www.samajalive.in
Saturday, December 13, 2025
26.1 C
Bhubaneswar

ବାଜୁଛି ମାଦଳ ଆଉ ଶୁଭିଲାଣି ଗୀତ, କରମପୂଜା ପାଇଁ ଚଳଚଞ୍ଚଳ ବଡ଼ସାହି

ବଡ଼ସାହି : ଭାଦ୍ରବ ମାସର ଆରମ୍ଭରେ ଗୋଧୂଳି ସମୟରେ ଗାଁ ଗାଁରୁ ମାଦଳର ତାଳେ ତାଳେ ଶୁଣାଯାଉଛି ସ୍ୱତନ୍ତ୍ର ଗୀତ। ଏପରି ପରିବେଶ ସୂଚାଇ ଥାଏ, ମୟୂରଭଞ୍ଜର କୁଡୁମୀ ସମ୍ପ୍ରଦାୟରେ ପ୍ରସିଦ୍ଧ କୁଡୁମୀ ପର୍ବ ‘କରମପୂଜା’ର ପ୍ରସ୍ତୁତି। ଧୂମଧାମ୍ରେ ବହୁ ପ୍ରାଚୀନ ପରମ୍ପରାରୁ ପାଳିତ ହେଉଥିବା ଏହି ପ୍ରମୁଖ ପର୍ବ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସର ଶୁକ୍ଳ ପକ୍ଷ ବଡ ଏକାଦଶୀ ଦିନ ପାଳିତ ହୁଏ। ସୋମବାର ଏହି ମହାନ ପର୍ବ ‘କରମପୂଜା’ ପାଳନ ପାଇଁ କୁଡୁମୀ ତଥା କେତେକ ଆଦିବାସୀ ସମ୍ପ୍ରଦାୟରେ ପ୍ରସ୍ତୁତି ସରିଛି। ରାସ୍ତା ଘାଟ, ହାଟ ବଜାର ସବୁଠି ଏହି ପର୍ବର ମାହାଲ। ପ୍ରାୟତଃ ଧାନଚାଷ କାର୍ୟ୍ୟ ଶେଷ ପରେ ଏହି ପର୍ବ ପାଳିତ ହୋଇଥାଏ। ଏହା ସାର୍ବଜନୀନ ପୂଜା ହୋଇ ନଥିଲେ ହେଁ, ଯେଉଁ ପରିବାରରେ ପୂଜା ହୋଇଥାଏ। ଗାଁର ଆବାଳ ବୃଦ୍ଧବନିତା ସମସ୍ତେ ଏକାଠି ହୋଇଥାନ୍ତି। ବଡ଼ସାହି ବ୍ଲକର ଛେଳିଆ-ଖ, ଖୁଣ୍ଟାପାଳ, ଶାମକୁଳା, କଇଁଫୁଲିଆ, ଯୋଗୀନୂଆଗାଁ, ମିରିଗଦାରୀ, ଗୋବରାଶୋଳ, ଆଗୁଆଡ଼, ଦଲକି, ତ୍ରୀଲୋଚନପୁର, ବିଦ୍ୟାଧରଖୁଣ୍ଟା ଓ ଚୁଆଗଡିଆ ପ୍ରଭୃତି ଗ୍ରାମରେ ୩ଦିନ ଧରି ଏହି ପର୍ବ ପାଳିତ ହୁଏ। ପରମ୍ପରା ଅନୁସାରେ ବଡ଼ ଏକାଦଶୀର ଦିନକ ବା ତିନିଦିନ ପୂର୍ବରୁ ବିଧି ଅନୁଯାୟୀ କୁଡୁମୀମାନେ ଉପବାସ ରଖି ଗାଁ ନିକଟସ୍ଥ ନଦୀ, ନାଳ, ପୋଖରୀବନ୍ଧ ବା ଜଳାଶୟରୁ ବାଲି ସଂଗ୍ରହ କରି ସୁସଜ୍ଜିତ ଯାବା ଡଲାରେ ରଖି ମାଦଳ ବଜାଇ, ଗୀତଗାଇ ପୂଜାସ୍ଥଳ ଆଣିଥାନ୍ତି। ବାଲିରେ ମୁଗ, ବିରି, ଖସା, କୋଳଥ, ସୋରିଷ, ଗହମ ଓ ଧାନ ଭଳି ୭ପ୍ରକାର ଶସ୍ୟର ମଞ୍ଜି ମିଶାଯାଇଥାଏ। ବିଧି ମୁତାବକ ସେହି ବାଲିରେ ମେଥି ପାଣି ସିଞ୍ଚନ ପୂର୍ବକ ଶସ୍ୟରୁ ଗଜା ବାହାରିଥାଏ। ଏକାଦଶୀ ପୂର୍ବଦିନ ଗାଁ ଲୋକ ବଣକୁ ଯାଇ କରମଗଛର ଏକ ନିର୍ଦ୍ଦିଷ୍ଟ ଡାଳକୁ ପୂଜାକରି ସେଥିରେ ସୂତା ଗୁଡାଇ ମାନସିକ ରଖନ୍ତି। ପୁଣି ଏକାଦଶୀ ଦିନ ସନ୍ଧ୍ୟା ପୂର୍ବରୁ ଦେହୁରୀ ବା ପୂଜକ ସହ ବଣରୁ ଡାଳକୁ ମାଦଳର ତାଳେ ତାଳେ ପାରମ୍ପିକ ଗୀତ ଗାଇ ଗାଇ ସମସ୍ତେ ଆଣି ପୂଜା ସ୍ଥଳରେ ସ୍ଥାପନ କରି ଥାଆନ୍ତି। ଏହି ଡାଳକୁ ଝିଅ, ବୋହୁ ଓ ପୁରୁଷ ମାନେ ପୂଜା କରିବା ସହ ରାତି ତମାମ ମାଦଳ ବଜାଇ, କରମ ଗୀତ ଗାଇ ନାଚିଥାନ୍ତି। ସେହି ରାତି ମହାନ୍ତ ବା ଗ୍ରାମର ବୟସ୍କ ବ୍ୟକ୍ତି ଉପସ୍ଥିତ ଲୋକଙ୍କୁ ପୈାରାଣିକ ଗଳ୍ପମାନ ଶୁଣାଇଥାନ୍ତି। ପରଦିନ ପୂଜା ହୋଇଥିବା କରମଡାଳ ଓ ବାଲିକୁ ପାଣିରେ ବିସର୍ଜନ କରି ଗ୍ରାମବାସୀ ଏକାଠି ବସି ସାରୁ ପତ୍ରରେ ପାର୍ଣ୍ଣା ବା ଭୋଗ ସେବନ କରନ୍ତି। ଅନ୍ୟପକ୍ଷରେ କରମ ପୂଜାର ୧୩ ଦିନ ପରେ କୁଡୁମୀ ମାନଙ୍କ ଦ୍ୱାରା ଜିତୁଆ ନାମରେ ଆଉ ଏକ ପର୍ବ ମଧ୍ୟ ପାଳନ ହୁଏ। ଏହି ପୂଜାରେ କରମଡାଳ ବଦଳରେ ବର-ଅଶ୍ୱତ୍ଥ, ଆଖୁ, ବାଉଁଶ, ଧାନଗଛ ଓ ଶରଡାଳ ପ୍ରଭୃତି ଆଣି ପୂଜା ହୋଇଥାଏ। କରମପୂଜା ଠାରୁ କିଞ୍ଚିତ ଭିନ୍ନ ଏହି ପୂଜାରେ କେବଳ ନିଜବଂଶର ବିବାହିତ ଯୁବକଯୁବତୀ ସାମିଲ ହୋଇଥାନ୍ତି। ମାନସିକ ହୋଇଥିବା ଛୋଟପିଲା ଏହି ପୂଜାରେ ଚୂଳ ପକାଇଥାନ୍ତି। ଜିତୁଆ ପୂଜାର ୧୫ ଦିନ ବ୍ୟବଧାନରେ ହେଉଥିବା ଦଶରା ପୂଜା ମଧ୍ୟ କରମ ପୂଜା ଭଳି ପାଳିତ ହୋଇଥାଏ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories