www.samajalive.in
Wednesday, December 10, 2025
17.1 C
Bhubaneswar

ଓଡ଼ିଶାର କିନ୍ନର ରାଣୀଙ୍କୁ ୫ ରେଟିଂ; ଭାରତର ଏକ ନମ୍ବର ଉବେର ଚାଳିକା

ଭୁବନେଶ୍ବର: ସଡ଼କ ସୁରକ୍ଷା, ଜୀବନ ରକ୍ଷା। ସଡ଼କ ସୁରକ୍ଷା​‌ ପାଇଁ ଲାଗୁ କରାଯାଇଥିବା ନୂତନ ପରିବହନ ନିୟମକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏପରିସ୍ଥଳେ ସଡ଼କରେ ସୁରକ୍ଷିତ ଯାତ୍ରୀ ପରିବହନ କରି ଜଣେ ଓଡ଼ିଆ କିନ୍ନର ଦେଶର ଏକ ନମ୍ବର କାର୍‌ ଚାଳକ ହେବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି। କିନ୍ନରଙ୍କ ପ୍ରତି ରହିଥିବା ସାମାଜିକ ଦୃଷ୍ଟିଭଙ୍ଗୀକୁ ଦୂରେଇ ଦେଇ ଗାଡ଼ି ଚଳାଇବାକୁ ଆଗେଇ ଆସିଥିବା ରାଣୀଙ୍କୁ ଉ​‌ବେର ଆପ୍‌ ପାଇଁ ମିଳିଛି ସର୍ବଶ୍ରେଷ୍ଠ ରେଟିଂ ପାଇଥିବା ଡ୍ରାଇଭର ମାନ୍ୟତା। ଯାତ୍ରୀଙ୍କ ସହିତ ଉତ୍ତମ ବ୍ୟବହାର, ଦକ୍ଷ ଗାଡ଼ିଚାଳନା ପାଇଁ ତାଙ୍କୁ ମିଳିଛି ଉକ୍ତ କଂପାନୀର ସର୍ବଶ୍ରେଷ୍ଠ ୫ ରେଟିଂ ମାନ୍ୟତା। ଅନ୍ୟ ଡ୍ରାଇଭରଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ରାଣୀ। ୫ ଷ୍ଟାର୍‌ ରେଟିଂ ପାଇବାରେ ରାଣୀ ହେଉଛନ୍ତି ସମଗ୍ର ଦେଶର ପ୍ରଥମ କିନ୍ନର ଡ୍ରାଇଭର। ତାଙ୍କର ଦକ୍ଷ ଗାଡ଼ିଚାଳନା, ଉତ୍ତମ ବ୍ୟବହାର ପାଇଁ ତାଙ୍କୁ ରେଟିଂ ମିଳିଛି। ୨୦୧୭ରେ ପୁରୀ ବଡ଼ଦାଣ୍ଡରେ ଆମ୍ବୁଲାନ୍ସ ଚଳାଇ ଅସୁସ୍ଥ ବ୍ୟକ୍ତିଙ୍କୁ ସାହାଯ୍ୟ କରି ବେଶ୍‌ ପ୍ରଶଂସାର ପାତ୍ର ପାଲଟିଥିଲେ ରାଣୀ। ରାଣୀଙ୍କ ଏଭଳି ଦକ୍ଷତା ବେଶ୍‌ ର୍ଚଚ୍ଚାର ବିଷୟ ହୋଇଛ।
ଭୁବନେଶ୍ବର ଖଣ୍ଡଗିରି ଛକ କଳିଙ୍ଗ ଷ୍ଟୁଡିଓ ଅଞ୍ଚଳରେ ରହୁଥିବା ରାଣୀ ମା’ ଓରଫ ରାଣୀ ରାଜଧାନୀ ଭୁବନେଶ୍ବରରେ ଦୁଇବର୍ଷ ହେବ ଉ​‌ବେର ଗାଡ଼ି ଚଳାଇ ଲୋକଙ୍କୁ ଗନ୍ତବ୍ୟ ପଥରେ ପହଞ୍ଚାଉଛନ୍ତି। ସକାଳ ହେଉ କି ସନ୍ଧ୍ୟା ଅବା ରାତି ଅଧ, ମୋବାଇଲ୍‌ ଆପ୍‌ରେ ବୁକିଂ ଆସିବାମାତ୍ରେ ଗାଡ଼ି ଧରି ଯାତ୍ରୀଙ୍କ ପାଖରେ ପହଞ୍ଚିଯା’ନ୍ତି। ରାଜଧାନୀବାସୀଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଥିବା ରାଣୀ ସମାଜ ପାଇଁ ନୂଆ ଉଦାହରଣ ପାଲଟିଛନ୍ତି।
