ବୋମାମାଡ଼ ଘଟଣା; ଅଣତିରିଶ ଗ୍ରାମ ପୁରୁଷ ଶୂନ୍ୟ

0

ପୁରୀ: ବୋମା ମାଡ଼ ଓ ଟେକାପଥର ମାଡ଼ ଘଟଣା ପରଠାରୁ ଅଣତିରିଶ ଗ୍ରାମରେ ପୁରୁଷ ଶୂନ୍ୟ ହୋଇପଡିଛି। ଗିରଫଦାରୀ ଭୟରେ ଉଭୟ ଗୋଷ୍ଠୀର ପୁରୁଷମାନେ ଗାଁରେ ରହୁନାହାନ୍ତି। ଏକ ପ୍ଲାଟୁନ ପୁଲିସ ଫୋର୍ସ ଗାଁରେ ପଇଁତରା ମାରୁଛି। ଗୋଟିଏ ଗୋଷ୍ଠୀ ଥାନାରେ ଅଭିଯୋଗ କରିଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ଘଟଣାର ଦୁଇଦିନ ବିତି ଯାଇଥିଲେ ମଧ୍ୟ ଥାନାରେ ଅଭିଯୋଗ କରିନାହାନ୍ତି। ସଞ୍ଜୁକ୍ତା ସ୍ୱାଇଁ ଏତଲାକୁ ଭିତ୍ତିକରି ପୁଲିସ ତଦନ୍ତ ଚଳାଇଛି। ବୋମା ଓ ଟେକାପଥର ମାଡ଼ରେ ୫ଜଣ ଆହତ ହୋଇ ଏବେ ମଧ୍ୟ ରେବଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ ଗତ କିଛି ବର୍ଷ ହେବ ବ୍ରହ୍ମଗିରି ଥାନା ଅଧୀନ କୁସୁବେଣ୍ଟି ପଞ୍ଚାୟତ ଅଧୀନ ଅଣତିରିଶ ଗ୍ରାମରେ ରାଜନୈତିକ ବିବାଦ ଲାଗି ରହିଥିଲା। ଏହାକୁ ନେଇ ଅନେକ ସମୟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ୧୨ତାରିଖରେ ପୁଣି ଏକ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ଉଭୟ ପକ୍ଷ ମଧ୍ୟରେ ବୋମା ଓ ଟେକା ମାଡ଼ ହୋଇଥିଲା। ଏ ସମ୍ପର୍କରେ ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ କୁମାର ଶତପଥୀଙ୍କୁ ପଚାରିବାରେ ସେ କୁହନ୍ତି ଅଣତିରିଶ ଗ୍ରାମରେ ପରିସ୍ଥିତି ଶାନ୍ତ ରହିଛି। ଗିରଫ ଭୟରେ ଗ୍ରାମରେ ପୁରୁଷମାନେ ଅନ୍ୟତ୍ର ଚାଲି ଯାଇଛନ୍ତି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାର ତଦନ୍ତ ଚାଲିଥିବା ସେ ପ୍ରକାଶ କରିଛନ୍ତି।

Leave A Reply