ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ଆମିକସ୍କ୍ୟୁରୀ; ଗର୍ଭଗୃହରୁ ୧୭ ଫୁଟ ବାଲି ଦବିଛି
କୋଣାର୍କ: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ବାସ୍ତବ ସ୍ଥିତି ଆମିକସ୍ କ୍ୟୁରୀ ଅନୁଧ୍ୟାନ କରିଥିବାବେଳେ ଗର୍ଭଗୃହରୁ ପାଖାପାଖି ୧୭ ଫୁଟ ବାଲି ଦବିଛି ବୋଲି ସୂଚନା ଦେଇଛନ୍ତି। ଏଥିସହ ସିବିଆର୍ଆଇ ଦ୍ୱାରା ଡିଜାଇନ୍ ପ୍ରସ୍ତୁତି ପରେ ଜାନୁଆରୀ ମାସ ଶେଷ ସୁଦ୍ଧା ସୂର୍ଯ୍ୟମନ୍ଦିରକୁ ଲୁହା ପାଇପ୍ ମୁକ୍ତ କରାଯିବ ବୋଲି କହିଛନ୍ତି। ସୂର୍ଯ୍ୟମନ୍ଦିରକୁ ସୁରକ୍ଷିତ ରଖିବା ଲାଗି ବୃକ୍ଷରୋପଣ କରାଯିବା ସହ କେମିକଲ ନମୁନା ଯାଞ୍ଚ କରାଯିବ। ଏଥିସହ ସୂର୍ଯ୍ୟମନ୍ଦିରରେ ଦବିଥିବା ସ୍ଥାନ ବାଲିଦ୍ବାରା ପୂରଣ କରିବା ଲାଗି ପଦକ୍ଷେପ ନିଆଯିବ ଓ ହାଲୁକା ବାଲି ବ୍ୟବହାର ଲାଗି ପ୍ରସ୍ତାବ ନିଆଯିବ ବୋଲି ଆମିକସ୍ କ୍ୟୁରୀ ଇଂ. ତଥା ଆଡଭୋକେଟ୍ ଏନ୍.କେ ମହାନ୍ତି ଦ୍ୱିତୀୟ ଥର କୋଣାର୍କ ଗସ୍ତ କରି ପ୍ରାଚୀନ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପ୍ରକାଶ ଯେ, ୧୯୦୩ ମସିହା ବ୍ରିଟିଶ୍ ଅମଳରେ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇଥିବାବେଳେ ସୂର୍ଯ୍ୟମନ୍ଦିର ସୁରକ୍ଷିତ ନଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ଏଥିସହ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏ ନେଇ ଉଚ୍ଚ ନ୍ୟାୟାଳୟ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଆମିକସ୍ କ୍ୟୁରୀଙ୍କୁ ନିଯୁକ୍ତି ଦେଇଥିଲେ।
ଅଗଷ୍ଟ ୧୨ ତାରିଖରେ ଆମିକସ୍ କ୍ୟୁରୀ ପ୍ରଥମଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଚଳିତ ମାସ ୩ ତାରିଖରେ ସେଣ୍ଟ୍ରାଲ ବିଲ୍ଡିଂ ରସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ) ବିଶେଷଜ୍ଞ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ସୂର୍ଯ୍ୟମନ୍ଦିରର ଲେଜର ସ୍କାନିଂ ସଂପର୍କିତ ତଥ୍ୟ ଯାଞ୍ଚ କରିଥିବାବେଳେ ବାଲି ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିଲେ। ଏଥିସହ ସୂର୍ଯ୍ୟ ମନ୍ଦିରର ନକ୍ସାକୁ ଯାଞ୍ଚ କରିଥିଲେ। ମନ୍ଦିରର ପିଢାରୁ ଲୁହା ପାଇପ୍ କଢ଼ାଯାଇ ସେହି ସ୍ଥାନରେ ଉନ୍ନତମାନର ବିମ୍ ଲଗାଯିବ ବୋଲି ସୂଚନା ଦେଇଥିଲେ।
ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ ଶୁକ୍ରବାର ଅପରାହ୍ଣରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପହଞ୍ଚି ପ୍ରାଚୀନ ଐତିହ୍ୟ ସୁରକ୍ଷା ଓ ସଂରକ୍ଷଣର ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବିଶେଷ କରି ଲୁଣା ପବନ ପ୍ରଭାବରେ ମନ୍ଦିର ଗର୍ଭର କୀର୍ତ୍ତିରାଜି ଅବକ୍ଷୟ ରୋକିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ କିପରି ରାସାୟନିକ ଲେପ ବ୍ୟବହାର କରୁଛି ତାହାର ମାନକୁ ଯାଞ୍ଚ କରାଯିବ। ଏଥି ସହ ଜାନୁଆରୀ ମାସ ଶେଷ ସୁଦ୍ଧା କିଭଳି ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ବରୁ ଲୁହା ପାଇପ୍ ଭାର ଖୋଲାଯିବ ପରେ ମନ୍ଦିର ପିଢ଼ା ଗୁଡ଼ିକ ସୁରକ୍ଷା ପାଇଁ ସିବିଆର୍ଆଇର ପରାମର୍ଶ ଦ୍ୱାରା ବିମ୍ ସପୋର୍ଟ ଦିଆଯିବ।
୧୭ ଫୁଟର ବାଲି ଦବିଥିବା ମନ୍ଦିର ମଧ୍ୟରେ ଥିବା ଶୂନ୍ୟସ୍ଥାନକୁ କିଭଳି ବାଲିଦ୍ୱାରା ପୂର୍ଣ୍ଣ କରାଯିବ ଏହା ଉପରେ ସ୍ଥିତି ଅନୁଧ୍ୟାନ କରିବା ସହ ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକଙ୍କ ସହ ଆଲୋଚନା କରିଛନ୍ତି। ଏଥି ସହ ଏ ସଂପର୍କିତ ସମସ୍ତ ବିବରଣୀ ଉଚ୍ଚ ନ୍ୟାୟାଳୟଙ୍କୁ ଦିଆଯିବ ବୋଲି ଆମିକସ୍ କ୍ୟୁରୀ ଏନ୍.କେ ମହାନ୍ତି ସୂଚନା ଦେଇଛନ୍ତି।
ସୂର୍ଯ୍ୟମନ୍ଦିର ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା ଗଣମାଧ୍ୟମ ଆଗରେ ସେ ପ୍ରକାଶ କରିଛନ୍ତି।