ସେବା ବସ୍ତୁରେ ନୁହେଁ; ଭାବରେ ଥାଏ : ରାଜ୍ୟପାଳ

0

ଭୁବନେଶ୍ୱର: ସେବା ବସ୍ତୁରେ ନଥାଏ, ଥାଏ ଭାବ​‌ରେ। ସେବାର ଭିତ୍ତି ହେଉଛି ଆଧ୍ୟାତ୍ମିକ ଭାବ। ବ୍ୟକ୍ତିର ଅନ୍ତଃକରଣରେ ପ୍ରେମ ପ୍ରବାହିତ ହେଲେ ସେ ପରର ସେବା ପାଇଁ ଆଗେଇ ଆ​‌ସେ। ସେ ଅନ୍ୟକୁ ନିଜର ଏକ ପ୍ରସାରିତ ରୂପରେ ଦେଖିଥାଏ। ଏହି ଭାବଧାରାର ପ୍ରସାରରେ ସେଣ୍ଟ ଜନ୍ ଆମ୍ବୁଲାନ୍ସର ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।
ଆଜି ରାଜଭବନରେ ସେଣ୍ଟ ଜନ୍ ଆମ୍ବୁଲାନ୍ସ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଉତ୍ସବରେ ଯୋଗଦେଇ ରାଜ୍ୟପାଳ କହିଥିଲେ ସଠିକ ଓ ତତକ୍ଷଣାତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଗଲେ ଅନେକ ଜୀବନ ବଞ୍ଚାଇ ହେବ। ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁହାର ଜାତୀୟ ହାରଠାରୁ ବହୁ ଊର୍ଦ୍ଧ୍ବରେ ରହିଛି, ଯାହା ଚିନ୍ତାର ବିଷୟ।
ଏହି ଅବସରରେ ପ୍ରାଥମିକ ଚିକିତ୍ସା ସଂପର୍କରେ ବିଭିନ୍ନ ସ୍ତରରେ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ରାଜ୍ୟପାଳ ପ୍ରଫେସର ଲାଲ ଗୁରୁତ୍ୱ ଆରୋପ କରିଛନ୍ତି।
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ସେଣ୍ଟ ଜନ୍ ଆମ୍ବୁଲାନ୍ସର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଅଧିକରୁ ଅଧିକ ପ୍ରଶିକ୍ଷଣ ଓ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ।
ସେଣ୍ଟ ଜନ୍ ଆମ୍ବୁଲାନ୍ସ, ଓଡ଼ିଶାର ଅବୈତନିକ ସଚିବ ପରେଶ ଚନ୍ଦ୍ର ମିଶ୍ର ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ସେଣ୍ଟ ଜନ୍ ଆମ୍ବୁଲାନ୍ସର ଅତିରିକ୍ତ କମିଶନର କାଳୀପ୍ରସାଦ ମିଶ୍ର, ସ୍ୱାସ୍ଥ୍ୟସେବା ନିର୍ଦେଶକ ଦିଲୀପ କୁମାର ଷଡ଼ଙ୍ଗୀ ପ୍ରମୁଖ ପ୍ରାଥମିକ ଚିକିତ୍ସା ସେବାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲ।
ଏହି ଅବସରରେ ଉଲ୍ଲେଖନୀୟ ସେବା ନିମନ୍ତେ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ସେବା ସମ୍ମାନ, ସେଣ୍ଟ ଜନ୍ ମିତ୍ର, ସେବାଶ୍ରୀ, ସେବକଶ୍ରୀ, ଜୀବନଜ୍ୟୋତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

Leave A Reply