରି ଆଦି ମିଳିଛି ବୋଲି ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ପ୍ରଥମ ଥର ଲାଗି ମାଓବାଦୀଙ୍କ ନିକଟରୁ ଏକ-୪୭ ବନ୍ଧୁକ ଜବତ କରାଯାଇଛି ବୋଲି ସେ କହିଛନ୍ତି। ସେହିପରି କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼(କେକେବିଏନ୍) ଡିଭିଜନର ୪ ଜଣ ମାଓବାଦୀଙ୍କର ଗଡଙ୍କି ଗ୍ରାମ ନିକଟରେ ମୃତ୍ୟୁ ଘଟିଛି।
ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ରାତି ପ୍ରାୟ ୧ଟା ବେଳେ ବଲାଙ୍ଗୀର ଏସ୍ପି କେ. ଶିବାସୁବ୍ରମଣ୍ୟମ ଏସ୍ଓଜି ଏବଂ ଏକ ୟୁପିଟ୍ ଡିଭିଏଫ୍ ସହିତ ବେଲାପାହାଡ ଥାନା ଅଧୀୀନ ଡୁଡୁକୋମଲ ଗ୍ରାମ ଜଙ୍ଗଲ ନିକଟରେ ଥିବା ସରକ୍ଷିତ ଜଙ୍ଗଲରେ ଅପରେସନ୍ ଆରମ୍ଭ କରିଥିଲେ। ଖବର ମିଳିଥିଲା ବିବିଏମ୍ ଡିଭିଜିନ୍ ସମ୍ପାଦକ ପାଣ୍ଡୁ ଓରଫ୍ ପ୍ରମୋଦ ଓରଫ ଅଲଭାଲା ଚନ୍ଦ୍ରସ ନେତୃତ୍ୱରେ ବରଗଡ଼ ଏବଂ ବଲାଙ୍ଗୀର ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ଦୁଇଟି ପ୍ଲାଟୁନ୍ ପଇଁତରା ମାରୁଛି। ଡୁଡୁକୋମଲ ଜଙ୍ଗଲ ନିକଟରେ କିଛି ମାଓବାଦୀଙ୍କ ଗତିବିଧି ଲକ୍ଷ୍ୟ କରାଯାଇଥିଲା। ଏସ୍ଓଜି ଓ ଡିଭିଏଫ୍ ଟିମ୍ ସେଠାରେ ପହଞ୍ଚିବା ପରେ ସେମାନେ ୮ରୁ୧୦ ଜଣ ମାଓବାଦୀଙ୍କୁ ଦେଖିଥିଲେ। ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦିଆଯାଇଥିଲା। ହେଲେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ପାଲଟା ଗୁଳି ବିନିମୟର ସଞ୍ଜୀବ ଓ ରାକେଶଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗୁଇନ୍ଦା ତଥ୍ୟକୁ ଆଧାର କରି ରବିବାର କନ୍ଧମାଳ ଏସ୍ପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ୨ ଟି ଏସ୍ଓଜି ଟିମ୍ ଗୋଡଙ୍କି ଗ୍ରାମରେ କିଛି ମାଓବାଦୀଙ୍କୁ ଦେଖିଥିଲେ। ସେଠାରେ ଗୁଳି ବିନିମୟ ସମୟରେ ବାଦଲ ନେତୃତ୍ୱାଧୀନ କେକେବିଏନ୍ ଡିଭିଜନର ୨ ସିପିଆଇ ମାଓବାଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଚଳିତ ବର୍ଷ ଗୁଇନ୍ଦା ସୂଚନାକୁ ଆଧାର କରି ୪ଟି ଅପରେସନ୍ରେ ୯ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଲାଣି। ଗତ କିଛି ବର୍ଷ ହେବ ଗୁଇନ୍ଦା ବ୍ୟବସ୍ଥାରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଛି। ଫଳରେ ସୁରକ୍ଷାକର୍ମୀଙ୍କୁ ଅନେକ ସଫଳତା ମିଳିଛି। ମାଓବାଦୀଙ୍କ ଗତିବିଦ୍ଧି ଅନେକ ସଂକୁଚିତ ହୋଇଛି। ୮ ଜିଲାରେ ମାଓବାଦୀଙ୍କ ଗତିିବିଦ୍ଧି ଦେଖିବାକୁ ମିଳିଛି। ଧୀରେ ଧୀରେ ଏସବୁ ଅଞ୍ଚଳକୁ ମାଓମୁକ୍ତ କରାଯିବ ବୋଲି ମହାନିର୍ଦେଶକ ଡାକ୍ତର ଶର୍ମା କହିଛନ୍ତି। କେକେବିଏନ୍, ବିବିଏମ୍, ମାଲକାନଗିରି-କୋରାପୁଟ୍-ବିଶାଖାପାଟଣା, ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଓ ବିଚ୍ଛିନ୍ନାଞ୍ଚଳ ମାଓବାଦୀଙ୍କ କାର୍ଯ୍ୟକଳାପ ଅଧିକ ଦେଖିବାକୁ ମିଳୁଛି ବୋଲି ମହାନିର୍ଦେଶକ କହିଛନ୍ତି। ବିଚ୍ଛିନ୍ନାଞ୍ଚଳକୁ ମାଓବାଦୀ ମୁକ୍ତ କରିବା ଲାଗି ରାଜ୍ୟ ସରକାର ଏକ ଆକ୍ସନ ପ୍ଲାନ୍ ତିଆରି କରିଛନ୍ତି ବୋଲି ସେ କହିଛନ୍ତି।