ସୋରଡ଼ା: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ କର୍ମୀଙ୍କୁ ଚାପୁଡ଼ା ମାରିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାରଳାଖେମୁଣ୍ଡିରେ ଅନୁଷ୍ଠିତ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏପରି ଅଭାବନୀୟ ଘଟଣା ଘଟିଛି। ବୈଠକ ଚାଲିଥିବା ସମୟରେ କଂଗ୍ରେସର କେତେଜଣ ନେତା ବିଜେଡିରେ ଯୋଗଦେଇଥିଲେ। ଏହି ସମୟରେ କଂଗ୍ରେସର ଜଣେ ପୂର୍ବତନ ଯୁବନେତା ସାଂସଦଙ୍କୁ ଉପଢୌକନ ଦେବାକୁ ଉଦ୍ୟମ କରିବା ସମୟରେ ସାଂସଦ ମଞ୍ଚ ଉପରେ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ସାଂସଦଙ୍କୁ କଡ଼ା ସମାଲୋଚନା କରାଯାଇଛି। ତେବେ ଏ ସମ୍ପର୍କରେ ସାଂସଦ ଚନ୍ଦ୍ରଶେଖର ସାହୁଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।



