ଭୁବନେଶ୍ବର: କାତାରର ଦୋହାରେ ଚାଲିଥିବା ବିଶ୍ୱ ଦୌଡ଼କୁଦ ଚମ୍ପିଆନସିପ୍ର ୧୭ତମ ସଂସ୍କରଣରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କ ଅଭିଯାନ ସମାପ୍ତ ହୋଇଯାଇଛି। ଯାଜପୁର ଏକ୍ସପ୍ରେସ୍ ଦୂତି ଚାନ୍ଦ ଶନିବାର ଟ୍ରାକ୍କୁ ଓହ୍ଲାଇଥିଲେ। ମହିଳା ୧୦୦ ମିଟର ଦୌଡ଼ରେ ଦୂତି ହିଟ୍ସରୁ ବିଦାୟ ନେଇଛନ୍ତି। ଫଳରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ହାସଲ କରିବାକୁ ଯେଉଁ ଲକ୍ଷ୍ୟ ଦୂତି ରଖିଥିଲେ; ସେଥିରେ ଯବନିକା ପଡ଼ିଯାଇଛି।
ଶନିବାର ମହିଳା ୧୦୦ ମିଟର ଦୌଡ଼ରେ ହିଟ୍ସ ଅନୁଷ୍ଠିତ ହୋଇଥିଲା। ହିଟ୍ସ-୩ରେ ଦୌଡ଼ି ଦୂତି ୮ ଧାବିକାଙ୍କ ମଧ୍ୟରେ ୭ମ ସ୍ଥାନରେ ରହିଥିଲେ। ସବୁଠାରୁ ନୈରାଶ୍ୟଜନକ ଥିଲା ଦୂତିଙ୍କ ଟାଇମିଂ ୧୧.୪୮ ସେକେଣ୍ଡ। ପ୍ରତି ହିଟ୍ସରୁ ୩ ଜଣ ଲେଖାଏଁ ଧାବିକା ସେମିଫାଇନାଲରେ ପହଞ୍ଚିଥିଲେ। ସେମାନେ ହେଲେ ଜାମାଇକାର ଇଲାଇନ୍ ଥମ୍ପସନ, ତ୍ରିନିଦାଦ୍ ଏଣ୍ଡ୍ ଟବାଗୋର କେଲି ଆନ୍ ବାପ୍ଟିଷ୍ଟ ଓ ଆମେରିକାର ମୋରୋଲାକେ ଆକିନୋସନ୍। ଦୂତି ୧୦୦ ମିଟର ଦୌଡ଼ ଲାଗି ସିଧାସଳଖ ଯୋଗ୍ୟତା ହାସଲ କରି ନଥିବାବେଳେ ଆଇଏଏଫ୍ ମାନ୍ୟତା ଆଧାରରେ ବିଶ୍ୱ ଦୌଡ଼କୁଦ ଚମ୍ପିଆନସିପ୍ରେ ଭାଗ ନେଇଥିଲେ।



