ସେନା ମୁଖ୍ୟାଳୟରୁ କ୍ଷେତ୍ରକୁ ଯିବେ ୨୦୬ ଅଧିକାରୀ
ନୂଆଦିଲ୍ଲୀ: ସେନା ପୁନର୍ବିନ୍ୟାସ ପ୍ରୟାସ ସ୍ବରୂପ ମୁଖ୍ୟାଳୟରୁ ୨୦୬ ଅଧିକାରୀଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରକୁ ପଠାଯାଉଛି। ଜୁଲାଇରେ ଏ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଥିଲା। ସାମ୍ପ୍ରତିକ ଓ ଭବିଷ୍ୟତର ଆହ୍ବାନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ସେନା ମୁଖ୍ୟାଳୟର ପୁନର୍ବିନ୍ୟାସ କରିବା ଓ ଭିନ୍ନ ଭିନ୍ନ କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଅଧିକାରୀମାନଙ୍କୁ ମୁଖ୍ୟାଳୟରୁ ବିଭିନ୍ନ କ୍ଷେତ୍ରକୁ ପଠାଯାଉଛି ବୋଲି କହିଛନ୍ତି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ। ସେମାନେ ସମ୍ପୃକ୍ତ କ୍ଷେତ୍ରରେ ସେନାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନେବେ। ଅପରପକ୍ଷରେ ସେଠାରେ ଥିବା ବରିଷ୍ଠ ତଥା ଅଭିଜ୍ଞ ଅଧିକାରୀଙ୍କୁ ମୁଖ୍ୟାଳୟକୁ ଫେରାଇ ଅଣାଯିବ। ସେମାନେ ଏଠାରେ ନିଜ ଜ୍ଞାନ ଓ ଅଭିଜ୍ଞତା ପ୍ରଦର୍ଶନ କରିବା ସୁଯୋଗ ପାଇବେ ବୋଲି ଜେନେରାଲ ରାୱତ କହିଛନ୍ତି। ଏହିକ୍ରମରେ ବିଭିନ୍ନ ଜୋନ୍ର ସେନା ମୁଖ୍ୟାଳୟଗୁଡ଼ିକର ପୁନର୍ଗଠନ କରାଯିବ। ସେନା ସ୍ଥାଣୁ ପାଲଟିଯାଉଥିବା ଓ ଏହାର କାର୍ଯ୍ୟଦକ୍ଷତା ହ୍ରାସ ପାଉଥିବା ନେଇ ଯେଉଁ ସମାଲୋଚନା କରାଯାଉଛି ତାହାର ପ୍ରତିକାର ସ୍ବରୂପ ଏହି େଯାଜନା କାର୍ଯ୍ୟକାରୀ ହେଉଛି ବୋଲି ରାୱତ କହିଛନ୍ତି।