ରାଣୀ କହିଛନ୍ତି, ୨୦୧୭ରେ କମ୍ପାନୀ ପକ୍ଷରୁ ଗାଡ଼ି ଚାଳନା ପ୍ରଶିକ୍ଷଣ ଦିଆଯାଉଥିଲା। ସେଥିରେ ମୁଁ ଯୋଗଦେଇ ଗାଡ଼ି ଚଳାଇବା ଶିଖିଥିଲି। ଗାଡ଼ି ଚାଳନା ଶିଖିବା ପରେ ଡ୍ରାଇଭିଂ ଲାଇସେନ୍ସ ନ ଥିଲା। କମ୍ପାନୀ ପକ୍ଷରୁ ଲାଇସେନ୍ସ କରାଇଦିଆଯିବା ସହିତ ଗାଡ଼ି କିଣିବା ଲାଗି ୧ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଦିଆଯାଇଥିଲା। ଦିନେ ଋଣ କରି ଏକ ଗାଡ଼ି କିଣିବା ପାଇଁ ବ୍ୟାଙ୍କ ଓ ବିଭିନ୍ନ ସରକାରୀ ସଂସ୍ଥାକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଏଥିପ୍ରତି କୌଣସି ସ୍ତରରେ ସହଯୋଗ ମିଳି ନ ଥିଲା। କିଏ କହୁଥିଲା ତୁମର ଘରଦ୍ବାର ନାହିଁ, ତୁମେ କିନ୍ନର, ତୁମକୁ ଋଣ ଦେଇ ଆମେ କ’ଣ ପାଇବୁ। ତଥାପି ହାର୍‌ ମାନି ନ ଥିଲି। ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଋଣ ଯୋଗାଇ ଦିଆଯିବା ସହିତ ଏକ ଗାଡ଼ି କିଣିଥିଲି। ଦୁଇବର୍ଷ ହେବ ଭୁବନେଶ୍ବରରେ ଗାଡ଼ି ଚଳାଉଛି। ଏହା ଭିତରେ ମୋର କିଛି ବି ସମସ୍ୟା ସୃ​‌ଷ୍ଟି ହୋଇନାହିଁ। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଛାଡ଼ିବା ଓ ସୁରକ୍ଷିତ ଯାତ୍ରା ମୋର ପ୍ରଥମ ଲକ୍ଷ୍ୟ। ସମାଜ ଆମକୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ ମଧ୍ୟ ଏଥିରେ ମୁଁ କେବେହେଲେ ନିଜକୁ ଦୁର୍ବଳ ମନେ କରିନାହିଁ। ଆତ୍ମନିର୍ଭରଶୀଳ ହେବା ସହିତ ଭଲ ଅର୍ଥ ମଧ୍ୟ ରୋଜଗାର ହେଉଛି। କିଛି ଯାତ୍ରୀ ଖୁସି ହୋଇ ଭଡ଼ାଠାରୁ ଅଧିକ ଟଙ୍କା ମଧ୍ୟ ଦେଇଥା’ନ୍ତି ବୋଲି ରାଣୀ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories